ଭୁବନେଶ୍ବର: ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ବିଜେଡିରେ ଥମୁନି ଝଡ଼ । ରାଜ୍ୟସଭା ସାଂସଦ ମୁନା ଖାଁ ଭୁବନେଶ୍ବର ଫେରିବା ପରେ ସସ୍ମିତ ପାତ୍ରଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ବିମାନବନ୍ଦରରେ ବର୍ଷିବା ପରେ ନବୀନ ନିବାସ ଯାଇଥିଲେ ମୁନା ଖାଁ । ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ୍ ନେଇ ନବୀନଙ୍କ ପାଖରେ ଫେରାଦ ହୋଇଥିଲେ ମୁନା । ଏହାପରେ ବିଜେଡି ଧର୍ମନିରପେକ୍ଷ ଦଳ, ସଂଖ୍ୟାଲଘୁଙ୍କ ସହ ରହିଛି । ଖୁବ୍ ଶୀଘ୍ର ଅନୁଧ୍ୟାନ କରି ନିଷ୍ପତି ନେବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ତେବେ ବିଲ ସପକ୍ଷରେ ମତଦାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ନବୀନଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବର୍ଷିଲେ ମୁନା, ଆକ୍ସନ୍ ଦାବି
ଭୁବନେଶ୍ବରରେ ପହଞ୍ଚି ବିମାନବନ୍ଦରରେ ହିଁ ସସ୍ମିତ ପାତ୍ରଙ୍କୁ କଡା ସମାଲୋଚନା କରିଛନ୍ତି ମୁନା ଖାନ୍ । ଦଳରେ ଦୋମୁହାଁ ନୀତି ଚଳିବନି । ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ । ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଥିଲା । ବିଲ୍ ବିରୋଧରେ ଭୋଟ୍ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ । ଇଫତାର ପାର୍ଟିରେ ବି ନବୀନବାବୁ ଏନେଇ ସ୍ପଷ୍ଟ କରିଥିଲେ । ସସ୍ମିତ କାହିଁକି ଟ୍ବିଟ୍ କରି ବିବେକାନୁମୋଦିତ ଭୋଟ୍ ପାଇଁ କହିଲେ ଜାଣିନଥିବା ମୁନା କହିଥିଲେ। ସସ୍ମିତଙ୍କ କାର୍ଯ୍ୟ ସଂଖ୍ୟାଲଘୁ ଭାଇମାନଙ୍କୁ କଷ୍ଟ ଦେଇଛି । ଏନେଇ ଫେରାଦ ହେବାକୁ ସଂଖ୍ୟାଲଘୁ ସଂପ୍ରଦାୟର କର୍ମୀଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଥିଲେ । ନବୀନ ପ୍ରତିଶ୍ରୁତି ଦେଇଛନ୍ତି, ଖୁବ୍ ଶୀଘ୍ର ଅନୁଧ୍ୟାନ କରି ନିଷ୍ପତି ନେବେ ବୋଲି ମୁନା ଖାଁ କହିଛନ୍ତି ।
ନିଷ୍ପତି ନବୀନ ନେଇଥିଲେ ନା ଆଉ କିଏ?
ଓ୍ବକଫ୍ ସଂଶୋଧନ ବିଲକୁ ବିବେକ ଅନୁସାରେ ଭୋଟ୍ ଦେବାକୁ ନିର୍ଦ୍ଦେଶ କିଏ ଦେଇଥିଲେ? ବିଜେଡି ସଭାପତି ନବୀନ ପଟ୍ଟନାୟକ ନା ଆଉ କିଏ? ବିବାଦ ଆରମ୍ଭ ହେବା ଦିନଠୁ ସବୁ ବରିଷ୍ଠ ନେତାଙ୍କ ମୁହଁରେ ଥିଲା ଏହି ପ୍ରଶ୍ନ । ହେଲେ ନିରବ ରହିଥିଲେ ନବୀନ, ସୋମବାର କହିଲେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ । ସେଥିରୁ ଏପ୍ରଶ୍ନର ଉତ୍ତର ତ ମିଳିଲାନି, ଓଲଟା ଅନେକ ପ୍ରଶ୍ନ ଉଠିଲା । ଯଦି ନବୀନ ପଟ୍ଟନାୟକ ନିଜେ ନିଷ୍ପତି ନେଇଥିଲେ, ତେବେ ପୂର୍ବରୁ ବିରୋଧ କରିବାକୁ କହି କାହିଁକି ଠିକ୍ ସମୟରେ ୟୁଟର୍ଣ୍ଣ ନେଲେ? ନବୀନଙ୍କ ଅଜାଣତରେ ଏତେ ବଡ଼ ନିଷ୍ପତି ନିଆଗଲା କି ? ନା ସବୁଜାଣି ନିରବ ରହୁଛନ୍ତି ନବୀନ?
ଆକ୍ସନ୍ ହେବ ନା ଏଡାଇଦେବେ?
ଓ୍ବକଫ ବିଲ ସପକ୍ଷରେ ମତଦାନ ପରଠୁ କିଏ ପରୋକ୍ଷରେ ତ କିଏ ସିଧାସଳଖ ନିଷ୍ପତି ପଛରେ ଭିକେ ପାଣ୍ଡିଆନଙ୍କୁ ଏହି ନିଷ୍ପତି ପାଇଁ ଦାୟୀ କରୁଛନ୍ତି । ହେଲେ କେହିବି ନବୀନଙ୍କୁ ଏଥିପାଇଁ ଦାୟୀ କରିନାହାନ୍ତି । ଓଲଟା ଏହାକୁ ଷଡ଼ଯନ୍ତ୍ରର ନାଁ ଦେଇ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ଆହୁରି ଉଜ୍ଜ୍ବଳ କରିଛନ୍ତି ବିଜେଡି ନେତା । ବିଜେଡି ଓ ନବୀନ ସଂଖ୍ୟାଲଘୁଙ୍କ ପାଇଁ ଠିଆ ହୋଇଛନ୍ତି, ହେଲେ ପରାମର୍ଶଦାତା, ଷଡ଼ଯନ୍ତ୍ରକାରୀ ବା ଚକ୍ରାନ୍ତକାରୀ ଏଭଳି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରୁଛନ୍ତି ଦଳର ବରିଷ୍ଠ ନେତା । ତେବେ ସବୁଠୁ ବଡ଼ ପ୍ରଶ୍ନ, ଏସବୁ ନବୀନଙ୍କ ଅଜାଣତରେ ହେଲା କି? ଯଦି ନବୀନ ସବୁ ଜାଣିଥିଲେ, ତେବେ କି ଆକ୍ସନ୍ ନେବେ?
ରାଜ୍ୟସଭାରେ ବିଲ୍ ସପକ୍ଷରେ ୧୨୮ଭୋଟ୍ ପଡିଥିବା ବେଳେ ବିରୋଧରେ ପଡିଥିଲା ୯୫ ଭୋଟ୍ । ଅର୍ଥାତ୍ ବ୍ୟବଧାନ ଖୁବ୍ କମ୍ । ତେଣୁ ଭୋଟିଂ ଆଗରୁ ବିଜେଡି ଭୋଟ୍ ପାଇଁ ଡିଲ୍ ହୋଇଥିବା ଚର୍ଚ୍ଚା ହେଉଛି । ଏହାସହ ଭୋଟ୍ ପରେ ଦଳରେ ଏତେବଡ଼ ବିଦ୍ରୋହ ହେବ ବୋଲି ହୁଏତ ଖୋଦ୍ ନବୀନ ବି ଚିନ୍ତା କରିନଥିଲେ । ଚର୍ଚ୍ଚା ହେଉଛି, ନବୀନଙ୍କ ଜାଣତରେ ହିଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ସଂଖ୍ୟାଲଘୁ ଭୋଟ୍ ହାତଛଡା ହେବା ଆଶଙ୍କାରେ ପ୍ରାୟୋଜିତ ଭାବେ ଦଳର ନେତା ଅସନ୍ତୋଷ ଜାହିର କରି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରୁଛନ୍ତି ।
Comments are closed.