ପ୍ରୟାଗ: ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନନ୍ୟ ସାଧୁମାନେ ପହଞ୍ଚିଛନ୍ତି। ତେବେ ଏଠାକୁ ଆସିଥିବା ବାବା ମାନଙ୍କ ଭିନ୍ନଭିନ୍ନ ଅନ୍ଦାଜ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
* କମ୍ପ୍ୟୁଟର ବାବା ଦାସ ତ୍ୟାଗୀ ନାମକ ଜଣେ ବାବା ସବୁବେଳେ ତାଙ୍କ ସହିତ ଏକ ଲାପଟପ୍ ରଖିବା ସହ କାର୍ଟୁନ୍ ଦେଖୁଥାନ୍ତି। ୧୯୯୮ ରେ ନରସିଂହପୁରର ଜଣେ ସାଧୁ ତାଙ୍କୁ ଏହି ନାମ ଦେଇଥିଲେ। ଗ୍ୟାଜେଟ୍ ଏବଂ ଟେକ୍ନୋଲୋଜି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି।
* ପରିବେଶ ବାବା ଭାବେ ପରିଚିତ ଆବାହନ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳଶ୍ୱରର ଅରୁଣା ଗିରି ଅଗଷ୍ଟ ୨୦୧୬ରେ ବୈଷ୍ଣବ ଦେବୀ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୨୭ ଲକ୍ଷ ଗଛ ଚାରା ବାଣ୍ଟିଥିଲେ। ସେବେଠାରୁ ତାଙ୍କୁ ପରିବେଶ ବାବା କୁହାଯାଏ। ଏଥର ମହାକୁମ୍ବରେ ସେ ୫୧ ହଜାର ଚାରା ରୋପଣ କରିବାର ଲକ୍ଷ୍ୟ ରଖିଛନ୍ତି।
* ହାତ ଟେକା ବାବା ଭାବେ ପରିଚିତ ଦିଗମ୍ବର ହରିବଂଶ ଗିରି ୫ ବର୍ଷ ଧରି ହାତ ଉପରକୁ ଉଠାଇ ଚାଲିଆସୁଛନ୍ତି ଏବଂ ସେ ଏହି ଅବସ୍ଥାରେ ୧୨ ବର୍ଷ ରହିବାକୁ ସ୍ଥିର କରିଛନ୍ତି। ସନାତନ ଧର୍ମର ପ୍ରସାର ଏବଂ ଦେଶର ବିକାଶ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।
* ମହାକାଳ ଗିରି ବାବା ଗତ ୯ ବର୍ଷ ଧରି ତାଙ୍କର ଗୋଟିଏ ହାତ ଉପରକୁ ଉଠାଇ ରଖିଛନ୍ତି ଓ ଏହି ହାତରେ ଥିବା ନଖ ତାଙ୍କ ଆଙ୍ଗୁଠି ଠାରୁ ମଧ୍ୟ ବଡ ହୋଇସାରିଛି। ମହାକାଳଗିରି ବାବା ରାଜସ୍ଥାନର ଯୋଧପୁରର ବାସିନ୍ଦା ଅଟନ୍ତି।
* ଡିଜିଟାଲ୍ ମୌନବ୍ରତ ବାବା ରାଜସ୍ଥାନର ଉଦୟପୁରର ଅଟନ୍ତି। ସେ ୧୨ ବର୍ଷ ଧରି ନୀରବତା ପାଳନ କରି ଆସୁଛନ୍ତି। ସେ କଥାବାର୍ତ୍ତା ପାଇଁ କୌଣସି କାଗଜ କଲମର ବ୍ୟବହାର ନ କରି ଡିଜିଟାଲ୍ ମାଧ୍ୟମରେ ନିଜ ଶିଷ୍ୟମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି|
* ରୁଦ୍ରାକ୍ଷ ବାବା ଶରୀରରେ ୧୦୮ ରୁଦ୍ରାକ୍ଷର ମାଳା ପରିଧାନ କରିଛନ୍ତି। ଯେଉଁଥିରେ ମୋଟ ୧୧,୦୦୦ ରୁଦ୍ରାକ୍ଷ ଅଛି ଯାହାର ଓଜନ ୩୦ କିଲୋଗ୍ରାମରୁ ମଧ୍ୟ ଅଧିକ।
* ମହନ୍ତ ରାଜ ଗିରି ନାଗା ବାବା ୩୫ ବର୍ଷ ଧରି ଏକ ଆମ୍ବାସଡର କାରରେ ପରିଭ୍ରମଣ କରୁଛନ୍ତି। ତାଙ୍କର ଖାଇବା, ପିଇବା, ଶୋଇବା ଏବଂ ରହିବା ବ୍ୟବସ୍ଥା ମଧ୍ୟ ଏହି କାରରେ କରିଛନ୍ତି। ଯାହା ଫଳରେ ତାଙ୍କୁ ଆମ୍ବାସଡର ବାବା କୁହାଯାଏ।
Comments are closed.