ଭୁବନେଶ୍ବର: ଅନେକ ଲୋକ ଅଛନ୍ତି ଯେଉଁମାନେ ଶୋଇବା ସମୟରେ ଅଧିକ ଘୁଙ୍ଗୁଡି ମାରି ଥାଆନ୍ତି । ଶୋଇବା ବେଳେ ଏମିତି ଘୁଙ୍ଗୁଡ଼ି ମାରନ୍ତି ଯେ ଆଖପାଖରେ ଶୋଇଥିବା ଲୋକଙ୍କୁ ନିଦ ହୁଏ ନାହିଁ । ତେବେ ଅନେକଙ୍କ କହିବା କଥା ଘୁଙ୍ଗୁଡି ମାରିବା ସାଧାରଣତଃ କଥା। କିନ୍ତୁ କହିରଖୁଛୁ, ଘୁଙ୍ଗୁଡି ଏକ ସ୍ବାସ୍ଥ୍ୟ ସମସ୍ୟା । ଏହି ସମସ୍ୟା ନିଦ ସମୟରେ ଶ୍ୱାସ ନଳୀ ସଙ୍କୁଚିତ ହେବା ଦ୍ୱାରା ଉତ୍ପନ ହୋଇଥାଏ । ଆଉ ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଏ । କେତେକାଂଶରେ ଘୁଙ୍ଗୁଡିର ପ୍ରଭାବ ବୈବାହିକ ଜୀବନ ଉପରେ ପଡିଥାଏ ବୋଲି ଅନେକ ରିପୋର୍ଟରୁ ଜଣାପଡିଛି । ଆମେରିକା ବିଷୟରେ କହିବାକୁ ଗଲେ ଘୁଙ୍ଗୁଡି ପାଇଁ ଛାଡପତ୍ର ହେଉଥିବା ଦମ୍ପତିଙ୍କ ସଂଖ୍ୟା ୨୦ ପ୍ରତିଶତରୁ ବି ଅଧିକ । ତେବେ ଘୁଙ୍ଗୁଡି ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଏହା ଏକ ରୋଗ ସ୍ଲିପ ଆପ୍ନିଆରେ ପୀଡିତ ହେବ ଦ୍ବାରା ସୃଷ୍ଟି ହୋଇଥାଏ ।
ଶୋଇବା ସମୟରେ ଶ୍ୱାସନଳୀରୁ ଉତ୍ପନ୍ନ ହେଉଥିବା ଘାଗଡା ବା ଘଡଘଡିଆ ଶବ୍ଦକୁ ଘୁଙ୍ଗୁଡ଼ି କୁହାଯାଏ। ଘୁଙ୍ଗୁଡ଼ି, ନିଦରେ ଥିବା ସମୟରେ ଗଳାର ରିଲାକ୍ସଡ ବା ନିସ୍ତେଜ ମା°ସପେଶୀ ବା ଟିସୁଗୁଡିକ ମଧ୍ୟଦେଇ ଶ୍ୱାସକ୍ରିୟା ସମୟରେ ପବନ ଆତଯାତ କରିବା ଦ୍ୱାରା କମ୍ପନ ସୃଷ୍ଟି ହୋଇ ଶବ୍ଦ ବା ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ । ପ୍ରାୟତଃ ସମସ୍ତେ ସମୟ-ସମୟରେ ଟିକେଟିକେ ଘୁଙ୍ଗୁଡ଼ି ମାରନ୍ତି, କିନ୍ତୁ ଏହା ଚିନ୍ତାର କାରଣ ସେତେବେଳେ ହୋଇଥାଏ ଯେତେବେଳେ କିଛି ଲୋକଙ୍କ ପାଇଁ ଏହା ନିୟମିତ ଏବଂ ଅନିୟନ୍ତ୍ରିତ ହୋଇଥାଏ । ଯଦି ଏହାକୁ ଠିକ ସମୟରେ ଚିକିତ୍ସା କରାନଯାଏ ତେବେ ହୃଦଘାତ, ବ୍ରେନ ଷ୍ଟ୍ରୋକ୍ ଏବଂ ଉଚ୍ଚ ରକ୍ତଚାପ ତଥା ମଧୁମେହର କାରଣ ହୋଇପାରେ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି ।
ଘୁଙ୍ଗୁଡି ରୋଗର ସଙ୍କେତ…
ତେବେ ଡେଭିଏଟେଡ୍ ନାଜାଲ୍ ସେପ୍ଟମ (ଦୁଇପଟ ନାଶା ରନ୍ଧ୍ରକୁ ଭାଗ କରୁଥିବା ପରଦା ବଙ୍କା ହେବା), ନାଜାଲ୍ ପଲିପ୍ (ନାକ ଭିତରେ ଭାତୁଡି ପରି ଉଠିବା), ଆଲେର୍ଜି କିମ୍ବା ସାଇନସ ଇନଫେକସନ୍ କାରଣରୁ ନାକରେ ଥିବା ଶ୍ୱାସନଳୀ ସଙ୍କୁଚିତ ହେବାକୁ ଆରମ୍ଭ କରେ । ଏଥିସହିତ ଶୋଇବା ସମୟରେ ଗଳା ଏବଂ ଜିଭର ମା°ସପେଷୀ ଅତ୍ୟଧିକ ରିଲାକ୍ସ ବା ନିସ୍ତେଜ ହୋଇ ଗଳାର ପଛ ଅଂଶକୁ ଖସିପଡେ ଏବଂ ଗଳାର ଶ୍ୱାସନଳୀକୁ ବନ୍ଦକରି ଶ୍ୱାସରୁଦ୍ଧ କରେ । ଏହାକୁ ପୁଅର ମସଲ ଟୋନ୍ ଅଫ୍ ଥ୍ରୋଟ୍ ଆଣ୍ଡ୍ ଟଙ୍ଗ୍ କୁହାଯାଏ ।
କିଛି ପିଲାଙ୍କର ବାରମ୍ବାର ଟନ୍ସିଲାଇଟିସ୍ ହୋଇ ଏହା ବଡ ହୋଇଯିବା, ଆଡେନୋଏଡ୍ ଗ୍ଲାଣ୍ଡ୍ ବଡ ହେବା (ଏହା ବୟସ୍କ ସମୟରେ ମଧ୍ୟ ରହିଯାଏ) ତଥା ମେଦବହୁଳତା କାରଣରୁ ଗଳାପାଖ ଥୁଲଥୁଲିଆ ହୋଇଯିବା, ଏସବୁ ମଧ୍ୟ ଗଳାର ଶ୍ୱାସନଳୀକୁ ରୁଦ୍ଧକରି ଘୁଙ୍ଗୁଡ଼ି ଶବ୍ଦ ସୃଷ୍ଟିକରେ । ଲମ୍ବା ତଥା ନରମ ତାଳୁ ଏବଂ ଅପେକ୍ଷାକୃତ ବଡ ଉଭୁଲା ବା ଘଣ୍ଟିକା ହୋଇଥିଲେ, ଶୋଇବା ସମୟରେ ଏହା ନାକ ଏବଂ ଗଳା ମଧ୍ୟରେ ଥିବା ଶ୍ୱାସନଳୀକୁ ବନ୍ଦ କରିଦେଇ ଶବ୍ଦ ବା ଘୁଙ୍ଗୁଡ଼ିର କାରଣ ହୁଏ ।
ଏହାବ୍ୟତୀତ ମସଲ୍ ରିଲାକ୍ସାଣ୍ଟ ଔଷଧ କିମ୍ବା ଅତ୍ୟଧିକ ମଦ୍ୟପାନ ମଧ୍ୟ ଗଳା ଏବଂ ଜିଭର ମା°ସପେଷୀକୁ ନିସ୍ତେଜ କରିଦିଏ, ଯାହାଦ୍ୱାରା ଘୁଙ୍ଗୁଡ଼ି ହୁଏ । ଅତ୍ୟଧିକ ନରମ କିମ୍ବା ଉଚ୍ଚା ତକିଆ ବ୍ୟବହାର ତଥା ପିଠିରେ ବା ଚିତହୋଇ ଶୋଇବା ଦ୍ଵାରା ମଧ୍ୟ ଗଳାପାଖ ଶ୍ୱାସନଳୀ ରୁଦ୍ଧ ହୋଇ ଘୁଙ୍ଗୁଡ଼ି ସୃଷ୍ଟି ହୁଏ । ସଠିକ ପରିମାଣର ନିଦ୍ରା ନ ମିଳିବା, ଅତ୍ୟଧିକ ପରିଶ୍ରମ ଏବଂ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଶୋଇବା ସମୟରେ ଗଳା ମାଂସପେଷୀକୁ ନିସ୍ତେଜ କରିଦେଇ ଘୁଙ୍ଗୁଡ଼ି ସୃଷ୍ଟି କରିଥାଏ ।
କେମିତି ପାଇବେ ମୁକ୍ତି?
ତେବେ ଏହାର ସବୁଠୁ ଭଲ ଉପଚାର ହେଉଛି ଯୋଗ ଏବଂ ପ୍ରାଣାୟାମ କରିବା । କପାଳଭାତି, ଭସ୍ତ୍ରୀକା ଭଳି ପ୍ରଣାୟମ ଦ୍ବାରା ଆମ ସାଇନସ ଏବଂ ହାର୍ଟ ଉଭୟ ସୁସ୍ଥ ରହିଥାଏ । ଯାହାଦ୍ବାରା ନାସାରନ୍ଧ୍ରରେ କୌଣସି ପ୍ରକାର ମ୍ୟୁକସ୍ ସୃଷ୍ଟି ହେବାକୁ ଦିଏ ନାହିଁ । ଫଳରେ ନାସାରନ୍ଧ୍ର ସଫା ରହିଥାଏ । ଏଥିସହିତ ଶୋଇବା ସମୟରେ ଶୋଇବାରେ ସମୟାନୁବର୍ତ୍ତିତା, ଚିତହୋଇ ନ ଶୋଇ କଡମାଡି ଶୋଇବା, ପତଳା ତକିଆ କାନ୍ଧତଳ ପର୍ଯ୍ୟନ୍ତ ରଖିବା, ଖଟର ମୁଣ୍ଡପାଖ ଅ°ଶ ସାମାନ୍ୟ ଉଚ୍ଚା ରଖିବା (ଅଣ୍ଟାଠାରୁ ଉପରକୁ) ରଖିବା ଉଚିତ୍ ।