ନୂଆଦିଲ୍ଲୀ: ଜାତୀୟ ସଂଗୀତ ଗାନ ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଚରଣକୁ ନେଇ ବିରୋଧୀ ସମାଲୋଚନା କରୁଛନ୍ତି । ବିହାର ବିଧାନସଭାରେ ବି ଏହାକୁ ନେଇ ହଙ୍ଗାମା ହୋଇଛି । ତେବେ ସବୁଠୁ ଅଧିକ ଚର୍ଚ୍ଚା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବି଼ଡି ଦେବୀଙ୍କ ବୟାନକୁ ନେଇ ହେଉଛି । ବିରୋଧୀ ନୀତିଶ କୁମାରଙ୍କ ଇସ୍ତଫା ଦାବି କରୁଥିବା ବେଳେ ରାବିଡି ଦେବୀ କହିଛନ୍ତି, ନୀତିଶ ଅସୁସ୍ଥ ପୁଅ ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ । ତେବେ ରାବିଡି ଦେବୀଙ୍କ ବୟାନ ଯେତେ ସିଧା ସଳଖ ଦେଖାଯାଉଛି ସେତେ ନୁହେଁ । ଏହା ଭିତରେ ଲୁଚି ରହିଛି ବଡ଼ ରଣନୀତି । କୁହାଯାଉଛି, ଏଭଳି ବୟାନ ଦେଇ ଗୋଟିଏ ଗୁଳିରେ ଅନେକ ଶିକାର କରିବାକୁ ଉଦ୍ୟମ କରିଛନ୍ତି ରାବିଡି ଦେବୀ ।
ନିଶାନ୍ତ ହୁଅନ୍ତୁ ମୁଖ୍ୟମନ୍ତ୍ରୀ !
ରାବି଼ଡି ଦେବୀଙ୍କ ବୟାନ ବିହାର ରାଜନୀତିରେ କମ୍ପନ ଆଣିଛି । ନୀତିଶ କୁମାରଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହିବା ସହ ସେ ଗାଦି ଛାଡିବାକୁ କହିଛନ୍ତି ରାବିଡି ଦେବୀ । ନୀତିଶଙ୍କୁ କ୍ଷମତା ଛାଡି ପୁଅ ନିଶାନ୍ତଙ୍କୁ ଗାଦିରେ ବସାଇବାକୁ କହିଛନ୍ତି । ଏହାପୂର୍ବରୁ ନୀତିଶ କୁମାରଙ୍କୁ ମହାଗଠବନ୍ଧନକୁ ଆସିବାକୁ ଅଫର ଦେଇଥିଲେ ରାବିଡି ଦେବୀ । ତେଜସ୍ବୀ ଯାଦବ ମଧ୍ୟ କହିଥିଲେ, ନୀତିଶ କୁମାର କେବେ ପଲଟି ମାରିବେ ତାର ଗ୍ୟାରେଣ୍ଟି ନାହିଁ । ଏହାପୂର୍ବରୁ ହୋଲି ଅବସରରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବୟାନକୁ ନେଇ ବି ଚର୍ଚ୍ଚା ହୋଇଥିଲା । ପୁରୁଣା କଥା ଭୁଲି ନୂଆ ଆରମ୍ଭ କରିବାକୁ କହିଥିଲେ ଲାଲୁ । ତେବେ ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଲାଲୁ ଓ ତାଙ୍କ ପରିବାର ଏଭଳି ବୟାନ ଦେଉଛନ୍ତି? ବିଜେପି ଓ ନୀତିଶଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଯୋଜନାବଦ୍ଧ ଭାବେ ଏଭଳି ବୟାନ ଦେଉଥିବା କୁହାଯାଉଛି । କାରଣ ଆରଜେଡି ଚାହୁଁଛି, ବିଜେପିଠାରୁ ଅଲଗା ହୁଅନ୍ତୁ ନୀତିଶ ।
ମୁହଁ ବନ୍ଦ କରିବାକୁ ମାଷ୍ଟରପ୍ଲାନ୍
ନିଶାନ୍ତଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିବା ନେଇ ରାବିଡି ଦେବୀଙ୍କ ବୟାନ ପଛରେ ଆଉ ଏକ ବଡ଼ କାରଣ ହେଉଛି ପରିବାରବାଦକୁ ନେଇ ବିଜେପି ଓ ଜେଡିୟୁର ମୁହଁ ବନ୍ଦ କରିବା । ଲାଲୁଙ୍କ ପରିବାର ଉପରେ ନୀତିଶ କୁମାର ଓ ବିଜେପି ପରିବାରବାଦ ରାଜନୀତି ଓ ଜଙ୍ଗଲରାଜକୁ ନେଇ ଟାର୍ଗେଟ୍ କରି ଆସୁଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ପୁଣି ଟାର୍ଗେଟ୍ ହେବ । ତେବେ ନୀତିଶ କୁମାର ଯଦି ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାନ୍ତି, ତେବେ ପରିବାରବାଦକୁ ନେଇ ଆଉ କିଛି କହିପାରିବେନି ନୀତିଶ । କାରଣ ନିଜେ ପରିବାରବାଦ ଢାଞ୍ଚାରେ ଫିଟ୍ ହୋଇଯିବେ। ଜେଡିୟୁର ସହଯୋଗୀ ଭାବେ ବିଜେପି ମୁହଁରେ ବି ତାଲା ଲାଗିଯିବ ।
ନୀତିଶ ଅସୁସ୍ଥ…ନାରେଟିଭ୍ !
ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାର ଅର୍ଥ କେଉଁଠି ନା କେଉଁଠି ନୀତିଶଙ୍କ ଅକ୍ଷମତାକୁ କଟାକ୍ଷ । ଗତ କିଛି ଦିନ ମଧ୍ୟରେ ବିହାର ରାଜନୀତିରେ ନୀତିଶଙ୍କ ଅସୁସ୍ଥତାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ବଜେଟ୍ ଉପରେ ଚର୍ଚ୍ଚା ସମୟରେ ଗୃହରେ ତେଜସ୍ବୀଙ୍କ ଆଡକୁ ଇସାରା କରିବା ହେଉ କି ଶ୍ରଦ୍ଧାଞ୍ଜଳି ସଭାରେ ମନ୍ତ୍ରୀଙ୍କ ଉପରେ ଫୁଲ ପକାଇ ହେଉ, ଅନେକ ସମୟରେ ନିଜ ଆଚରଣକୁ ନେଇ ନୀତିଶ ଚର୍ଚ୍ଚାରେ ରହିଛନ୍ତି । ବିରୋଧୀ ଏହାକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାପ ପକାଇ ଆସୁଛନ୍ତି । ତେବେ ଏଥିରେ ଆଉ ପାଦେ ଆଗକୁ ଯାଇଛନ୍ତି ରାବିଡି ଦେବୀ । ଗୋଟେପଟେ ନୀତିଶ ଯେ ରାଜ୍ୟ ଚଳାଇବାକୁ ଅକ୍ଷମ ସେନେଇ ନାରେଟିଭ୍ ପ୍ରସ୍ତୁତ କରିବା ସହ ତାଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛନ୍ତି ।
ନିଶାନ୍ତ ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଭିତରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ କହି ବଡ଼ ଗୁଗଲି ମାରିଛନ୍ତି ରାବିଡି ଦେବୀ । ବିହାରରେ ଏନଡିଏ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି ନାହିଁ? ଏନେଇ ଦ୍ବନ୍ଦ୍ବ ରହିଥିବା ବେଳେ ଉଭୟ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ନିଶାନ୍ତଙ୍କୁ ନେଇ ମତଭେଦ ହୋଇପାରେ । ଯାହା ଆରଜେଡିକୁ ସିଧା ଲାଭ ଦେବ । ତେଣୁ ବିହାର ନିର୍ବାଚନ ପୂର୍ବରୁ ନିଶାନ୍ତ ତୀର ଲଗାଇଛନ୍ତି ରାବିଡି ଦେବୀ ।
Comments are closed.