Latest Odisha News

BREAKING NEWS

ଆଇଏମଏଫ ବୋର୍ଡରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳକୁ ୬ ମାସ ପୂର୍ବରୁ କାହିଁକି ଶେଷ କଲେ ସରକାର?

ନୂଆଦିଲ୍ଲୀ: ଭାରତ ସରକାର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରେ ଭାରତର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏକ୍ସିକ୍ୟୁଟିଭ ଡାଇରେକ୍ଟର) ଭାବେ ଡକ୍ଟର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ସେବାକୁ ତୁରନ୍ତ ପ୍ରଭାବରେ ଶେଷ କରିଛନ୍ତି। ଏପ୍ରିଲ ୩୦, ୨୦୨୫ ତାରିଖରେ ଜାରି ହୋଇଥିବା ନିଯୁକ୍ତି କମିଟି ଅଫ କ୍ୟାବିନେଟ (ଏସିସି) ଆଦେଶ ଅନୁଯାୟୀ, ସୁବ୍ରମଣ୍ୟମଙ୍କ ତିନି ବର୍ଷର କାର୍ଯ୍ୟକାଳ ନଭେମ୍ବର ୨୦୨୫ରେ ଶେଷ ହେବାକୁ ଥିଲା । ଏହାକୁ ୬ ମାସ ପୂର୍ବରୁ ସରକାର ଶେଷ କରିଛନ୍ତି।

ସୁବ୍ରମଣ୍ୟମ, ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଭାରତର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ଅଗଷ୍ଟରେ ଆଇଏମଏଫରେ ନିଯୁକ୍ତ ହୋଇ ନଭେମ୍ବର ୧, ୨୦୨୨ରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଭାରତ, ବାଂଲାଦେଶ, ଭୁଟାନ ଏବଂ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରୁଥିଲେ। ଆଇଏମଏଫର ଅଫିସିଆଲ ଓ୍ୱେବସାଇଟ ଅନୁଯାୟୀ, ମେ ୩, ୨୦୨୫ ଠାରୁ ଏହି ପଦବୀକୁ “ଖାଲି” ଭାବେ ଚିହ୍ନିତ କରାଯାଇଛି । ହରିଶ୍ଚନ୍ଦ୍ର ପାହାଥ କୁମ୍ବୁରେ ଗେଦାରାଙ୍କୁ ବିକଳ୍ପ ନିର୍ଦ୍ଦେଶକ ଭାବେ ତାଲିକାଭୁକ୍ତ କରାଯାଇଛି।

ସରକାର ଏହି ନିଷ୍ପତ୍ତିର କାରଣ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରି ନାହାଁନ୍ତି। ତେବେ, ସୂତ୍ର ଅନୁଯାୟୀ, ସୁବ୍ରମଣ୍ୟମଙ୍କ ଆଇଏମଏଫ ଡାଟାସେଟ ସମ୍ପର୍କିତ ସମାଲୋଚନା ଏବଂ ତାଙ୍କ ନୂଆ ପୁସ୍ତକ “ଇଣ୍ଡିଆ@୧୦୦”ର ପ୍ରଚାର ସମ୍ବନ୍ଧୀୟ ଅଭିଯୋଗ ଏହାର କାରଣ ହୋଇପାରେ। ଏହା ସହ, ଆଇଏମଏଫରେ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଅସନ୍ତୋଷ ଥିବା ଜଣାପଡ଼ିଛି।

ଏହି ନିଷ୍ପତ୍ତି ମେ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଇଏମଏଫ ବୋର୍ଡ ବୈଠକ ପୂର୍ବରୁ ଆସିଛି । ଏହି ବୈଠକରେ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ଉପରେ ଆଲୋଚନା ହେବ। ଭାରତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ ଆର୍ଥିକ ସହାୟତା ବିରୋଧ କରିବାକୁ ଯାଉଛି, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।

ସୁବ୍ରମଣ୍ୟମଙ୍କ ସ୍ଥାନରେ ନୂଆ ପ୍ରତିନିଧି ନିଯୁକ୍ତି ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅର୍ଥ ସଚିବ ଅଜୟ ସେଠ, ଯିଏ ଜୁନ ୨୦୨୫ରେ ଅବସର ନେବେ, ଏହି ପଦ ପାଇଁ ଆଗରେ ଥିବା କୁହାଯାଉଛି।

Comments are closed.