Latest Odisha News

BREAKING NEWS

Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…

ରାଜନଗର: କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ । କେନ୍ଦ୍ରାପଡ଼ାର ପ୍ରଥମ ହର୍ବାଲ ଗାର୍ଡେନ ଲୁଣା ନଦୀକୂଳରେ ଅଢେଇ ଏକର ଜମିରେ ହେବ  । ରାଜନଗର ବନବିଭାଗ ପକ୍ଷରୁ ଜିଲ୍ଲାର ପ୍ରଥମ ‘ହର୍ବାଲ ଗାର୍ଡେନ୍’ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି । ମହାକାଳପଡ଼ା ବ୍ଲକ୍‌ର ରାମନଗର ଓ ବାହାକୁଦ ଗାଁର ମିଳନସ୍ଥଳୀ ଲୁଣା ନଦୀ ପାର୍ଶ୍ୱରେ ପ୍ରାୟ ଏକ ହେକ୍ଟର ବା ଅଢ଼େଇ ଏକର ଜମି ଚିହ୍ନଟ ହୋଇଛି। ୧୫୦ରୁ ଅଧିକ ଔଷଧୀୟ ବୃକ୍ଷ, ଗୁଳ୍ମ, ତୃଣ ଓ ଲତା ଏଠାରେ  ଲଗାଯିବାର ଯୋଜନା ରହିଛି।

ପ୍ରଥମେ ବାତ୍ୟା, ସୁନାମୀ ଓ ସମୁଦ୍ର ଜୁଆର ଭଳି ବିପର୍ଯ୍ୟୟରୁ ଉପକୂଳବାସୀଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ହେନ୍ତାଳ ସମେତ ଲୁଣା ଜଙ୍ଗଲ ସୃଷ୍ଟି କରାଯାଉଥିଲା। ଏବେ ନଦୀକୂଳ ଓ ପରିବେଶ ସୁରକ୍ଷା ସହ ଔଷଧୀୟ ଉଦ୍ଭିଦ ସଂରକ୍ଷଣ ପାଇଁ କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଛି ନୂଆ ପ୍ରୟାସ।

ରାଜନଗର ବନବିଭାଗର ଆସିଷ୍ଟାଣ୍ଟ ଚିଫ୍ ଫରେଷ୍ଟର (ACF) ଗଗନ ବିହାରୀ ମଲିକ କହିଛନ୍ତି ଯେ,ବିଭିନ୍ନ ନଦୀତଟରୁ ବାଲି ଉତ୍ତୋଳନ ଯୋଗୁଁ ପରିବେଶ ଓ ନଦୀ ଅବବାହିକା କ୍ଷୟ ହେଉଥିବା ବେଳେ, ନଦୀକୂଳରେ ହିଁ ଔଷଧୀୟ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଏହି ପ୍ରୟାସ ଆରମ୍ଭ ହୋଇଛି ।

ଏଠାରେ ହେବ ହର୍ବାନ ଗାର୍ଡନ:-

ମହାକାଳପଡ଼ା ବ୍ଲକ୍‌ର ରାମନଗର ଓ ବାହାକୁଦ ଗାଁର ମିଳନସ୍ଥଳୀ, ଲୁଣା ନଦୀ ପାର୍ଶ୍ୱରେ ଏହି ହର୍ବାଲ ଗାର୍ଡେନ୍ ପାଇଁ ପ୍ରାୟ ଏକ ହେକ୍ଟର ବା ଅଢ଼େଇ ଏକର ଜମି ଚିହ୍ନଟ ହୋଇଛି। ଏହି ହର୍ବାଲ ଗାର୍ଡେନ୍‌ରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ସହ ଗୁଳ୍ମ, ତୃଣ ଓ ଲତା ଜାତୀୟ ଉଦ୍ଭିଦର ସମ୍ଭାର ରହିବ। ଏହା ସଂରକ୍ଷିତ କିସମ ଜମି ହୋଇଥିବା ବେଳେ ଔଷଧୀୟ ବୃକ୍ଷ ବଢ଼ିବା ପାଇଁ ବାଲି ମାଟିର ଆବଶ୍ୟକତା ଥିବାରୁ ଉକ୍ତ ଜମିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ACF ଗଗନ ବିହାରୀ ମଲିକଙ୍କ ଅନୁସାରେ, ଏହି ପ୍ରକଳ୍ପ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଏଠାରେ ନିମ, ଅର୍ଜୁନ, ବେଲ ଭଳି ବିଭିନ୍ନ ଔଷଧୀୟ ବୃକ୍ଷ ସହ ଗୁଣ୍ଡୁଚି ଲତା, ତୁଳସୀ ଓ ଘିକୁଆଁରୀ ଭଳି ଉଦ୍ଭିଦ ମଧ୍ୟ ଲଗାଯିବ। ଏହାକୁ ଶିକ୍ଷଣୀୟ ଉଦ୍ଦେଶ୍ୟରେ ମଧ୍ୟ ବିକଶିତ କରାଯିବ।

ଏଠାରେ ନବଗ୍ରହ ଉଦ୍ୟାନର ପରିକଳ୍ପନା ମଧ୍ୟ ରହିଛି। ବିଶେଷ କରି ପିଲାମାନେ ଔଷଧୀୟ ବୃକ୍ଷକୁ ଚିହ୍ନିବା, ସେମାନଙ୍କ ନାମ ଜାଣିବା, ଉପାଦେୟତା ବୁଝିବା ଏବଂ ଦୈନନ୍ଦିନ ଜୀବନରେ ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଜାଣିପାରିବେ। ଗୋଟିଏ ହେକ୍ଟର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପର କିଛି ଅଂଶ ପାଦଚଲା ରାସ୍ତା ପାଇଁ ରହିବ ଏବଂ ଅବଶିଷ୍ଟ ଅଂଶରେ ଔଷଧୀୟ ବୃକ୍ଷରୋପଣ କରାଯିବ। ସକାଳ ଓ ସନ୍ଧ୍ୟା ସମୟରେ ଲୋକେ ଏଠାକୁ ଆସି ଚଲାବୁଲା କରିବା ସହ ଔଷଧୀୟ ବୃକ୍ଷ ଥିବା ପରିବେଶର ଅନୁଭବ ନେଇପାରିବେ।

ପରିବେଶବିତଙ୍କ ମତରେ ମହାକାଳପଡ଼ାରେ ହେବାକୁ ଥିବା ଏହି ହର୍ବାଲ ଗାର୍ଡେନ୍ ଜିଲ୍ଲାବାସୀଙ୍କ ପାଇଁ ବରଦାନ ସଦୃଶ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆୟୁର୍ବେଦ ଜ୍ଞାନ ଆହରଣ କରୁଥିବା ଛାତ୍ରଛାତ୍ରୀ ଓ ଗବେଷକମାନେ ମଧ୍ୟ ଏଠାରୁ ଉପକୃତ ହୋଇପାରିବେ।

ସୂଚନାଥାଉକି, କେନ୍ଦ୍ରାପଡ଼ାର ଭିତରକନିକା ଭାରତର ଦ୍ୱିତୀୟ ବୃହତ୍ତମ ହେନ୍ତାଳ ଜଙ୍ଗଲ ଭାବେ ପରିଚିତ। ବର୍ଷର ବିଭିନ୍ନ ସମୟରେ ଏହି ଅଞ୍ଚଳ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ୨୦୨୪ର ‘ଦାନା’ ବାତ୍ୟାର ସମ୍ମୁଖିନହୋଇଥିଲା ।

ପ୍ରାୟ ୬୭୨ ବର୍ଗ କିଲୋମିଟରରେ ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଲୁଣା ଜଙ୍ଗଲ ଦେଖିବାକୁ ମିଳେ। ହେନ୍ତାଳ ସମେତ ଏହି ଲୁଣା ଜଙ୍ଗଲକୁ ଉପକୂଳର ‘ସୁରକ୍ଷା କବଚ’ ବୋଲି କୁହାଯାଏ। ଭିତରକନିକାରେ ସରକାରୀ ଭାବେ ୬୭ ପ୍ରକାରର ହେନ୍ତାଳ ବୃକ୍ଷ ଲଗାଯାଇଥିବା ତଥ୍ୟ ରହିଛି।

Leave A Reply

Your email address will not be published.