ନୂଆଦିଲ୍ଲୀ: ମଙ୍ଗଳ ହେଉଛି ଆମ ସୌରମଣ୍ଡଳର ଚତୁର୍ଥ ଗ୍ରହ ଏବଂ ପୃଥିବୀର ପଡ଼ୋଶୀ ଗ୍ରହ। ଏହି ଗ୍ରହଟି ତା’ର ଲାଲ ରଙ୍ଗ କାରଣରୁ ପ୍ରଥମରୁ ହିଁ ମଣିଷଙ୍କ ମଧ୍ୟରେ ଆକର୍ଷଣ ଏବଂ ଚର୍ଚ୍ଚା ବିଷୟ ହୋଇଆସିଛି। ଏହାର ରଙ୍ଗ ଯୋଗୁଁ ଏହାକୁ ‘ଲାଲ ଗ୍ରହ’ ମଧ୍ୟ କୁହାଯାଏ । କିନ୍ତୁ ପ୍ରାୟତଃ ପ୍ରଶ୍ନ ଉଠେ ଯେ, ଏହି ଗ୍ରହ ଲାଲ ହେବା ପଛର ପ୍ରକୃତ କାରଣ କ’ଣ? ଯାହାର ଖୁଲାସା ଏବେ କରିଛନ୍ତି ବୈଜ୍ଞାନିକମାନେ ।
ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନଙ୍କ କହିବା ଅନୁସାରେ ମଙ୍ଗଳ ଗ୍ରହର ରଙ୍ଗ ଏହାର ପୃଷ୍ଠରେ ଥିବା କଳଙ୍କି ରଙ୍ଗର ଧୂଳିକଣା ଯୋଗୁଁ ହୋଇଛି, ଯାହାକୁ ଫେରିହାଇଡ୍ରାଇଟ କୁହାଯାଏ। ଏହି ଧୂଳି ଯୋଗୁଁ ମଙ୍ଗଳ ଗ୍ରହ ଲାଲ ରଙ୍ଗର ହୋଇଯାଏ। ମଙ୍ଗଳ ଗ୍ରହକୁ ପଠାଯାଇଥିବା ମହାକାଶଯାନ ଏବଂ ଲ୍ୟାଣ୍ଡରରୁ ମିଳିଥିବା ତଥ୍ୟ ଆଧାରରେ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ବୈଜ୍ଞାନିକ । ସେମାନଙ୍କ କହିବା ଅନୁସାରେ, ପୃଥିବୀରେ ଘଟୁଥିବା ରାସାୟନିକ ପ୍ରକ୍ରିୟା ପରି, ଯେତେବେଳେ ପଥରରେ ଥିବା ଲୁହା ପାଣି ସହିତ କିମ୍ବା ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଥିବା ପାଣି ଏବଂ ଅମ୍ଳଜାନ ସହିତ ମିଶିଯାଏ, ସେତେବେଳେ ଆଇରନ ଅକ୍ସାଇଡ ସୃଷ୍ଟି ହୁଏ।
ମଙ୍ଗଳ ଗ୍ରହର ପବନ ପୂରା ଗ୍ରହରେ ଆଇରନ ଅକ୍ସାଇଡ ପ୍ରସାରିତ କରି ଏହାକୁ ଧୂଳିରେ ପରିଣତ କରିଥାଏ । ଏହି କାରଣରୁ ମଙ୍ଗଳ ଗ୍ରହର ରଙ୍ଗ ଲାଲ ଦେଖାଯାଏ। ବୈଜ୍ଞାନିକମାନେ ପୂର୍ବରୁ ବିଶ୍ୱାସ କରୁଥିଲେ ଯେ, ଏହାର କଳଙ୍କି ଲାଲ ରଙ୍ଗ ଧୂଳିରେ ଥିବା ହେମାଟାଇଟ ଭଳି ଶୁଖିଲା ଆରନ ଅକ୍ସାଇଡ ଯୋଗୁଁ ହୋଇଛି। କିନ୍ତୁ ଏବେ ସାଟେଲାଇଟ ତଥ୍ୟ ଏବଂ ପରୀକ୍ଷାଗାର ପ୍ରକ୍ରିୟାର ଏକ ନୂତନ ଅଧ୍ୟୟନ ପରେ ଫେରିହାଇଡ୍ରାଇଟ ମଙ୍ଗଳ ଗ୍ରହର ଲାଲ ରଙ୍ଗ ପାଇଁ ବୋଲି ଖୁଲାସା ହୋଇଛି।
Comments are closed.