Latest Odisha News

BREAKING NEWS

ରାଜ୍ୟସଭାରେ ବିଜେପି ପାଇଁ କାହିଁକି ଜରୁରୀ ବିଜେଡି ଏବଂ ଓ୍ବାଇଏସଆର କଂଗ୍ରେସ?

ଭୁବନେଶ୍ୱର: ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଜୁ ଜନତା ଦଳ  ଏବଂ ଓ୍ବାଇଏସଆର କଂଗ୍ରେସ କ୍ଷମତାଚ୍ୟୁତ ହୋଇଛନ୍ତି। ଓଡିଶାରେ ବିଜେପି କ୍ଷମତା ଗାଦିରେ ବସିଥିବା ବେଳେ ଆନ୍ଧ୍ରରେ ଟିଡିପି । ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଏବେ ବି ୱାଇଏସଆରସିପି ଓ ବିଜେଡି ବିଜେପି ପାଇଁ ଜରୁରୀ। ରାଜ୍ୟରେ ଏହି ଦୁଇ ଦଳ ବିରୋଧରେ ଶାସକ ଦଳ ଆକ୍ରମଣାତ୍ମକ ହେବା ପୂର୍ବରୁ ଦିଲ୍ଲୀରେ ରାଜ୍ୟସଭାର ସମୀକରଣ ଦେଖିଲେ ବିଜେପି ପାଇଁ ଏହି ଦୁଇ ଦଳ ଜରୁରୀ।

ବିଜେଡିର ରାଜ୍ୟସଭାରେ ୯ ଜଣ ସାଂସଦ ଅଛନ୍ତି। ୱାଇଏସଆରସିପିର ୧୧ ଜଣ ରାଜ୍ୟସଭା ସାଂସଦ। ଏବେ ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏନଡିଏର ୧୧୭, ଭାରତୀୟ ଜନତା ପାର୍ଟିର ୮୦ ଏବଂ ଅନ୍ୟ ୩୩ ଜଣ ସାଂସଦ ଅଛନ୍ତି। ନିର୍ବାଚିତ ସଦସ୍ୟଙ୍କ ପାଇଁ ୧୦ଟି ଓ ମନୋନୀତ ସଦସ୍ୟଙ୍କ ପାଇଁ ୫ଟି ପଦବୀ ଖାଲି ପଡ଼ିଛି।

ନିକଟରେ ନିର୍ବାଚିତ ହୋଇଥିବା ୧୦ ଟି ଆସନ ମଧ୍ୟରୁ ବିଜେପି ୭ଟି, କଂଗ୍ରେସ ୨ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଗୋଟିଏ ଆସନରେ ବିଜୟୀ ହୋଇଛି। ବର୍ତ୍ତମାନ ବିଜେପି ପାଖରେ ଅତି କମରେ ୬ଟି ଆସନ ଜିତିବାର ସାମର୍ଥ୍ୟ ରହିଛି। ଏଭଳି ସ୍ଥିତିରେ ଏନଡିଏକୁ ଆଇନ ପାରିତ କରିବା ପାଇଁ ଅନ୍ୟର ସମର୍ଥନର ଆବଶ୍ୟକତା ପଡିବ ନାହିଁ କିନ୍ତୁ ୱାଇଏସଆରସିପି ଏବଂ ବିଜେଡିର ସମର୍ଥନ ଏହାକୁ ଆରାମଦାୟକ ସ୍ଥିତିରେ ରଖିବ।

ଯଦିଓ ବିଜେଡି ଏପର୍ଯ୍ୟନ୍ତ ରାଜ୍ୟସଭା ରଣନୀତି ବିଷୟରେ କିଛି କହିନାହିଁ । କିନ୍ତୁ ଗତ କିଛି ବର୍ଷ ଧରି ଦଳ ସଂସଦରେ ଅଧିକାଂଶ ସମୟରେ ବିଜେପି ସମର୍ଥନରେ ରହିଛି। ସେହିପରି ୱାଇଏସଆରସିପି କହିଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ “ପ୍ରସଙ୍ଗ ଭିତ୍ତିକ” ସମର୍ଥନ ପ୍ରଦାନ କରିବ।

ଗତ ସପ୍ତାହରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ୱାଇଏସଆରସିପି ନେତା ଭି ବିଜୟସାଇ ରେଡ୍ଡୀ କେନ୍ଦ୍ର ସରକାରଙ୍କୁ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ସମ୍ବନ୍ଧୀୟ ହିଂସାର ସମୀକ୍ଷା କରିବାକୁ କହିଥିଲେ ଏବଂ କହିଥିଲେ, “ରାଜ୍ୟସଭାରେ ବିଲ୍ ପାରିତ କରିବା ପାଇଁ ଏନଡିଏକୁ ଆମର ସଂଖ୍ୟା ଆବଶ୍ୟକ ହେବ।

ଆନ୍ଧ୍ରପ୍ରଦେଶ ବିଧାନସଭାରେ ଟିଡିପି ୧୩୫ଟି ଆସନ ଏବଂ ୧୬ ଟି ଲୋକସଭା ଆସନରେ ବିଜୟୀ ହୋଇଛି । ୱାଇଏସଆରସିପି ୧୧ଟି ବିଧାନସଭା ଆସନକୁ ଖସି ଆସିଛି ଏବଂ ଲୋକସଭାରେ ଏହାର ୪ ଜଣ ସାଂସଦ ଅଛନ୍ତି।

ୱାଇଏସଆରସିପି ସ୍ପଷ୍ଟ କରିଛି ଯେ ସେମାନେ ଏନଡିଏ କିମ୍ବା ଇଣ୍ଡିଆ ମେଂଟକୁ ନିଃସର୍ତ୍ତ ସମର୍ଥନ କରିବାକୁ ଇଚ୍ଛୁକ ନୁହଁନ୍ତି । ୱାଇଏସଆରସିପିର ନିଷ୍ପତ୍ତି ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆଧାରିତ ହେବ ବୋଲି ରେଡ୍ଡୀ କହିଛନ୍ତି, ଦେଶର ସ୍ୱାର୍ଥରେ ଥିବା ମାମଲାଗୁଡ଼ିକୁ ଦଳ ସମର୍ଥନ କରିବ ବୋଲି କହିଛି।

ଗତ ଲୋକସଭାର କାର୍ଯ୍ୟକାଳ ସମୟରେ ଉଭୟ ଗୃହରେ ଧାରା ୩୭୦ ଉଚ୍ଛେଦ ଏବଂ ନାଗରିକତା ସଂଶୋଧନ ଆଇନ (ସିଏଏ) ଭଳି ଆଇନ ପାରିତ କରିବାରେ ୱାଇଏସଆରସିପି ଏବଂ ବିଜେଡି ବିଜେପିକୁ ସମର୍ଥନ କରିଥିଲେ।

ତେବେ ୱାଇଏସଆରସିପି ନିଜ ଆଭିମୁଖ୍ୟ ଉପରେ ପୁନର୍ବିଚାର କରି ମାର୍ଚ୍ଚରେ କହିଥିଲା ଯେ ସିଏଏକୁ ବର୍ତ୍ତମାନର ଫର୍ମାଟରେ ସମର୍ଥନ କରୁନାହିଁ। ଏହା ପୂର୍ବରୁ ଦଳ ଆନ୍ଧ୍ରପ୍ରଦେଶରେ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରିଥିଲା। ତିନି ତଲାକ ପ୍ରସଙ୍ଗରେ ବିଜେଡି ବିଜେପିକୁ ସମର୍ଥନ କରିଥିବା ବେଳେ ୱାଇଏସଆରସିପି ଏହାକୁ ବିରୋଧ କରିଥିଲା।

ତେବେ କୃଷକଙ୍କ ଆନ୍ଦୋଳନ ପରେ ୨୦୨୧ରେ ପ୍ରତ୍ୟାହାର ହୋଇଥିବା ବିଜେପି ସରକାରଙ୍କ ବିବାଦୀୟ କୃଷି ଆଇନକୁ ୱାଇଏସଆରସିପି ସମର୍ଥନ କରିଛି। ବିଜେଡି ମଧ୍ୟ କୃଷି ଆଇନକୁ ବିରୋଧ କରିଥିଲା।

ରାଜ୍ୟସଭାରେ କଂଗ୍ରେସ ୨୬ ଜଣ ସାଂସଦ ଥିବା ବେଳେ ତୃଣମୂଳ କଂଗ୍ରେସ ୧୩ ଜଣ ସାଂସଦ ରହିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଡିଏମକେ( ଇଣ୍ଡିଆ ମେଣ୍ଟ)ର ୧୦ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟସଭା ସଦସ୍ୟ ଥିବା ଅନ୍ୟ ପ୍ରମୁଖ ଦଳଗୁଡିକ ମଧ୍ୟରେ ୫ ଜଣ ସାଂସଦ ଥିବା ଭାରତ ରାଷ୍ଟ୍ର ସମିତି ଅନ୍ତର୍ଭୁକ୍ତ; ସିପିଆଇ(ଏମ୍) ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ୫ ଜଣ ଲେଖାଏଁ ରହିଛନ୍ତି।

ଏଆଇଏଡିଏମକେ, ଜନତା ଦଳ ୟୁନାଇଟେଡ ଓ ସମାଜବାଦୀ ପାର୍ଟିରୁ ୪ ଜଣ ଲେଖାଏଁ ସାଂସଦ ରହିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ଶିବସେନା ୩ଟି ଲେଖାଏଁ ଆସନରେ ରହିଛନ୍ତି। ଏବଂ ସିପିଆଇର ୨ ସାଂସଦ ରହିଛନ୍ତି।

Leave A Reply

Your email address will not be published.