Latest Odisha News

BREAKING NEWS

ଦିଲ୍ଲୀ ଅଧ୍ୟାଦେଶକୁ କାହିଁକି ସମର୍ଥନ କଲା ବିଜେଡି, ଆଭିମୁଖ୍ୟ ସ୍ପଷ୍ଟ କଲେ ସାଂସଦ

ଭୁବନେଶ୍ୱର: ସଂସଦରେ ବିଜେଡି ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିବା ପରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି ସହ ଟକରା ଟକରି ଚାଲିଥିବା ବେଲେ କେଉଁ ସର୍ତ୍ତରେ ବିଜେଡି ସମର୍ଥନ କଲା ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ଏହାରି ଭିତରେ ବିଜେଡିର ବରିଷ୍ଠ ସାଂସଦ ପିନାକୀ ମିଶ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଗୁରୁବାର ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଧାରା ୨୩୯ ଏଏ ଦିଲ୍ଲୀକୁ ଏକ ବିଚିତ୍ର ଓ ସ୍ୱତନ୍ତ୍ର ସ୍ଥାନ ଦେଇଛି, କାରଣ ଏହି ଆଇନ ପ୍ରଣୟନ କରିବାର କ୍ଷମତା ସଂସଦର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ସେବା ଅଧ୍ୟାଦେଶ ପ୍ରଣୟନ ପାଇଁ ସଂସଦର କ୍ଷମତାକୁ ବିଜେଡି ସମର୍ଥନ କରୁଛି।

ସେ କହିଛନ୍ତି, ବିଜେପିକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ବିଜେଡି କେବଳ ଏହି ଆଇନ ପ୍ରଣୟନ ପାଇଁ ସଂସଦର କ୍ଷମତାକୁ ସମର୍ଥନ କରୁଛି ବୋଲି ପିନାକୀ ମିଶ୍ର କହିଛନ୍ତି। କଂଗ୍ରେସ ଓ ବିଜେପିଠାରୁ ବିଜେଡିର ଦୂରତା ବଜାୟ ରହିଛି ବୋଲି ସେ କହିଛନ୍ତି।

ନିଜ ସ୍ୱାର୍ଥ ପୂରଣ ପାଇଁ ବିଜେପି ଅନ୍ୟ ରାଜ୍ୟର ସରକାର ଭାଙ୍ଗିବାକୁ ପଛାଇବ ନାହିଁ ବୋଲି ଆପ୍ ପକ୍ଷରୁ ଦିଆଯାଇଥିବା ଚେତାବନୀକୁ ପରୋକ୍ଷରେ ଇଙ୍ଗିତ କରି ସେ କହିଛନ୍ତି, ସାଂସଦ କହିଛନ୍ତି, ଓଡ଼ିଶାକୁ ନେଇ ଏଭଳି ଆଇନ ଅଣାଯାଇ ପାରିବ ନାହିଁ, ରାଜସ୍ଥାନ କିମ୍ବା ପଶ୍ଚିମବଙ୍ଗର ସମ୍ବିଧାନ କେନ୍ଦ୍ରକୁ ଏଭଳି କ୍ଷମତା ପ୍ରଦାନ କରିନାହିଁ।

ଏହାବ୍ୟତୀତ ସମସ୍ତେ ଆଇନର ତର୍ଜମାକୁ ଅପେକ୍ଷା କରିବା ଉଚିତ ଏବଂ କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରେ ଅଧିକ ନିୟନ୍ତ୍ରଣ ଦେଉଥିବା ଏହି ବିଲ୍କୁ ମଙ୍ଗଳବାର ଓଡ଼ିଶାର ଶାସକ ଦଳ ବିଜେଡି ସମର୍ଥନ ଜଣାଇଛି। ରାଜ୍ୟସଭାରେ ବିଜେଡିର ନଅ ସାଂସଦ ସମର୍ଥନ ମିଳିଲେ ବିଜେପି ନେତୃତ୍ୱାଧୀନ ଏନଡିଏର ସଂଖ୍ୟା ଗରିଷ୍ଠତା ଅତିକ୍ରମ କରିବେ।

Comments are closed.