Latest Odisha News

BREAKING NEWS

ରାହୁଲଙ୍କ ଉପରୁ ତୁଟୁଛି ଭରସା !

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଅଲ୍ ଇଜ ନଟ୍ ଓ୍ବେଲ୍ । ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସଂସଦରେ ହେଉ କି ସଂସଦ ବାହାରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ ଦେଖାଯାଉଛି। ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ ପରେ ଏବେ ସହଯୋଗୀ ଦଳ ମେଣ୍ଟ ଭିତରେ ନିଜ ବଳ ଦେଖାଇଲେଣି । କିଏ ରାହୁଲଙ୍କ ନେତୃତ୍ବକୁ ପ୍ରଶ୍ନ କରୁଛି ତ କିଏ ମମତା ଅଧିକ ସକ୍ଷମ ବୋଲି ଯୁକ୍ତି ବାଢୁଛନ୍ତି । ଲୋକସଭା ନିର୍ବାଚନ ପରେ ଏକାଠି ଦିଶୁଥିବା ଇଣ୍ଡିଆ ମେଣ୍ଟ ଏବେ ଭିନ୍ନ ଭିନ୍ନ ମତକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ବଦଳୁଛି କି ଅଖିଳେଶଙ୍କ ମୁଡ୍?

ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ଉତ୍ତରପ୍ରଦେଶ । ଅନେକ ସମୟରେ ଏକାଠି ନଜର ଆସିଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ । ଏହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ବି ଦେଖିବାକୁ ମିଳିଲା । ଲୋକସଭାରେ ଏକାଠି ଭଲ ସ୍କୋର କଲେ ରାହୁଲ ଓ ଅଖିଳେଶ । ହେଲେ ଏବେ ସେ ସଂପର୍କ ପୁରୁଣା ହୋଇଛି । ସପା ଓ କଂଗ୍ରେସ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସପା ମହାବିକାଶ ଅଘାଡିଠାରୁ ଅଲଗା ହେବାକୁ ଘୋଷଣା କରିସାରିଛି । ସେପଟେ ସମ୍ଭଲ ହିଂସା ଓ ଲୋକସଭା ସିଟିଂ ଆରେଞ୍ଜମେଣ୍ଟକୁ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ସ୍ପଷ୍ଟ ଦେଖିବାକୁ ମିଳିଛି । ଏପରିକି ସପା ସାଂସଦ ରାମଗୋପାଳ ଯାଦବ ରାହୁଲ ଇଣ୍ଡିଆ ମେଣ୍ଟର ନେତା ନୁହନ୍ତି ବୋଲି କହିଛନ୍ତି ।

ନେତୃତ୍ବ ନେବେ ମମତା !

ସୁଯୋଗ ମିଳିଲେ ଇଣ୍ଡିଆ ମେଣ୍ଟର କମାଣ ସମ୍ଭାଳିବା ନେଇ ସଂକେତ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ପଦରେ ରହି ମଧ୍ୟ ବିରୋଧୀ ମେଣ୍ଟର ନେତୃତ୍ବ ସମ୍ଭାଳି ପାରିବେ ବୋଲି ମମତା କହିଛନ୍ତି । ମମତାଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ବିଜେପି ସହ ସିଧାସଳଖ ଲଢେଇ ପାଇଁ ମମତା ହିଁ ସକ୍ଷମ ବୋଲି ଟିଏମସି ସାଂସଦ କିର୍ତ୍ତୀ ଆଜାଦ ଯୁକ୍ତି ବାଢିଛନ୍ତି । ବିଜେପି ଆଗରେ କଂଗ୍ରେସର ଷ୍ଟ୍ରାଇକ୍ ରେଟ୍ ୧୦ପ୍ରତିଶତ ରହିଥିବା ବେଳେ ମମତାଙ୍କ ଷ୍ଟ୍ରାଇକ ରେଟ୍ ୭୦ ପ୍ରତିଶତ ରହିଛି । ସବୁ ଦଳ ମମତା ନେତୃତ୍ବ ନିଅନ୍ତୁ ବୋଲି ଚାହୁଁଥିବା ବେଳେ କଂଗ୍ରେସର ସମସ୍ୟା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସବୁ ସହଯୋଗୀ ଦଳ ପରିବର୍ତ୍ତନ ସହ ସକ୍ଷମ ନେତୃତ୍ବ ଚାହୁଁଛନ୍ତି ବୋଲି କିର୍ତ୍ତୀ ଆଜାଦ କହିଛନ୍ତି।

କଂଗ୍ରେସକୁ ନେଇ ଉଠୁଛି ପ୍ରଶ୍ନ

ଇଣ୍ଡିଆ ମେଣ୍ଟକୁ ନେଇ ନିକଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମହାସଚିବ ଡି ରାଜା ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମେଣ୍ଟର ଅଧ୍ୟକ୍ଷ, ତେଣୁ ସେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିବା ଜରୁରୀ । କଂଗ୍ରେସକୁ ଗମ୍ଭୀରତାର ସହ ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ଡି ରାଜା କହିଛନ୍ତି । କାହିଁକି ବିଧାନସଭା ନିର୍ବାଚନରେ ସିଟ୍ ଭାଗବଣ୍ଟା ଠିକରେ କରାଗଲାନି? ସେନେଇ ବିଚାର ବିମର୍ଶ କରିବା ଜରୁରୀ । କାରଣ ସିଟ୍ ଭାଗବଣ୍ଟା ଭୁଲ ପାଇଁ କଂଗ୍ରେସକୁ ପରାଜୟର ସାମନା କରିବାକୁ ପଡିଛି ।

କେଜ୍ରିଓ୍ବାଲଙ୍କ ଏକଲା ଚଲୋ ନୀତି

ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏକା ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛି । କଂଗ୍ରେସ ସହ ଏକାଠି ନିର୍ବାଚନ ଲଢିବାର ରିସ୍କ ନେଇନି ଦଳ । କଂଗ୍ରେସଠାରୁ ଦୂରେଇ ନିର୍ବାଚନ ଅଙ୍କ କଷିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଉଦ୍ଧବ ଠାକରେଙ୍କ ଶିବସେନା ବି ଦଳୀୟ ମୁଖପାତ୍ର ସାମନାର ସଂପାଦକୀୟରେ କଂଗ୍ରେସକୁ ଟାର୍ଗେଟ୍ କରିଛି । ଆପକୁ ଇଣ୍ଡିଆ ମେଣ୍ଟରେ ରଖିବା ପାଇଁ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମନାଇବା ଉପରେ ଫୋକସ୍ କରିଛି ଦଳ । ମମତା ବାନାର୍ଜୀ କଂଗ୍ରେସଠାରୁ ଦୂରତା ରଖି ରାଜନୀତି କରୁଛନ୍ତି । କେଜ୍ରିଓ୍ବାଲ ବି ଏବେ ସମାନ ରାସ୍ତାରେ ଆଗଉଛନ୍ତି । ତେଣୁ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ କଂଗ୍ରେସ ଉଦ୍ୟମ କରିବା ଜରୁରୀ ବୋଲି ସାମନାରେ ଲେଖାଯାଇଛି ।

Comments are closed.