Latest Odisha News

ରୁଷରୁ ରାୟଗଡ଼ା…ସଂଯୋଗ ନା ସୁପରିକଳ୍ପିତ ଷଡଯନ୍ତ୍ର ?

ଭୁବନେଶ୍ୱର:ରୁଷରୁ.. ରାୟଗଡା । ଜନ୍ମଦିନ ପାଳନରୁ. ଜୀବନ ଯିବା ସଂଯୋଗ ନା ସୁପରିକଳ୍ପିତ ? ଜନ୍ମଦିନ ପାଳନ ପାଇଁ ରାୟଗଡାକୁ କାହିଁକି ବାଛିଥିଲେ ଏଇ ରୁଷୀୟ ନାଗରିକ ?  ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ରହିଛି ଷଡଯନ୍ତ୍ର ? ଯଦି ଆତ୍ମହତ୍ୟା, ତେବେ  ବୁଲିବାକୁ ଆସି ଏମିତି ଚରମ ନିଷ୍ପତ୍ତି କାହିଁକି ନେଲେ ?  ଜଣେ ନୁହେଁ, ଦୁଇ ଦୁଇ ଜଣ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଛି ଏମିତି ପ୍ରଶ୍ନ  ।

ଓଡ଼ିଶା ବୁଲିବାକୁ ଆସି ଜୀବନ ହାରିଛନ୍ତି ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ବ୍ଲାଡିମିର ବିଦାନୋଭ । ଜଣଙ୍କ ମୃତ୍ୟୁର ୨ ଦିନ ଯାଇନି ଅନ୍ୟଜଣେ ଆତ୍ମହତ୍ୟା କରିଥିବା କୁହାଯାଉଛି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆତ୍ମହତ୍ୟା କରିଥିବା ପାଭେଲ ଆନ୍ତୋଭ ଜଣେ ଧନୀ ବ୍ୟବସାୟୀ ଏବଂ ରୁଷର ଜଣେ ସାଂସଦ ।

କୁହାଯାଉଛି, ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କର ସେ ଥିଲେ ସମାଲୋଚକ ।   ରୁଷ-ୟୁକ୍ରେନ ଯୁଦ୍ଧକୁ ସେ ବିରୋଧ ବି କରୁଥିଲେ ।  ଏହି ବିରୋଧର ଚାପ କ’ଣ ତାଙ୍କ ପାଇଁ ମହଙ୍ଗା ପଡ଼ିଲା କି ? ରାୟଗଡା ସହ ରହିଛି କି ରୁଷର ଲିଙ୍କ ? ମୃତ୍ୟୁ ପଛରେ ରହିଛି କି ଭୀଷଣ ଷଡଯନ୍ତ୍ର ? ପାଭେଲଙ୍କ ମୃତ୍ୟୁ ଖବର  ରୁଷ ଦୂତାବାସ ସୂତ୍ରରୁ ଜାଣିବା ପରେ ରୁଷ ସଂସଦରେ ଶୋକ ପ୍ରକାଶ ପାଇଛି । ରୁଷ ସଂସଦର ଉପବାଚସ୍ପତି ପାଭେଲଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କିନ୍ତୁ ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଗତ  ୨୨ ତାରିଖରେ  ପ୍ରଥମେ ବ୍ଲାଡିମିର ବିଦାନୋଭଙ୍କୁ ମୃତ ଅବସ୍ଥାରେ ତାଙ୍କ ରୁମରୁ ଉଦ୍ଧାର କରାଯାଇଥିଲା । ଗାଇଡଙ୍କ କହିବା ଅନୁଯାୟୀ,  ପାଭେଲ ଓ ବ୍ଲାଡିମିର କୁଆଡେ ଦୁଇ ଘନିଷ୍ଠ ବନ୍ଧୁ । ବନ୍ଧୁଙ୍କ ଅସ୍ୱାଭାବିକ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପାଭେଲ ।  ଅସ୍ୱାଭାବିକ ଆଚରଣ ବି କରୁଥିଲେ । ଗତ ୨୪ ତାରିଖରେ ରାୟଗଡ଼ା ସ୍ଥିତ ଏକ ହୋଟେଲ ଛାତରୁ ଡେଇଁ ପାଭେଲ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି ।

ଦୁଇ ବନ୍ଧୁ ଭ୍ଲାଡ଼ିମିର ଓ ପାଭେଲଙ୍କ ସହ ତାଙ୍କ ସାଙ୍ଗ ପାନ ସେଙ୍କୋ ଓ ଟୁର୍ଭୋ ଓଡ଼ିଶା ଆସିଥିଲେ । ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚିବା ପରେ ସେଠାରୁ ଭୁବନେଶ୍ୱର ଦେଇ ରାୟଗଡା ଯାଇଥିଲେ । ରାୟଗଡାର ଏକ ଅନ୍ତର୍ଜାତୀୟ ହୋଟେଲରେ ୪ ଜଣଯାକ ଥିଲେ । ଗୋଟିଏ ରୁମରେ ସେଙ୍କୋ ଓ ଟୁର୍ଭୋ ରହିଥିବାବେଳେ ଅନ୍ୟ ଏକ ରୁମରେ ରହୁଥିଲେ ଭ୍ଲାଡ଼ିମିର ଓ ପାଭେଲ । ୨୨ ତାରିଖ ସକାଳୁ ବ୍ଲାଡିମିରଙ୍କ ମୃତଦେହ ତାଙ୍କ ରୁମରୁ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା କୁହାଯାଉଛି । ରାୟଗଡାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିବାବେଳେ ପାଭେଲଙ୍କ ମୃତଦେହକୁ ରାୟଗଡ଼ା ପୋଲିସ ସଂରକ୍ଷିତ କରି କରିଛି । ପୋଲିସ ଘଟଣାର ତଦନ୍ତ କରୁଛି । ପାଭେଲଙ୍କ ସହ ଆସିଥିବା ରୁଷ ଦମ୍ପତି, ଗାଇଡ, ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ ।

Comments are closed.