ନୂଆଦିଲ୍ଲୀ: ପୁଣି ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ନଇଁଲେ ନୀତିଶ। ଗତ ଦୁଇ ଥର ଭଳି ଏଥର ବି ଅଧାରେ ଅଟକାଇଲେ ମୋଦି । ବିହାର ଦରଭଙ୍ଗାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମୋଦି । ତେବେ ତୃତୀୟ ଥର ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ନଇଁଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହା ପୂର୍ବରୁ ଦିଲ୍ଲୀ ଏନଡିଏ ସଂସଦୀୟ ଦଳ ବୈଠକ ଓ ୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ବେଳେ ବି ନୀତିଶଙ୍କୁ ସମାନ ମୁଦ୍ରାରେ ଦେଖିବାକୁ ମିଳିଥିଲା । କେନ୍ଦ୍ରରେ ବିଜେପିକୁ ବହୁମତ ମିଳିନଥିବା ବେଳେ ନୀତିଶଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କାନ୍ଧରେ ଭରା ଦେଇ ଏନଡିଏ ସରକାର ଚାଲିଛି । ଏଭଳି ସ୍ଥିତିରେ ବିଜେପି ଜେଡିୟୁ ପାଖରେ ମୁଣ୍ଡ ନୁଆଁଇବା କଥା। ହେଲେ କାହିଁକି ବାରମ୍ବାର ମୋଦିଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଛନ୍ତି ନୀତିଶ?
ନୀତିଶ ପାଦ ଛୁଇଁବା ପଛରେ କାରଣ କଣ ?
ନୀତିଶ ମୋଦିଙ୍କ ପାଦ ଛୁଇଁବାକୁ ନେଇ ତାଙ୍କୁ ଅନେକ ଥର କଡା ସମାଲୋଚନା କରିଛନ୍ତି ବିରୋଧୀ । ବିହାରର ୧୩କୋଟି ଲୋକଙ୍କ ନେତା ପୂରା ଦେଶ ସାମନାରେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ମୋଦିଙ୍କ ପାଦ ଛୁଉଁଥିବା କହି ନୀତିଶଙ୍କୁ କଟାକ୍ଷ କରିଥିଲେ ପ୍ରଶାନ୍ତ କିଶୋର । ନୀତିଶ କୁମାରଙ୍କୁ ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ପାଇଁ ନେତା ଘୋଷଣା କରିଛି ଏନଡିଏ । ନିଷ୍ପତ୍ତି ପ୍ରତ୍ୟାହାର ଭୟରେ ନୀତିଶ ପାଦ ଛୁଇଁବାକୁ ଉଦ୍ୟମ କରୁଥିବା ବିରୋଧୀ କହୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନୀତିଶ ଅନେକ ଥର ଏନଡିଏ ଛାଡି ସେ ଯିବେନି ବୋଲି କହିଛନ୍ତି । ଏକଥାକୁ ପ୍ରମାଣ କରିବାକୁ ବାରମ୍ବାର ମୁଣ୍ଡ ନୁଆଁଇ ମୋଦିଙ୍କ ପ୍ରତି ନୀତିଶ ଅନୁରକ୍ତି ଦେଖାଉଥିବା ଚର୍ଚ୍ଚା ହେଉଛି ।
‘ପଲଟୁ ରାମ’ ଛବି ବଦଳାଇବାକୁ ପ୍ଲାନ୍
ରାଜନୀତିରେ ନୀତିଶ କୁମାରଙ୍କର ପଲଟି ମାରିବାର ଲମ୍ବା ଟ୍ରାକ୍ ରେକର୍ଡ ରହିଛି । ୨୦୦୯ ଲୋକସଭା ଓ ୨୦୧୦ ବିଧାନସଭା ନିର୍ବାଚନରେ ମୋଦିଙ୍କୁ ବିହାରରେ ପ୍ରଚାର କରିବାକୁ ଦେଇନଥିଲେ ନୀତିଶ । ୨୦୧୩ରେ ବିଜେପି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ପରେ ନୀତିଶ କ୍ଷୁବ୍ଧ ହୋଇ ବିଜେପି ସହ ୧୭ବର୍ଷର ସଂପର୍କ ତୁଟାଇଥିଲେ। ଲାଲୁଙ୍କ ସହ ମିଶି ୨୦୧୫ ବିଧାନସଭା ନିର୍ବାଚନ ଲଢିଥିଲେ। ଆରଜେଡି ଓ ଜେଡିୟୁର ସରକାର କ୍ଷମତାକୁ ଆସିଥିଲା । ହେଲେ ୨୦୧୭ରେ ପଲଟି ମାରି ପୁଣି ଏନଡିଏରେ ସାମିଲ ହୋଇଥିଲେ। ୨୦୧୯ ଲୋକସଭା ଓ ୨୦୨୦ ବିଧାନସଭା ନିର୍ବାଚନ ବିଜେପି ସହ ମିଶି ଲଢିଥିଲେ । ୨୦୨୦ରେ ବିହାରରେ ଏନଡିଏ ସରକାର ଗଢିଲା । ହେଲେ ୨୦୨୨ରେ ପୁଣି ଆରଜେଡି ସହ ମିଶି କ୍ଷମତାକୁ ଆସିଥିଲେ ନୀତିଶ । ଚଳିତ ବର୍ଷ ଜାନୁଆରୀ ନୀତିଶ ପୁଣି ଏନଡିଏକୁ ଫେରିଛନ୍ତି ନୀତିଶ। ହେଲେ ଏବେ ଏହି ଇମେଜରୁ ନିଜକୁ ମୁକୁଳାଇବାକୁ ନୀତିଶ ଉଦ୍ୟମ କରୁଥିବା କୁହାଯାଉଛି । ଆଉ ସେଥିପାଇଁ ବିଜେପି ସହ ସଚ୍ଚା ଦୋସ୍ତୀ ଦେଖାଇବାକୁ ମୁଣ୍ଡ ନୁଆଁଉଥିବା କୁହାଯାଉଛି ।
ନୀତିଶଙ୍କ ଉପରେ ବୟସର ଛାପ !
ପ୍ରାୟ ଦୁଇ ଦଶନ୍ଧୀ ଧରି ଜାତୀୟ ରାଜନୀତିର ପ୍ରମୁଖ ଚେହେରା ରହିଛନ୍ତି ନୀତିଶ କୁମାର । ତେବେ ତାଙ୍କ ପରିବର୍ତ୍ତିତ ଅନ୍ଦାଜ ପଛରେ ବୟସକୁ କାରଣ ବୋଲି ଦର୍ଶାଯାଉଛି । କେତେବେଳେ ବିଧାନସଭା ଓ ବିଧାନ ପରିଷଦରେ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇ ନୀତିଶ ଚର୍ଚ୍ଚାକୁ ଆସୁଛନ୍ତି ତ କେତେବେଳେ କାମ କରିବାକୁ ଅଧିକାରୀଙ୍କ ଆଗରେ ହାତ ଯୋଡୁଛନ୍ତି । ପୂର୍ବରୁ ସର୍ବସାଧାରଣରେ ନୀତିଶଙ୍କର ଏଭଳି ଅନ୍ଦାଜ ଦେଖିବାକୁ ମିଳୁନଥିଲା। ନୀତିଶ କୁମାରଙ୍କୁ କିଛି କ୍ୟାବିନେଟ୍ ମନ୍ତ୍ରୀ ଓ ଅଧିକାରୀ ଅଘୋଷିତ ଭାବେ କଏଦ କରି ରଖିଥିବା ନେଇ ଆରଜେଡି ଅଭିଯୋଗ କରୁଛି । ଅଭିଯୋଗରେ ସତ ହୋଇନଥିଲେ ବି ନୀତିଶଙ୍କ ବଦଳିଥିବା ହାବଭାବକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।