ନୂଆଦିଲ୍ଲୀ: ମାର୍ଚ୍ଚ ୧୯ ରାତିରେ ବର୍ଷେରୁ ଅଧିକ ସମୟ ଧରି ଧାରଣା ଦେଇଥିବା ଚାଷୀଙ୍କୁ ହଟାଇଲେ ଭଗଓ୍ବନ୍ତ ମାନ୍ ସରକାର । ଯେଉଁ ଚାଷୀଙ୍କ ସହ କେନ୍ଦ୍ର ମୁହାଁମୁହିଁ ହୋଇପାରିଲାନି, ସେମାନଙ୍କୁ ହଟାଇବାର ଦମ୍ ଦେଖାଇଲେ ମାନ୍ । ଶମ୍ଭୁ ଓ ଖନୌରୀ ସୀମାରୁ ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ବଳ ପ୍ରୟୋଗ କରାଗଲା । ୫ହଜାରରୁ ଅଧିକ ପୋଲିସ କର୍ମୀଙ୍କ ସହ ବୁଲଡୋଜର ବି ଲାଗିଲା । ଅନେକ ଚାଷୀ ନେତା ଅଟକ ରହିଲେ । କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହ ଚାଷୀ ନେତା ଆଲୋଚନା ପାଇଁ ଚଣ୍ଡୀଗଡ଼ ଯାଇଥିବା ବେଳେ ଏଭଳି ଆକ୍ସନ୍ ନେଲେ ମାନ୍ ସରକାର। ତେବେ ପ୍ରଶ୍ନ ଉଠୁଛି, ଚାଷୀଙ୍କ ସମର୍ଥନରେ ସବୁବେଳେ ଠିଆ ହୋଇଥିବା ଆପ୍ କାହିଁକି ଏଭଳି ୟୁଟର୍ଣ୍ଣ ନେଲା?
ଅଲଗା ଇମେଜ୍ ବନାଇବାକୁ ଆକ୍ସନ୍ !
ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପ୍ରଭାବରୁ ବାହାରି ନିଜର ସ୍ବତନ୍ତ୍ର ଇମେଜ ବନାଇବାକୁ ଚାହୁଁଛନ୍ତି କି ଭଗଓ୍ବନ୍ତ ମାନ୍? ମାନ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ରିମୋଟ କଣ୍ଟ୍ରୋଲ କେଜ୍ରିଓ୍ବାଲଙ୍କ ହାତରେ ଥିବା ନେଇ ଅନେକ ସମୟରେ ବିରୋଧୀ ସମାଲୋଚନା କରନ୍ତି। ଏପରିକି ଦିଲ୍ଲୀରେ ହାରିବା ପରେ କେଜ୍ରିଓ୍ବାଲ ପଞ୍ଜାବରେ ମାନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବି କହିଥିଲେ ବିରୋଧୀ । ତେଣୁ ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ହଟାଇ କେଜ୍ରିଓ୍ବାଲଙ୍କ ଇସାରାରେ ନୁହେଁ ବରଂ ନିଜ ଦମରେ ନିଷ୍ପତ୍ତି ନେଉଥିବା ମାନ୍ ଦେଖାଇବାକୁ ଚାହିଁଥିବା ଚର୍ଚ୍ଚା ହେଉଛି ।
ପ୍ରଭାବିତ ହେଉଥିଲା ଶିଳ୍ପ, ବ୍ୟବସାୟ
ଚାଷୀ ଆନ୍ଦୋଳନ ଯୋଗୁଁ ଲମ୍ବା ସମୟ ଧରି ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ ସହ ଅନେକ ପ୍ରମୁଖ ସଡ଼କ ପଥ ପ୍ରଭାବିତ ହେଉଥିଲା । ଏଭଳି ସ୍ଥିତିରେ ଯାତ୍ରୀ ତ ହଇରାଣ ହେଉଥିଲେ ତାସହ ରାଜ୍ୟକୁ ବି ଆର୍ଥିକ କ୍ଷତି ସହିବାକୁ ପଡୁଥିଲା । ଉଦ୍ୟୋଗ ବନ୍ଦ ହେବା ଓ ବ୍ୟବସାୟ ପ୍ରଭାବିତ ହେବା ଭଳି ସ୍ଥିତି ବି ସାମନାକୁ ଆସୁଥିଲା । ଆଗକୁ ଲୁଧିଆନା ପଶ୍ଚିମ ଉପନିର୍ବାଚନ ହେବାକୁ ଥିବା ବେଳେ ଶିଳ୍ପପତିମାନେ ବ୍ୟବସାୟ କ୍ଷତି ନେଇ ଭଗଓ୍ବନ୍ତ ମାନ୍ ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣାଇଥିଲେ । ଏହାପରେ ଚାଷୀଙ୍କୁ ହଟାଇବା ନେଇ ମାନ୍ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପଞ୍ଜାବ ସରକାରଙ୍କ ଏହି ଆକ୍ସନକୁ ସ୍ବାଗତ କରିଛନ୍ତି ଲୁଧିଆନା ଶିଳ୍ପପତି।
ମାନଙ୍କ ନିଷ୍ପତ୍ତି ପଛରେ କେନ୍ଦ୍ରର ସହମତି !
କୁହାଯାଉଛି, କେନ୍ଦ୍ର ସରକାରଙ୍କ ବିନା ସହମତିରେ ପଞ୍ଜାବ ସରକାର ଏଭଳି ବଡ଼ ନିଷ୍ପତ୍ତି ନେଇ ପାରିବେନି । କାରଣ ଚାଷୀ ଆନ୍ଦୋଳନରେ ପଞ୍ଜାବ ସହ ଅନ୍ୟ ରାଜ୍ୟ ମଧ୍ୟ ସଂପୃକ୍ତ । ତେଣୁ ଚାଷୀଙ୍କୁ ହଟାଇବା ନିଷ୍ପତ୍ତି କେନ୍ଦ୍ର ସହ ମିଶି ପଞ୍ଜାବ ସରକାର ନେଇଥିବା କୁହାଯାଉଛି । କେନ୍ଦ୍ର ସରକାରଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ସମୟରେ ହିଁ ରଣନୀତି ଅନୁସାରେ ଆକ୍ସନ୍ ନେଇଥିଲେ ମାନ୍ ସରକାର । ନିକଟରେ ସୁପ୍ରିମକୋର୍ଟ ଚାଷୀ ଆନ୍ଦୋଳନ ସ୍ଥିତି ସ୍ପଷ୍ଟ କରିବାକୁ ପଞ୍ଜାବ ସରକାରଙ୍କୁ କହିଥିଲେ । ଏହାପରେ ପ୍ରଶାସନ ଉପରେ ଆକ୍ସନ୍ ପାଇଁ ଚାପ ପଡି ଥାଇପାରେ ।
ଭଗଓ୍ବନ୍ତ ମାନଙ୍କ ଆମ ଆଦମୀ ପାର୍ଟି ସବୁବେଳେ ଚାଷୀଙ୍କ ସପକ୍ଷରେ ଠିଆ ହୋଇଛି । ହେଲେ ହଠାତ୍ ଚାଷୀଙ୍କ ବିରୋଧରେ ନିଷ୍ପତ୍ତି ନେଇ ଚମକାଇ ଦେଇଛନ୍ତି ମାନ୍ ସରକାର । ଏହା ପଛରେ କେନ୍ଦ୍ରର ବିଜେପି ସରକାରଙ୍କ ସହ ଭିତିରି ରାଜନୈତିକ ଡିଲ୍ ରହି ଥାଇପାରେ ବୋଲି ସନ୍ଦେହ କରାଯାଉଛି । କାରଣ ପଞ୍ଜାବରେ ଚାଷୀଙ୍କ ବିରୋଧରେ ନିଷ୍ପତ୍ତି ନେବା ଅର୍ଥ ନିଜ ଗୋଡରେ କୁରାଢି ମାରିବା ଭଳି । ଗତ ନିର୍ବାଚନରେ ଆପର ବିଜୟ ପଛରେ ଚାଷୀଙ୍କ ସମର୍ଥନ ବଡ଼ ଫ୍ୟାକ୍ଟର ବୋଲି ଖୋଦ୍ ଦଳ ବି ମାନିଥିଲା । ତେଣୁ ମାନ ସରକାରଙ୍କ ଚାଷୀ ବିରୋଧୀ ଆକ୍ସନ୍ ଆଗାମୀ ନିର୍ବାଚନରେ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି।