Latest Odisha News

ହରାଇ ଦେଲେ ହୁଡ୍ଡା?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ଏଜଜିଟ୍ ପୋଲ୍‌ର ପୂର୍ବାନୁମାନରେ ବେଶ୍ ଉତ୍ସାହିତ ହୋଇପଡିଥିଲେ କଂଗ୍ରେସ ନେତା । ସ୍ପଷ୍ଟ ବହୁମତ ସହ କଂଗ୍ରେସ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଥିଲେ ସବୁ ଏକଜିଟ୍ ପୋଲ୍ । ସମ୍ଭାବ୍ୟ ବିଜୟରେ ଆରମ୍ଭ ହୋଇଯାଇଥିଲା ଆଗୁଆ ସେଲିବ୍ରେସନ । ଭୋଟ୍ ଗଣତି ଦିନ ପ୍ରାରମ୍ଭିକ ଟ୍ରେଣ୍ଡ୍ ଏକଜିଟ୍ ପୋଲ୍ ଅନୁସାରେ ଯାଇଥିଲା । କିନ୍ତୁ ସମୟ ବଢିବା ସହ ବଦଳିଯାଇଥିଲା ଟ୍ରେଣ୍ଡ୍ । ଭୁଲ୍ ସାବ୍ୟସ୍ତ ହୋଇଥିଲା ସବୁ ପୂର୍ବାନୁମାନ । ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟର ହ୍ୟାଟ୍ରିକ ମାରିଲା ବିଜେପି । ୪୮ ଆସନ ସହ ବିଧାନସଭା ନିର୍ବାଚନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କଲା । ହରିୟାଣା ଇତିହାସରେ ଲଗାତର ତୃତୀୟ ଥର ନିର୍ବାଚନ ଜିତି ନୂଆ ଇତିହାସ ରଚିଲା ବିଜେପି । ନିର୍ବାଚନ ଫଳାଫଳରେ କଂଗ୍ରେସ ସ୍ତବ୍ଧ । ଏମିତି ହେବ ବୋଲି କେହି ଭାବି ନଥିଲେ । ବିଜୟ ନିଶ୍ଚିତ ବୋଲି କଂଗ୍ରେସ ଭାବିଥିଲା । ହେଲେ ସବୁ ଓଲଟପାଲଟ ହୋଇଗଲା । ଏହି ଅପ୍ରତ୍ୟାଶିତ ପରାଜୟ ପାଇଁ ଭୁଲ୍ କେଉଁଠି ରହିଲା, ସେ ନେଇ ଆରମ୍ଭ ହୋଇଛି ଆଲୋଚନା -ପର୍ଯ୍ୟାଲୋଚନା ।

ହୁଡ୍ଡାଙ୍କୁ ‘ଫ୍ରି ହ୍ୟାଣ୍ଡ୍‌’ ହେଲା ବୁମେରାଂ ?
ହରିୟାଣାରେ ଏଥର ବିଜେପି ବିଦା ହେବ ବୋଲି ସମସ୍ତେ ଭାବିଥିଲେ । ସରକାର ବିରୋଧୀ ହାୱା ସହ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କଂଗ୍ରେସ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲା । କୃଷକ ଆନ୍ଦୋଳନ, ଜାଠ୍ ଅସନ୍ତୋଷ ଭଳି ପ୍ରସଙ୍ଗ କଂଗ୍ରେସ ବିଜୟରେ ସହାୟକ ହେବ ବୋଲି ଆଶା କରଥିଲେ ଦଳୀୟ ନେତା । ତେବେ ଗୋଷ୍ଠୀ କନ୍ଦଳ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ହମ୍ ବଡା ଆଭିମୁଖ୍ୟ କଂଗ୍ରେସ ପାଇଁ କାଳ ହେଲା ବୋଲି ବିଶେଷଜ୍ଞମାନେ କହିଛନ୍ତି । ଟିକେଟ ବଂଟନରେ ହୁଡ୍ଡାଙ୍କୁ ଦିଆଯାଇଥିଲା ଫ୍ରି ହ୍ୟାଣ୍ଡ୍ , ଯାହା କି ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଅସନ୍ତୁଷ୍ଟ କରିଥିଲା । କୁମାରୀ ଶୈଳଜାଙ୍କ ପରି ବରିଷ୍ଠ ନେତ୍ରୀ ହୁ୍‌ଡ୍ଡାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ସେମାନେ ପ୍ରଚାରରୁ ଦୂରେଇ ରହିଥିଲେ ବା ଡେରିରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ହୁଡ୍ଡାଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଗଭୀର ଆସ୍ଥା ବୁମେରାଂ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଦଳୀୟ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରହିଲେ ହୁଡ୍ଡା
କୁହାଯାଉଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଦଳ ଭିତରେ ନିଜର ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରହିଥିଲେ । ନିର୍ବାଚନ ପ୍ରଚାର ଓ ରଣନୀତି ପ୍ରସ୍ତୁତିରେ ଅନ୍ୟ ବରିଷ୍ଠ ନେତାଙ୍କୁ ସାମିଲ କରିନଥିଲେ ହୁଡ୍ଡା । ଏଥିଯୋଗୁଁ ହୁଡ୍ଡା ଓ ତାଙ୍କ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିରାଟ ବ୍ୟବଧାନ । ହୁଡ୍ଡାଙ୍କ ଅନୁଗତଙ୍କୁ ସିଂହଭାଗ ଟିକେଟ ମିଳିଥିଲା, ଯାହା କି କୁମାରୀ ଶୈଳଜା ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅସନ୍ତୁଷ୍ଟ କରିଥିଲା। କଂଗ୍ରେସରେ ଖୋଲା ଗୋଷ୍ଠୀ କନ୍ଦଳ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିଥିଲା ।

ଭୋଟ୍ ପୂର୍ବରୁ ସିଏମ କୁର୍ସି ପାଇଁ ଏକାଧିକ ଦାବିଦାର

ନିର୍ବାଚନ ପ୍ରଚାରରେ ଗୁରୁତ୍ୱ ଦେବା ଅପେକ୍ଷା ଏକାଧିକ ନେତା ନିଜ ନିଜକୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ । ଏପରିକି ରାଜ୍ୟରେ କଂଗ୍ରେସର ପ୍ରମୁଖ ଦଳିତ ଚେହେରା କୁମାରୀ ଶୈଳଜା ମଧ୍ୟ ନିଜକୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ । ମୁଖ୍ୟମନ୍ତ୍ରୀ ହେବାକୁ ଏକାଧିକ ନେତାଙ୍କ ଦାବି ଏକ ନକାରାତ୍ମକ ସନ୍ଦେଶ ଦେଇଥିଲା ।

ଦୃଢ ରଣନୀତି ବିନା ନିର୍ବାଚନ ପ୍ରଚାର
ନିର୍ବାଚନ ପ୍ରଚାରରେ କଂଗ୍ରେସ କେବଳ ଗୋଟିଏ ଦୁଇଟି ପ୍ରସଙ୍ଗ ଉପରେ ଅଧିକ ନିର୍ଭରଶୀଳ ହୋଇଥିଲା । କୃଷକ ଓ ରେସଲରଙ୍କ ବିକ୍ଷୋଭ ଓ ପ୍ରତିବାଦକୁ ଅଧିକ ପ୍ରାଧାନ୍ୟ ଦେଇଥିଲା କଂଗ୍ରେସ । ଜାଠ୍ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । ଜାଠ୍ ଭୋଟ ଉପରେ ଅଧିକ ନିର୍ଭରଶୀଳ ହେବା ଯୋଗୁଁ ଦଳିତ ଓ ଓବିସି ଭୋଟ୍ ବିଜେପିକୁ ଯାଇଥିଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Leave A Reply

Your email address will not be published.