Latest Odisha News

BREAKING NEWS

ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ

ନୂଆଦିଲ୍ଲୀ: ୧୯ ସେପ୍ଟେମ୍ବରରୁ ଜାପାନର ଆଇଚି-ନାଗୋୟାରେ ଏସିଆନ୍ ଗେମ୍ସ ୨୦୨୬ ଆରମ୍ଭ ହେବାକୁ ଯାଉଛି । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତୀୟ ଆଥଲେଟ୍‌ଙ୍କ ପ୍ରସ୍ତୁତି ବାବଦରେ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ଏସିଆନ୍ ଗେମ୍ସ ଇତିହାସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତାଇ ଥିବା ଖେଳାଳି ସଚିନ୍ ନାଗଙ୍କ କାହାଣୀ ବେଶ୍ ରୋଚକ । ୧୯୫୧ ମସିହାରେ ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ଏସିଆନ୍ ଗେମ୍ସରେ ସଚିନ୍ ନାଗ ୧୦୦ ମିଟର୍ ଫ୍ରି-ଷ୍ଟାଇଲ ସନ୍ତରଣରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଯେତେବେଳେ ସେ ମାତ୍ର ୧୦ ବର୍ଷର ହୋଇଥିଲେ, ସ୍ୱାଧୀନତା ଆନ୍ଦୋଳନର ଏକ ଶୋଭାଯାତ୍ରା ସମୟରେ ପୋଲିସର ଲାଠିଚାର୍ଜରୁ ବଞ୍ଚିବା ପାଇଁ ସେ ଗଙ୍ଗା ନଦୀକୁ ଡେଇଁପଡ଼ିଥିଲେ । ସେହି ସମୟରେ ନଦୀରେ ଏକ ସନ୍ତରଣ ପ୍ରତିଯୋଗିତା ଚାଲିଥିଲା ଏବଂ ସଚିନ୍ ସେଠାରେ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିଠାରୁ ହିଁ ତାଙ୍କର ପ୍ରଫେସନାଲ୍ ସ୍ୱିମିଂ କ୍ୟାରିୟର୍‌ର ଶୁଭାରମ୍ଭ ହୋଇଥିଲା । ୧୯୪୮ ଲଣ୍ଡନ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପରେ ୧୯୫୧ ଏସିଆନ୍ ଗେମ୍ସରେ ସେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ । ଏସିଆନ୍ ଗେମ୍ସ ସନ୍ତରଣରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିବାରେ ସଚିନ୍ ନାଗ ଆଜି ପର‌୍ୟ୍ୟନ୍ତ ଏକମାତ୍ର ଭାରତୀୟ ସ୍ୱିମର ।

ଏତେ ବଡ଼ ସଫଳତା ସତ୍ତ୍ୱେ ଜୀବିତ ଅବସ୍ଥାରେ ସେ ଆର୍ଥିକ ଅନାଟନ ଓ ସରକାରୀ ସ୍ୱୀକୃତିରୁ ବଞ୍ଚିତ ହୋଇଥିଲେ । ୧୯୮୭ରେ କୋଲକାତାରେ ତାଙ୍କର ପରଲୋକ ହୋଇଥିଲା ।  ମୃତ୍ୟୁର ୩୩ ବର୍ଷ ପରେ, ୨୦୨୦ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ମେଜର ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହା ସହ ତାଙ୍କୁ ଇଣ୍ଟରନ୍ୟାସନାଲ୍ ସ୍ୱିମିଂ ହଲ୍ ଅଫ୍ ଫେମରେ ମଧ୍ୟ ସାମିଲ କରାଯାଇଛି ।

Leave A Reply

Your email address will not be published.