Latest Odisha News

BREAKING NEWS

କାହିଁକି ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ?

ଭୁବନେଶ୍ବର: କଥା କମ୍ କାମ ବେଶୀ । ରାଜନୀତିକୁ ଆସିବା ପରଠୁ ଏହା ହିଁ ପାଲଟିଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟ୍ରେଡମାର୍କ ଷ୍ଟାଇଲ୍ । ଆଉ ସେଥିପାଇଁ ତାଙ୍କୁ ବିରୋଧୀ ବି ସେଭଳି ସମାଲୋଚନା କରିପାରନ୍ତିନି। ଅଳ୍ପ କୁହନ୍ତି, ସିଧା କୁହନ୍ତି, ପ୍ରସଙ୍ଗ ନେଇ ସଂକ୍ଷେପରେ କିନ୍ତୁ ଓଜନଦାର କଥା କୁହନ୍ତି ନବୀନ। ବର୍ଷ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ସମାନ ଅନ୍ଦାଜରେ ଦେଖି ଆସିଛନ୍ତି ସମସ୍ତେ । ହେଲେ ବୁଧବାର ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଯେଉଁ ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡି ନେତାଙ୍କ ମଧ୍ୟରେ କଥା କଟାକଟି, ପୁଣି ତାଙ୍କ ସପକ୍ଷରେ ବାହାରିଥିଲେ ନବୀନ। ପ୍ରଭାତ ତ୍ରିପାଠୀଙ୍କୁ ନେଇ ମିଛ କହିଥିଲେ ତ ଓ୍ବକଫ୍ ଭୋଟକୁ ନେଇ ପଦେ ବି କହିନଥିଲେ।

ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ

ବିଜେଡି ୨୦୨୪ ନିର୍ବାଚନ ହାରିବା ପରଠୁ ଭିକେ ପାଣ୍ଡିଆନଙ୍କୁ ନେଇ ଦଳରେ ପ୍ରବଳ ଅସନ୍ତୋଷ ରହିଛି । ଓ୍ବକଫ୍ ଭୋଟ ପରେ ଏହି ଅସନ୍ତୋଷ ବଡ଼ ରୂପ ନେଇଛି । ସାଂସଦ ଦେବାଶିଷ ସାମନ୍ତରାୟ ଖୋଲାଖୋଲି ପାଣ୍ଡିଆନଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି । ଏହାକୁ ନେଇ ତାଙ୍କୁ ପାଣ୍ଡିଆନ ସପକ୍ଷବାଦୀ ନେତାଙ୍କ ରୋଷର ବି ଶିକାର ହେବାକୁ ପଡିଛି । ଓ୍ବକଫ୍ ସଂଶୋଧନ ବିଲ ସପକ୍ଷରେ ମତଦାନ ପଛରେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ରହିଥିଲା କି? ଏହାକୁ ନେଇ ବିଜେଡି ନେତାଙ୍କ ମନରେ ଜବରଦସ୍ତ ଅସନ୍ତୋଷ ରହିଛି । ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ କର୍ମୀଙ୍କୁ ନେଇ ନବୀନ ନିବାସ ଯିବା ବେଳେ ବି ଏହାର ଝଲକ ଦେଖିବାକୁ ମିଳିଛି । ଗୋ ବ୍ୟାକ୍ ପାଣ୍ଡିଆନର ନାରା ଲଗାଇଛନ୍ତି ବିଜେଡି କର୍ମୀ । ହେଲେ ଏସବୁ ପରେ ବି ନବୀନ ପାଣ୍ଡିଆନଙ୍କ ପାଇଁ ଢାଲ ସାଜିବା ରାଜନୀତିରେ ସେଲଫ ଗୋଲ୍ ସଦୃଶ ହୋଇଛି । ବିଜେଡିରେ କଳି ତୁଟାଇବେ କଣ, ନବୀନଙ୍କ ବୟାନ ପାଣ୍ଡିଆନ ବିରୋଧୀ ନିଆଁକୁ ଆହୁରି ତେଜିବା ସହ ଦଳରେ ବିଭାଜନ ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରଭାତ ତ୍ରିପାଠୀଙ୍କୁ ନେଇ ବୟାନ

ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀଙ୍କୁ ନେଇ ନବୀନଙ୍କ ବୟାନ ମଧ୍ୟ ଅନେକଙ୍କୁ ଚମକାଇଛି । ପ୍ରଥମ କଥା ନବୀନ କେବେ କୌଣସି ନେତାଙ୍କୁ ନେଇ ବ୍ୟକ୍ତିଗତ ସ୍ତରରେ ବୟାନ ଦିଅନ୍ତି ନାହିଁ । ଦ୍ବିତୀୟରେ ପ୍ରଭାତ ତ୍ରିପାଠୀଙ୍କ ଭଳି ଜଣେ ନେତାଙ୍କ ସଂପର୍କରେ ନବୀନ ଚାହିଁଥିଲେ ଦଳୀୟ ମୁଖପାତ୍ରଙ୍କ ଦ୍ବାରା କୁହାଇ ପାରିଥାନ୍ତେ, ନିଜେ କହିବାର ଆବଶ୍ୟକତା କଣ ଥିଲା? ତୃତୀୟରେ ଯାହା କହିଲେ, ପରେ ତାହା ଭୁଲ ବୋଲି ନିଜେ ପ୍ରଭାତ ତ୍ରିପାଠୀ ପ୍ରମାଣ କଲେ । ଏଥିରେ କ୍ଷତି କାହାର ହେଲା? ପ୍ରଭାତ ତ୍ରିପାଠୀଙ୍କୁ ଦଳରୁ ୨୦୧୪ରେ ନିଲମ୍ବନ କରାଯାଇଥିବା ବେଳେ ୨୦୧୭ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଗଲା। ଏହାପରେ ବିଭିନ୍ନ ନିର୍ବାଚନୀ ସଭାରେ ନବୀନ ପ୍ରଭାତଙ୍କ ସହ ନଜର ଆସିଛନ୍ତି । ତେଣୁ ଏଭଳି ଭୁଲ୍ ସୂଚନା ନବୀନ କହିବା ବା ତାଙ୍କ ମୁହଁରେ କୁହାଯିବା, କେଉଁଠି ନା କେଉଁଠି ଉଭୟ ଦଳ ଓ ଦଳର ସଭାପତିଙ୍କ ଛବି ମଳିନ କରିଛି ।

ଓ୍ବକଫ୍ ଭୋଟ୍…କାହିଁକି କିଛି କହିଲେନି?

ଗତ କିଛି ଦିନ ହେଲା ବିଜେଡି ରାଜନୀତିକୁ ସରଗରମ କରିଛି ଓ୍ବକଫ୍ ଭୋଟ୍ ପ୍ରସଙ୍ଗ । ଆଶା କରାଯାଉଥିଲା, ନବୀନ ଏହାକୁ ନେଇ କିଛି କହିବେ ବା ଦଳର ନେତାଙ୍କ ମନରେ ଥିବା ଦ୍ବନ୍ଦ୍ବ ଦୂର କରିବେ । ହେଲେ ସେମିତି କିଛି ହେଲାନି । ସଂଖ୍ୟାଲଘୁଙ୍କୁ ଘଟଣା ନେଇ ଅନୁଧ୍ୟାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ପଦେ କହିଲେନି ନବୀନ । ଓ୍ବକଫ୍ ଭୋଟ ନିଷ୍ପତି ଶେଷ ମୁହୁର୍ତ୍ତରେ କାହିଁକି ବଦଳିଲା, ସେନେଇ କହିଲେନି । ଓଲଟା ଦଳର ବରିଷ୍ଠ ନେତାଙ୍କୁ ନାଲିଆଖି ଦେଖାଇଲେ । ବୈଠକ କରିବାକୁ ଶଙ୍ଖ ଭବନରେ ପର୍ଯ୍ୟାପ୍ତ ଜାଗା ଅଛି । ସେଠାରେ ବୈଠକ ନକରି ହୋଟେଲରେ ବୈଠକ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ନବୀନ। ଏହାସହ ହୋଟେଲରେ କୌଣସି ଦଳୀୟ ବୈଠକ ନେଇ ସେ ଅନୁମତି ଦେଇନଥିବା କହିଛନ୍ତି ।

ଓ୍ବକଫ ଭୋଟକୁ ନେଇ ନବୀନଙ୍କ ନିରବତା ଓ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ ଦେବା ପରେ ଦଳରେ ନେତା ଓ କର୍ମୀ ଆହୁରି ବିଚଳିତ ହୋଇଛନ୍ତି । ପାଣ୍ଡିଆନ ୧୦ମାସ ଆଗରୁ ସକ୍ରିୟ ରାଜନୀତିରୁ ଯଦି ଓହରି ଯାଇଛନ୍ତି, ତେବେ କାହିଁକି ତାଙ୍କୁ ନେଇ ସ୍ପଷ୍ଟୀକରଣ ଦେଉଛନ୍ତି ନବୀନ? କାହିଁକି ତାଙ୍କୁ ସୁନାମୁଣ୍ଡା ବୋଲି ପ୍ରମାଣ କରିବାକୁ ଲାଗି ପଡିଛନ୍ତି? କାହିଁକି ପାଣ୍ଡିଆନଙ୍କୁ ପଦେ କହିଲେ ଦଳର ସାଂସଦ ନିଜ ଦଳର ନେତାଙ୍କୁ ଆକ୍ଷେପ କରିବାକୁ ପଛାଉ ନାହାନ୍ତି? ନବୀନଙ୍କ ଏଭଳି ବୟାନ ବିଜେଡିକୁ ଅନିଶ୍ଚିତତା ଭିତରକୁ ଠେଲି ଦେବନି ତ?

Comments are closed.