ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ଆଲୋଚନା ଫେଲ୍ । କାହିଁକି ହେଲାନି ମେଣ୍ଟ ? ଶଙ୍ଖ-ପଦ୍ମ ଏକାଠି ନହେବା ପଛରେ କାରଣ କଣ ? ମେଣ୍ଟ ହଁକୁ ନା କରିବା ପଛରେ କିଏ ? ଏକାଠି ନୁହେଁ ଏକା ଏକା ଚବିଶ ନିର୍ବାଚନ ଲଢିବେ ବିଜେଡି ଓ ବିଜେପି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେପି ସବୁ ଲୋକସଭା ଓ ବିଧାନସଭା ଆସନରେ ଏକା ଲଢିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି । ଓଡିଶାରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଓଡିଆ ଅସ୍ମିତା, ଓଡିଶାର ଗୌରବ ଓ ଓଡିଶାବାସୀଙ୍କ ସ୍ୱାର୍ଥ କଥା କହି ଏକା ଲଢିବାର କନଫିଡେନ୍ସ ଦେଖାଇଛନ୍ତି ମନମୋହନ । ତାଙ୍କ ପୋଷ୍ଟର କିଛି ସମୟ ପରେ ମେଂଟ ଆଲୋଚନା ଫେଲ୍ ମାରିବା ଖବର କନଫର୍ମ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡି ସବୁ ସିଟରେ ଲଢି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବାର ଦମ୍ଭ ଦେଖାଇଛନ୍ତି ବବି । ଏଥିସହ ଗତ ମାସେ ଧରି ମେଂଟକୁ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଦି ଏଣ୍ଡ ହୋଇଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ହୋଇପାରିଲାନି ବିଜେଡି-ବିଜେପି ମେଂଟ ?
୧-ସିଟ୍ ଭାଗବଂଟାରେ ହେଲାନି ସହମତି
ଏକାଠି ଲଢିଲେ କିଏ କେତେ ସିଟରେ ଲଢିବ ? କୁହାଯାଉଛି, ବିଜେଡି-ବିଜେପି ମଧ୍ୟରେ ସିଟ୍ ହିସାବ ଛିଣ୍ଡିଲାନି । ବିଜେଡି ଲୋକସଭା ସିଟ୍ ବିଜେପି ଦାବି ମୁତାବକ ଦେବାକୁ ରାଜି ହେଲେ ବି ୧୧୨ ବିଧାନସଭା ଆସନ ଲଢିବାକୁ ଅଡି ବସିଲା । ଏମିତି ହେଲେ ବିଜେପିକୁ ମାତ୍ର ୩୫ ଆସନ ମିଳିଥାନ୍ତା । ଏତିକି ଆସନରେ ଲଢିବା ଅଫରକୁ ଗ୍ରହଣ କଲାନି ରାଜ୍ୟ ବିଜେପି । ସଂଖ୍ୟା ଛିଣ୍ଡିଲେ ବି କେଉଁ ସିଟ୍ କାହା ଖାତାକୁ ଯିବ, ତାକୁ ନେଇ ବୁଝାମଣା ହୋଇ ପାରିଲାନି । କାରଣ ସବୁଠି ନେତାଙ୍କ ଦଳବଦଳ ପରେ ସମୀକରଣ ଭିନ୍ନ ।
୨- ରାଜି ହେଲାନି ରାଜ୍ୟ ବିଜେପି
ମେଂଟକୁ ନେଇ ପ୍ରଥମରୁ ହିଁ ଅରାଜି ରହିଥିଲା ରାଜ୍ୟ ବିଜେପି । ୧୫ବର୍ଷର ବିରୋଧ ପରେ ବିଜେଡି ସହ ହାତ ମିଳାଇବାକୁ ମାନିଲେନି ଗେରୁଆ ନେତା । କିଛି ନେତାଙ୍କର ତ ବିଜେଡି ସହ ବ୍ୟକ୍ତିଗତ ବିବାଦ ବି ରହିଛି । ଦଳବଦଳ କରି ବିଜେଡିରୁ ବିଜେପିକୁ ଆସିଥିବା ନେତାଙ୍କ ଭବିଷ୍ୟତ ବି ଥିଲା ଦୋଛକିରେ । ସେଥିପାଇଁ କୌଣସି ମତେ ମେଂଟ ପ୍ରସ୍ତାବରେ ରାଜି ନଥିଲେ ରାଜ୍ୟ ବିଜେପି ନେତା ।
୩- ଶାସକ, ବିରୋଧୀ ମେଂଟ ନେଇ କେଁ
ରାଜ୍ୟର ଶାସକ ଦଳ ସହ ମୁଖ୍ୟ ବିରୋଧୀ ଦଳର ମେଂଟକୁ ଗ୍ରହଣଯୋଗ୍ୟ ହେଲାନି । ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ବିରୋଧ କରିଥିବା ବିଜେପି ଏବେ ହଁରେ ହଁ ମାରିବା ଦଳର ବିଶ୍ୱାସନିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା ।
୪- ମେଂଟରୁ କଂଗ୍ରେସର ଲାଭ
ବିଜେଡିର ଆଂଟି ଇନକମ୍ବାନ୍ସିରୁ ବିଜେପିକୁ ଆଗାମୀ ନିର୍ବାଚନରେ ଲାଭ ମିଳିବ ବୋଲି ରାଜ୍ୟ ବିଜେପି ନେତା ଭାବୁଛନ୍ତି । ତେବେ ବିଜେଡି ସହ ମେଂଟ ହେଲେ ଲାଭଠୁ କ୍ଷତି ବଳିଯାଇଥାନ୍ତା । କ୍ଷତିର ସିଧାସଳଖ ଲାଭ କଂଗ୍ରେସ ପାଇପାରେ ବୋଲି ଆଶଙ୍କା କରାଯାଉଥିଲା ।
୫-ସରକାରରୁ ମନ୍ତ୍ରୀପଦ ଅନେକ ମତଭେଦ
ସରକାର ଗଠନ ରୂପରେଖକୁ ନେଇ ବି ଉଭୟ ଦଳ ମଧ୍ୟରେ ମତଭେଦ ରହିଥିଲା । ଆଗାମୀ ନିର୍ବାଚନରେ କେନ୍ଦ୍ରରେ ଏନଡିଏ କ୍ଷମତାକୁ ଆସିଲେ ବିଜେଡି ସମର୍ଥନ ଦେବ ହେଲେ ସରକାରରେ ସାମିଲ ନହେବାକୁ ଅଫର ଦେଇଥିବା ଚର୍ଚ୍ଚା ହୋଇଥିଲା । ସମାନ ଫର୍ମୂଲା ରାଜ୍ୟରେ ଲାଗୁ ହେଲେ ବିଜେପି ନବୀନ ସରକାରକୁ ସମର୍ଥନ ଦେଇ ବି ମନ୍ତ୍ରୀ ପଦ ପାଇନଥାନ୍ତା । ଏଭଳି ଡିଲକୁ ନାପସନ୍ଦ କରିଥିଲେ ରାଜ୍ୟ ବିଜେପି ନେତା । ଏମିତି ହେଲେ ନା ସେମାନେ କ୍ଷମତା ପାଇଥାନ୍ତେ ନା ବିରୋଧ କରିପାରିଥାନ୍ତେ ।
୬- କର୍ମୀ, ସମର୍ଥକଙ୍କ ଅସନ୍ତୋଷ
ବିଜେଡି ବିଜେପି ମେଂଟକୁ ନେଇ ଗ୍ରାଉଣ୍ଡରେ କର୍ମୀ ଓ ସମର୍ଥକ ଅସନ୍ତୁଷ୍ଟ ଥିଲେ । ଶାସକ ଓ ମୁଖ୍ୟ ବିରୋଧୀଙ୍କ ମଧ୍ୟରେ ସମଝୌତାକୁ ନେଇ ତୃଣମୂଳସ୍ତରରେ ଅସନ୍ତୋଷ ବଢୁଥିଲା । ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡିବା ନେଇ ଆଶଙ୍କା କରାଯାଉଥିଲା । ତେଣୁ ଉଭୟ ଦଳ ମେଂଟକୁ ନେଇ ରିସ୍କ ନେବାକୁ ଚାହିଁନଥିବା ଚର୍ଚ୍ଚା ହେଉଛି ।
ଏସବୁ କାରଣକୁ ନେଇ ଦିନ ଦିନ ଧରି ଆଲୋଚନା, ମାରାଥନ୍ ମିଟିଂ, ଚାପ ପରେ ବି ଦୁଇ ଦଳ ମେଂଟ ବୁଝାମଣାରେ ସହମତ ହୋଇ ପାରୁନଥିଲେ । ଶେଷରେ ଆଜି ଉଭୟ ଦଳ ପକ୍ଷରୁ ଏକାକୀ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କୁହାଯାଇଛି ।
Comments are closed.