Latest Odisha News

BREAKING NEWS

ପିତୃ ଋଣ ସୁଝିବା ଜାଗାରେ ପିତୃହନ୍ତା କାହିଁକି ସାଜିଲେ ପ୍ରଫେସର ଅନିରୁଦ୍ଧ ଚୌଧୁରୀ?

ଭୁବନେଶ୍ୱର: ଯେଉଁ ବୟସରେ ଅବସରପ୍ରାପ୍ତ ବାପାର ଋଣ ପୁଅ ହିସାବରେ ସୁଝିବାର ଥିଲା ସେହି ବୟସରେ ମା ଆଗରେ ବାପାକୁ ହତ୍ୟା କରିଛନ୍ତି ପ୍ରଫେସର ଅନିରୁଦ୍ଧ ଚୌଧୁରୀ। ଘରୋଇ ବିଶ୍ୱବିଦ୍ୟାଳୟର ଲ ବିଭାଗର ପ୍ରଫେସର ସହିତ ଟିଭି ବିତର୍କରେ ନିଜର ଜ୍ଞାନ ଗାରିମା ପାଇଁ ବିଶେଷଜ୍ଞ ଭାବେ ସ୍ଥାନ ପାଉଥିବା ଏହି ଶିକ୍ଷିତ ବ୍ୟକ୍ତି ଜଣଙ୍କ କେଉଁ ପରିସ୍ଥିତିରେ ନିଜ ବାପାଙ୍କ ଉପରକୁ ଛୁରୀ ମାଡ କଲେ ତାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନାଲକୋର ଅବସରପ୍ରାପ୍ତ ଅଧିକାରୀ ସୁନୀଲ ଚୌଧୁରୀ। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଆପାର୍ଟମେଣ୍ଟରେ ରହୁଥିବା ଅନିରୁଦ୍ଧ କୁଆଡେ ୨୫ ଲକ୍ଷ ଟଙ୍କା ଋଣରେ ଥିଲେ। ଏହାକୁ ସୁଝିବା ପାଇଁ ସେ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ହେଲେ ସୁନୀଲ ଦେବେ ନାହିଁ ବୋଲି କୁଆଡେ ମନା କରିଥିଲେ। ଏହାପରେ ରାଗି ପାଚି ନାଲ ପଡିଯାଇଥିବା ଅନିରୁଦ୍ଧ ନିଜ ହିତାହିତଜ୍ଞାନ ଭୁଲି ଏପରି ଏକ କାରନାମା କରିଛନ୍ତି ବୋଲି କୁହାଯାଉଛି।

ତେବେ ଏହି ସମୟରେ ଅନିରୁଦ୍ଧଙ୍କ ପତ୍ନୀ ତାଙ୍କ ବାପ ଘରକୁ ଯାଇଥିବା ଜଣାପଡ଼ିଛି। ଟଙ୍କା ପଇସାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ଚାଲିଥିବା ସୂଚନା ରହିଛି।

ସକାଳୁ ଏପରି ଏକ ଖବର ପାଇ ମଞ୍ଚେଶ୍ୱର ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ଜଣେ ଶିକ୍ଷିତ ବୃତ୍ତିଜୀବୀ କିପରି ନିଜ ବୃଦ୍ଧ ବାପାଙ୍କୁ ଏତେ ନିଷ୍ଠୁର ଢଙ୍ଗରେ ହତ୍ୟା କରିପାରିବେ ସେ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଆମେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛୁ। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରହିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଭୁବନେଶ୍ୱର ଏସିପି ଗୌତମ କିଷାନ କହିଛନ୍ତି।

ଆଜି ସକାଳ ପ୍ରାୟ ୬ଟାବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲି। ମୁଁ ଘଟଣା ବିଷୟରେ ଅଧିକ କିଛି କହିପାରିବି ନାହିଁ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

“ମୁଁ ସକାଳ ୮ଟାରେ ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଲି । ସେମାନେ ଏକ ଭଲ ପରିବାର। ମୁଁ ପରିବାରରେ କେବେ ବି ଝଗଡ଼ା ଶୁଣିନାହିଁ । ମୁଁ ଆଭ୍ୟନ୍ତରୀଣ ବ୍ୟାପାର ବିଷୟରେ ଅଧିକ ଜାଣେ ନାହିଁ । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ଅଞ୍ଚଳର ଅନ୍ୟ ଜଣେ ବାସିନ୍ଦା କହିଛନ୍ତି।

Leave A Reply

Your email address will not be published.