Latest Odisha News

BREAKING NEWS

କାହିଁକି ପବିତ୍ର ଗଙ୍ଗା, କଣ କହୁଛି ଧର୍ମଶାସ୍ତ୍ର

ଭୁବନେଶ୍ଵର: ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜୀବନରେ ଗଙ୍ଗା ନଦୀର ଏକ ବିଶେଷ ସ୍ଥାନ ରହିଛି । ଲୋକମାନେ ଗଙ୍ଗାକୁ ପବିତ୍ର ମନେ କରନ୍ତି ଏବଂ ଏହାକୁ ପୂଜା କରନ୍ତି । ଏପରିକି ଏହାର ତୁଳନା ଅମୃତ ସହ କରାଯାଇଥାଏ । ଏଭଳି ବି ମାନ୍ୟତା ରହିଛି ଗଙ୍ଗା ଜଳରେ ଅନେକ ରୋଗକୁ ଦୂର କରିବାର ସାମର୍ଥ୍ୟ ରହିଛି । ଗଙ୍ଗା ଜଳ ବିଷୟରେ ଆଉ ଏକ ପ୍ରଚଳିତ କଥା ମଧ୍ୟ ରହିଛି । କୁହାଯାଏ ଏହାର ପାଣି କେବେ ବି ଅଶୁଦ୍ଧ ହୁଏ ନାହିଁ । ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ ବିନାଶକ ଅଟେ। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି କୁହାଯାଏ।

ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ଗଙ୍ଗା ହେଉଛି ସ୍ୱର୍ଗର ନଦୀ, ଯାହାକୁ ରାଜା ଭାଗୀରଥ ନିଜର ତପସ୍ୟା ବଳରେ ଧରତ୍ରୀକୁ ଆଣିଥିଲେ। ସେହି ସମୟରେ ଗଙ୍ଗା ନଦୀର ବେଗ ଏତେ ପ୍ରଖର ଥିଲା ଯେ, ସ୍ୱୟଂ ଶିବ ତାଙ୍କ ଜଟାରେ ଏହାକୁ ବାନ୍ଧି ରଖିଥିଲେ । ଗଙ୍ଗା ନଦୀ ପାପ ନାଶ କରିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମୃତ ବ୍ୟକ୍ତିଙ୍କ ଅସ୍ଥି ଗଙ୍ଗାଗଳରେ ବିସର୍ଜନ କରାଯାଏ । ପୂଜା,ବ୍ରତ, ଓଷା ଆଉ ବିବାହ, ସବୁଠି ଲୋଡ଼ା ହୁଅନ୍ତି ଗଙ୍ଗାଜଳ। କାହିଁକି ନା ପବିତ୍ରଶୋଧନ କରିବା ପାଇଁ କେବଳ ଗଙ୍ଗାଙ୍କର ହିଁ ଆବଶ୍ୟକତା ହୁଏ। ପ୍ରତ୍ୟେକ ଭାରତୀୟ ହିନ୍ଦୁ ପରିବାରରେ ଆପଣ ଗଙ୍ଗାଜଳ ନିଶ୍ଚିନ୍ତ ଦେଖିବାକୁ ପାଇବେ। କାରଣ ପବିତ୍ରତାର ଅନ୍ୟ ନାମ ହିଁ ଗଙ୍ଗା। ଗଙ୍ଗାମାତା କେବଳ ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ସେ ମୁକ୍ତିଦାୟିନୀ, ପାପନାସିନୀ ମହାଶକ୍ତି। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି ପୂରାଣ କୁହେ।

ଶାସ୍ତ୍ରରେ କୁହାଯାଇଛି ଯେ, ଗଙ୍ଗାଙ୍କର ଜନ୍ମ ଭଗବାନ ବୁଷ୍ଣୁଙ୍କ ପାଦରୁ ହୋଇଥିଲା। ଏହା ସହିତ ମାନ୍ୟତା ଅଛି ଯେ, ଗଙ୍ଗା ନଦୀର ନିବାସ ସ୍ଥଳ ହେଉଛି ଭଗବାନ ଶିବଙ୍କର ଜଟା। ଦେବତାଙ୍କର ସ୍ବଅଙ୍ଗରୁ ଝରି ଯାଉଥିବା ଅବିରତ ଜଳଧାରା ଯେତେବେଳେ ଗଙ୍ଗା, ସେତେବେଳେ ଅପବିତ୍ରତାର ପ୍ରଶ୍ନ ଉଠିବ ବା କେମିତି? ସେ ଚିରସ୍ରୋତା, ଅବିରତଧାରା ଆଉ ପବିତ୍ରତାର ଏକ ପୂର୍ଣ୍ଣ ପରିଚିତା ସରିତା। ଗଙ୍ଗା ଜଳକୁ ନିୟମିତ ପ୍ରୟୋଗ କଲେ, ରୋଗ ଦୂରରେ ରହିଥାଏ ବୋଲି ବାସ୍ତୁରେ କୁହାଯାଇଛି। ଗଙ୍ଗା ନଦୀ କୂଳରେ ଥିବା ତୀର୍ଥ ସ୍ଥାନକୁ ପବିତ୍ର ବୋଲି କୁହାଯାଇଥାଏ। କୁହାଯାଏ ଏହି ସ୍ଥାନକୁ ତୀର୍ଥ କରିବାକୁ ଗଲେ ଖୁସିର ଆଗମନ ହୋଇଥାଏ ଏବଂ ବ୍ୟକ୍ତି ମଧ୍ୟରେ ଥିବା ଅହଙ୍କାର ଦୂର ହୋଇଥାଏ।

ଠିକ୍‌ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ,ଠିକ୍‌ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ। ଭଗବତୀ ଗଙ୍ଗାଙ୍କ ଉଦ୍‌ଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ। ପାପୀଠୁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ। ସେଥିପାଇଁ ଜୀବନରେ ଥରେ ମାତ୍ର ଗଙ୍ଗା ନଦୀର ଦର୍ଶନ ନିଶ୍ଚନ୍ତ କରିବା ଉଚିତ୍‌। କେବଳ ଯେ ଧାର୍ମିକ ଦୃଷ୍ଟିକୋଣ ତା ନୁହେଁ ବୈଜ୍ଞାନିକ ମାନେ ମଧ୍ୟ ଗଙ୍ଗାଜଳକୁ ଲାଭ ବିଷୟରେ କହିଛନ୍ତି । ସେଥିପାଇଁ ଗଙ୍ଗାଜଳକୁ ଏତେ ପବିତ୍ର ଏବଂ ଶୁଦ୍ଧ ବୋଲି କୁହାଯାଇଥାଏ ।

 

Comments are closed.