Latest Odisha News

କାହିଁକି ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ଭାବେ ନିଯୁକ୍ତି ଦିଆଗଲା?

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୦ ବ୍ୟାଚର ଆଇଏଏସ ଅଫିସର ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଜିଏ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ତାଙ୍କ ନିଯୁକ୍ତି ପଛର କାରଣ କଣ ରହିଛି ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। କାରଣ ସମାନ ବ୍ୟାଚରେ ଆହୁରି ଅନେକ ଆଇଏଏସ ରହିଛନ୍ତି। ଏପରି ସ୍ଥିତିରେ କେନ୍ଦ୍ର ସରକାରରେ କୃଷି ସଚିବ ଥିବା ମନୋଜ ଆହୁଜା କାହିଁକି ଏହି ପଦ ପାଇଁ ରାଜ୍ୟ ସରକାର ନିଯୁକ୍ତ ହେଲେ ତାକୁ ନେଇ ବିଭିନ୍ନ କାରଣ ସାମ୍ନାକୁ ଆସିଛି।

ଅନ୍ୟତମ ବରିଷ୍ଠ ଆଇଏଏସ୍ ଅଫିସର

ଏବେର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ହେଉଛନ୍ତି ରାଜ୍ୟର ୪୫ ତମ ମୁଖ୍ୟ ଶାସନ ସଚିବ। ଯାହାଙ୍କ ୬ ମାସର ଅବଧି ଜୁନ୍ ୩୦ରେ ଶେଷ ହେଉଛି। ସେ ୧୯୮୯ ବ୍ୟାଚର ଅଫିସର। ଆହୁଜାଙ୍କ ସହ ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା ଓ ଗୁଡେ ଶ୍ରୀନିବାସ ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ସଦସ୍ୟ। ଏମାନେ ସମସ୍ତେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ମଧ୍ୟ ସରକାର ଅନ୍ୟମାନଙ୍କ ତୁଳନାରେ ଆହୁଜାଙ୍କୁ ବାଛିଛନ୍ତି। ତାଙ୍କ ପତ୍ନୀ ଆରତି ଆହୁଜା ମଧ୍ୟ ୧୯୯୦ ବ୍ୟାଚର ହୋଇଥିଲେ ମଧ୍ୟ ସେ ଅବସର ନେଇ ସାରିଛନ୍ତି।

ବିଜେଡି ସମର୍ଥିତ ବାବୁରାଜର ଭାବମୂର୍ତ୍ତି ପରିବର୍ତ୍ତନ

ଦୀର୍ଘ ବର୍ଷ ହେବ ବିଜେଡି ଶାସନର ଥିଲା। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଅମଲାତନ୍ତ୍ର ପକ୍ଷପାତିତା କରେ ବୋଲି ଗୋଟିଏ ଧାରଣା ରହିଛି। କାରଣ ଦୀର୍ଘ ବର୍ଷ ଧରି ଏହି ବାବୁ ମାନେ ଗୋଟିଏ ପଦରେ ସର୍ବାଧିକ ୩ ବର୍ଷରୁ ରହିଆସିଛନ୍ତି। ଶାସକ ଦଳକୁ ସୁହାଇବା ପାଇଁ ଏହିପରି ବାବୁ ମାନଙ୍କୁ ନିଯୁକ୍ତି କରାଯାଇଥିଲା ବୋଲି ଅଭିଯୋଗ ରହିଛି। ତେଣୁ କିଛି ବାବୁ ‘ବିଜେଡି ବାବୁ’ ବୋଲି ଆଖ୍ୟା ପାଇଛନ୍ତି। ୨୦୦୦ ବ୍ୟାଚର ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ୍ ଚାକିରିରୁ ଇସ୍ତଫା ଦେଇ ୨୦୨୩ ନଭେମ୍ବରରେ ବିଜେଡିରେ ଯୋଗ ଦେଇଥିଲେ। ଯାହା ଗୋଟିଏ ଧାରଣା ତିଆରି କରିଛି ଯେ ସରକାରରେ ଅନେକ ବିଜେଡି ସମର୍ଥିତ ବାବୁ ରହିଛନ୍ତି। ତେଣୁ ବାବୁ ମାନଙ୍କ ନିରପେକ୍ଷ ଓ ତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି। ତେଣୁ ନୂଆ ସରକାର ବୋଧହୁଏ ଜଣେ ଏପରି ଏକ  ଅଫିସର ଆଣିଛନ୍ତି ଯାହାଙ୍କ କ୍ୟାରିଅରରେ ବିଜେଡିର ଟ୍ୟାଗ ଲାଗିନାହିଁ।

ଆହୁଜା ଓଡ଼ିଶା ସରକାରରେ ପୂର୍ବରୁ ବିଭିନ୍ନ ପଦବୀରେ ଥିଲେ

ଇସ୍ପାତ ଓ ଖଣି ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ସହିତ-ସଚିବ ଏବଂ ବାଣିଜ୍ୟକର କମିଶନର – ଏବଂ କେନ୍ଦ୍ରରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ଶିକ୍ଷା ମନ୍ତ୍ରଣାଳୟର ଅଧ୍ୟକ୍ଷ ଏବଂ କୃଷି ଓ କୃଷକ କଲ୍ୟାଣ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ସେ ନିୟମ ପ୍ରତି ବେଶ ସଚେତନ ଏବଂ ସ୍ୱଚ୍ଛ ଭାବମୂର୍ତ୍ତି ରଖିବାରେ ଜଣାଶୁଣା ।

ନିଯୁକ୍ତି ପଛରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକା

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବରେ ଆହୁଜାଙ୍କ ନିଯୁକ୍ତିକୁ ବିଜେପିର ଶୀର୍ଷ ନେତୃତ୍ୱ ସରକାରରେ ଏକ ନୂଆ ଟିମ୍ ଗଠନ କରିବାକୁ ଏକ ପଦକ୍ଷେପ ଭାବରେ ଦେଖୁଛନ୍ତି। ଓଡ଼ିଶାରେ ଦଳ ପ୍ରଥମ ଥର ପାଇଁ ସରକାର ଗଠନ କରିଛି  ଦଳ ଏବଂ ଏହାର ଅନେକ ମନ୍ତ୍ରୀ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବାରୁ ଜଣେ ଅଭିଜ୍ଞ, ଦକ୍ଷ ଲୋକଙ୍କୁ ରାଜ୍ୟ ଶାସନର ମୁଖିଆ ଭାବେ ଭାବେ ଚୟନ କରିଛି ବୋଲି କୁହାଯାଉଛି। ଆହୁଜା ୨୦୨୪ ଡିସେମ୍ବରରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । କିନ୍ତୁ ଅବଧି ବଢ଼ିବାର ସମ୍ଭାବନା ରହିଛି। ଯେପରି ପୂର୍ବରୁ ସୁରେଶ ମହାପାତ୍ର ଏବଂ ପି.କେ ଜେନାଙ୍କ କ୍ଷେତ୍ରରେ ହୋଇଛି।

Leave A Reply

Your email address will not be published.