ନୂଆଦିଲ୍ଲୀ: ଜୁନ୍ ୧୩ତାରିଖରେ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ଇସ୍ରାଏଲ୍ । ଟାର୍ଗେଟରେ ଥିଲା ଇରାନର ସେନା ଓ ପରମାଣୁ ଠିକଣା । ଅପରେସନ୍ ରାଇଜିଂ ଲାୟନ ନାମକରଣ କରାଯାଇଥିବା ଏହି ଆକ୍ରମଣରେ ସାମିଲ ହୋଇଥିଲେ ୨ଶହରୁ ଅଧିକ ଲଡାଖୁ ବିମାନ । ତେବେ ଇସ୍ରାଏଲ୍ ଜାଣିଶୁଣି ଆକ୍ରମଣର ସମୟ ଅତି ଚତୁରତାର ସହ ବାଛିଥିବା ବିଶେଷଜ୍ଞ କହିଛନ୍ତି । ଏମିତି ସମୟରେ ଇସ୍ରାଏଲ୍ ଆକ୍ରମଣ କରିଛି ଯେତେବେଳେ ଇରାନକୁ ସହାୟତା କରିପାରବନି ଏହାର ପ୍ରମୁଖ ସହଯୋଗୀ ଋଷ। ଇରାନର ବାକି ସହଯୋଗୀ ମଧ୍ୟ ସହାୟତା କରିବାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି ।
ଆକ୍ରମଣ ସମୟ ବାଛିବା ପଛର କାରଣ
ଇରାନର ସହଯୋଗୀ ନିଜ ନିଜ ସମସ୍ୟା ସହ ଲଢୁଥିବା ବେଳେ ଏହା ଉପରେ ଆକ୍ରମଣ କରିବାକୁ ନିଷ୍ପତି ନେଇଛି ଇସ୍ରାଏଲ୍ । ଇରାନର ପ୍ରମୁଖ ସହଯୋଗୀ ଋଷ ଏବେ ୟୁକ୍ରେନ୍ ସହ ଯୁଦ୍ଧରେ ଫସିରହିଛି । ୨୦୨୨ରୁ ଚାଲିଥିବା ଏହି ଯୁଦ୍ଧ ଋଷକୁ ଉଭୟ ସାମରିକ ଓ ଆର୍ଥିକ ଭାବେ ଦୁର୍ବଳ କରିଛି । ଫଳରେ ଋଷ ନା ଏବେ ଅଧିକ ହତିଆର ପଠାଇପାରିବ ନା ସେନା ସହାୟତା । ସେହିପରି ଚୀନ୍ ଇରାନର ପ୍ରମୁଖ ବାଣିଜ୍ୟ ସହଯୋଗୀ । ତେବେ ଚୀନ ଇରାନ୍-ଇସ୍ରାଏଲ୍ ସଂଘର୍ଷରେ ନିରବ ରହିଛି । ଚୀନ୍ ଇସ୍ରାଏଲ୍ ଓ ଆରବ ଦେଶ ସହ ବାଣିଜ୍ୟ କରୁଥିବାରୁ ଖୋଲାଖୋଲି ଇରାନକୁ ସମର୍ଥନ କରିପାରୁନି । ୨୦୨୫ରେ ଚୀନର ଅର୍ଥବ୍ୟବସ୍ଥା ମଧ୍ୟ ମନ୍ଦାବସ୍ଥାର ସାମନା କରୁଛି । ଯୁଦ୍ଧ ବଢିଲେ ବିଶ୍ବରେ ତୈଳ ଦରବୃଦ୍ଧି ହେବ, ତେବେ ନିଜକୁ ଏଥିରୁ ରକ୍ଷା କରିବାକୁ ଚାହୁଁଛି ଚୀନ୍ । ତେଣୁ ଇରାନକୁ କୁଟନୈତିକ ସହାୟତା କଲେ ବି ସାମରିକ ସହାୟତା ଦେଉନି ଚୀନ ।
ଏସବୁ ଦେଶ ବି ଦୂରରେ
ସାଉଦି ଆରବ, ୟୁଏଇ ଓ ଅନ୍ୟ ଗଲଫ ଦେଶଗୁଡିକର ଇରାନ ସହ ସଂପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ୨୦୨୩ରେ ସାଉଦି ଆରବ ଓ ଇରାନ ଚୀନର ମଧ୍ୟସ୍ଥତାରେ ସଂପର୍କ ସୁଧାରିବାକୁ ଉଦ୍ୟମ କରିଥିଲେ । ତେବେ ଏସବୁ ଦେଶ ଖୋଲାଖୋଲି ଇସ୍ରାଏଲ ବିରୋଧରେ କହୁନାହାନ୍ତି । ସେପଟେ ଇସ୍ରାଏଲକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ମଜବୁତ ସମର୍ଥନ ମିଳିଛି । ଆମେରିକା ଇସ୍ରାଏଲକୁ ଏଫ୍-୩୫ ବିମାନ, ବୋମା ଓ ମିସାଇଲ ଦେଇଛି । ସେହିପରି ଆମେରିକା ନୌସେନା ଭୁମଧ୍ୟସାଗରରେ ମୁତୟନ ହୋଇ ଇସ୍ରାଏଲକୁ ସୁରକ୍ଷା ଦେଉଛି । ସେପଟେ ଆମେରିକା ଇରାନ ଉପରେ କଟକଣା ଲଗାଇଛି, ଫଳରେ ଇରାନର ତେଲ ବିକ୍ରି ଓ ଅସ୍ତ୍ରଶସ୍ତ୍ର କିଣିବା କ୍ଷମତା କମିଛି ।
ଇରାନର ଆଭ୍ୟନ୍ତରୀଣ ଦୁର୍ବଳ
ଆମେରିକା ପ୍ରତିବନ୍ଧକ, ମୁଦ୍ରାସ୍ଫୀତି ଓ ବେରୋଜଗାରୀ ସହ ଯୁଝୁଛି ଇରାନର ଅର୍ଥବ୍ୟବସ୍ଥା । ଇରାନୀ ରିୟାଲର ମୂଲ୍ୟ ଲଗାତର କମିବାରେ ଲାଗିଛି । ସେଠାକାର ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଇରାନ ସେନା ପାଖରେ ହତିଆର ଓ ସ୍ପେୟାର ପାର୍ଟର ଅଭାବ ରହିଛି । ଦେଶର ଅଧିକାଂଶ ଲଡାଖୁ ବିମାନ ପୁରୁଣା ହୋଇଥିବା ବେଳେ ଆକାଶମାର୍ଗରେ ପ୍ରତିରକ୍ଷା ପ୍ରଣାଳୀ ସୀମିତ ରହିଛି । ହମାସ ଓ ହିଜବୁଲ୍ଲାହ ପରି ଇରାନ ସମର୍ଥିତ ସଂଗଠନ ଇସ୍ରାଏଲ ସହ ପୂର୍ବରୁ ଯୁଦ୍ଧ କରୁଛନ୍ତି । ଫଳରେ ଇରାନର ସେନା କ୍ଷମତା ବାଣ୍ଟି ହୋଇରହିଛି । ଇରାନ ଆଭ୍ୟନ୍ତରୀଣ ଭାବେ ଦୁର୍ବଳ ଥିବା ସମୟରେ ହିଁ ହମଲା କରିଛି ଇସ୍ରାଏଲ୍ ।
ଲମ୍ବା ସମୟ ଧରି ଇରାନ ଉପରେ ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ କରିଛି ଇସ୍ରାଏଲ୍ । ରାଡାରରେ ଧରାପଡୁନଥିବା ଅତ୍ୟାଧୁନିକ ଏଫ୍-୩୫ଆଇ ଆଦିର ବିମାନକୁ ଆକ୍ରମଣ ପାଇଁ ବ୍ୟବହାର କରିଛି । ଇରାନର ପରମାଣୁ ପ୍ଲାଣ୍ଟ ଓ ତୈଳ, ଗ୍ୟାସ ଫ୍ୟାକ୍ଟ୍ରିକୁ ନିଶାନା ବନାଇଛି ଇରାନ । ତେବେ ହମଲା ପୂର୍ବରୁ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଆକ୍ରମଣ ପାଇଁ ସଠିକ ତଥ୍ୟ ସଂଗ୍ରହ କରିଥିଲା । ଆକ୍ରମଣର ଟାଇମିଂକୁ ଚତୁରତାର ସହ ନିର୍ଦ୍ଧାରଣ କରାଯାଇଥିଲା । ଇରାନ ନିଜେ ଦୁର୍ବଳ ଥିବା ବେଳେ ଏହାର ସହଯୋଗୀ ଯେପରି ସହାୟତା କରିପାରିବେନି ସେନେଇ ଦୃଷ୍ଟି ଦେଇ ରଣନୀତି ପ୍ରସ୍ତୁତ କରିଛି ଇସ୍ରାଏଲ୍ ।
Comments are closed.