Latest Odisha News

BREAKING NEWS

କାହିଁକି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନୁହେଁ ସମ୍ବଲପୁରରେ ଜନଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ପହଞ୍ଚିଥିଲେ । ଜନଶୁଣାଣି ପାଇଁ ହଜାରେ ଜଣ ଅନଲାଇନରେ ପଞ୍ଜୀକରଣ କରିଥିବା ବେଳେ ୪ଶହ ଜଣଙ୍କ ଅଭିଯୋଗପତ୍ର ଅଫଲାଇନରେ ଗ୍ରହଣ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, ଭୁବନେଶ୍ବର ଛାଡି ସମ୍ବଲପୁରରେ ଜନଶୁଣାଣି ପଛରେ କାରଣ କଣ? କାହିଁକି ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ ସହ ଯାଇ ସମ୍ବଲପୁରରେ ଜନଶୁଣାଣି କରିଛନ୍ତି? କାହିଁକି ସମ୍ବଲପୁରକୁ ହିଁ ବଛାଯାଇଛି?

ପଶ୍ଚିମ ଓଡିଶାକୁ ଫୋକସ୍

ରାଜ୍ୟରେ କ୍ଷମତାକୁ ଆସିବା ପୂର୍ବରୁ ହିଁ ପଶ୍ଚିମ ଓଡିଶା ବିଜେପି ସହ ରହିଛି । ୨୦୧୯ରେ ବିଜେଡିର ଦବଦବା ସତ୍ବେ ଉପକୂଳ ଓଡିଶା ଅପେକ୍ଷା ପଶ୍ଚିମ ଓଡିଶାରୁ ଅଧିକ ଭୋଟ୍ ପାଇଥିଲା ବିଜେପି । ଆଉ ସେଥିପାଇଁ ଗତ ନିର୍ବାଚନରେ ପଶ୍ଚିମ ଓଡିଶାକୁ ଫୋକସ୍ କରିଥିଲା ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ହେଭିଓ୍ବେଟ୍ ନେତା ସମ୍ବଲପୁରରୁ ନିର୍ବାଚନ ଲଢିଥିଲେ । ସ୍ଥିତି ଏମିତି ହେଲା ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଝିରୁ ନିର୍ବାଚନ ଲଢିବାକୁ ପଡିଲା । ସେଠି ବି ସେ ହାରିଲେ । ତେଣୁ ଆଗକୁ ପଞ୍ଚାୟତ, ପୌର ନିର୍ବାଚନ ଥିବା ବେଳେ ବିଜେପି ସରକାର ସମ୍ବଲପୁରରେ ଜନଶୁଣାଣି କରି ପଶ୍ଚିମ ଓଡିଶାକୁ ଫୋକସ୍ କରୁଛନ୍ତି । କଂଗ୍ରେସ ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ସହ ପଶ୍ଚିମ ଓଡିଶାରେ ଦଳର ଆଧାର ବଢାଇବାକୁ ଗୁରୁତ୍ବ ଦେଉଛି । ତେଣୁ ନିଜ ପାରମ୍ପରିକ ଭୋଟବ୍ୟାଙ୍କ ହାତରେ ରଖିବାକୁ ବିଜେପି ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

ବିଜେପି ଏକତାର ବାର୍ତ୍ତା

ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅନେକ ସମୟରେ ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆରେ ପକାଉଛନ୍ତି । ସେ ଦଳରେ କୋଣଠେସା ହୋଇ ରହିଥିବା ତଥା ତାଙ୍କୁ ଅବହେଳା କରାଯାଉଥିବା ନେଇ ଚର୍ଚ୍ଚା ବି ହେଉଛି । ତେବେ ତାଙ୍କ ବିବାଦୀୟ ବୟାନ ନେଇ ନିରବ ରହିଛି ଦଳ । ବନ୍ଦେ ଉତ୍କଳ ଜନନୀ ବିବାଦରେ ବି ସରକାର ମୁହଁ ଖୋଲିନାହାନ୍ତି । ନା ଜୟନାରାୟଣଙ୍କ ବିରୋଧରେ କିଛି ଆକ୍ସନ୍ ନେଇଛନ୍ତି ନା ବୟାନକୁ ନିନ୍ଦା କରିଛନ୍ତି । ସେପଟେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି । ତେଣୁ ସମ୍ବଲପୁରରେ ଜନଶୁଣାଣି କରି ବିଜେପି ସରକାରରେ ଏକତାର ବାର୍ତ୍ତା ଦେଇଛନ୍ତି ମୋହନ ମାଝୀ।

ଲୋକଙ୍କ ସରକାରର ସନ୍ଦେଶ

କ୍ଷମତାକୁ ଆସିବା ପରଠୁ ବିଜେଡି ସରକାରକୁ ଟାର୍ଗେଟ୍ କରିବା ସହ ନିଜକୁ ଲୋକଙ୍କ ସରକାର ଭାବେ ପ୍ରୋଜେକ୍ଟ କରୁଛି ବିଜେପି। ଆଉ ସେଇ କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୁଣି ଆରମ୍ଭ କରାଯାଇଥିଲା । ଭୁବନେଶ୍ବରରେ ଲୋକଙ୍କ ସମସ୍ୟା ସିଧାସଳଖ ଶୁଣୁଥିଲେ ମୁଖ୍ୟମନ୍ତ୍ରୀ । ତେବେ ସମ୍ବଲପୁର ଯାଇ ଲୋକ ସରକାର ପାଖକୁ ନୁହେଁ ବରଂ ସରକାର ନିଜେ ଲୋକଙ୍କ ପାଖକୁ ଆସିଥିବାର ସନ୍ଦେଶ ଦେଇଛନ୍ତି । ସରକାର ଆଉ ଲୋକଙ୍କ ମଧ୍ୟରେ ଆଉ ଦୂରତା ନାହିଁ । ସରକାର ଆଉ ଅପହଞ୍ଚ ନୁହନ୍ତି ବୋଲି ବିଜେପି ସରକାର ସମ୍ବଲପୁରରୁ ବଡ଼ ସନ୍ଦେଶ ଦେବା ସହ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ଉଦ୍ୟମ କରିଛନ୍ତି । ରାଜ୍ୟରେ ବିଜେପି ସରକାରକୁ ୧୦ମାସ ପୂରିଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇ ପାରିନାହାନ୍ତି । ତେବେ ନିଜକୁ ଲୋକଙ୍କ ସରକାର ଭାବେ ପ୍ରଦର୍ଶିତ କରିବାକୁ ରାଜଧାନୀ ବାହାରେ ଜନଶୁଣାଣି ଆୟୋଜନ କରିଥିବା କୁହାଯାଉଛି ।

Comments are closed.