Latest Odisha News

ଅଭିମାନ, ଅସନ୍ତୋଷ ନା କୋଣଠେସା ?

ଭୁବନେଶ୍ବର: ଋଷିଛନ୍ତି ଜୟନାରାୟଣ, ବୁଝାଇବ କଣ ବିଜେପି ବେଳକୁ ବେଳ ତାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ବିଜେପି ସରକାର ଗଠନ ପରଠୁ ଦଳର ବରିଷ୍ଠ ନେତା ଜୟନାରାୟଣଙ୍କୁ ଦଳ କୋଣଠେସା କରିଥିବା ଅଭିଯୋଗ ହେଉଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ନିଷ୍ପତ୍ତି ହୋଇପାରିନଥିବା ବେଳେ ଜିଲ୍ଲାର ସାଂଗଠନିକ ବ୍ୟାପାରରେ ବି ଜୟନାରାୟଣଙ୍କୁ ଦୂରରେ ରଖାଯାଉଥିବା ଚର୍ଚ୍ଚା ହେଉଛି । ନିଜେ ଜୟନାରାୟଣ ବି କେତେବେଳେ ପରୋକ୍ଷରେ ତ କେତେବେଳେ ସିଧାସଳଖ ନିଜ ଅସନ୍ତୋଷ ଜଣାଉଛନ୍ତି । ନିକଟରେ ରାଜ୍ୟ ସଂଗୀତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡୁଆରେ ପକାଇଥିଲେ ଜୟନାରାୟଣ । ଏବେ ପୁଣି ବୁର୍ଲା ବିଜେପି ବୈଠକରେ ଯୋଗ୍ୟତା ନଥିବା କହି ପଛ ସିଟରେ ବସିଥିଲେ। ଜୟନାରାୟଣଙ୍କୁ ନେଇ ବିଜେପି ନେତା ମତ ରଖୁନଥିଲେ ବି, ଦଳ ଉପରେ ତାଙ୍କ ଅଭିମାନ ସ୍ପଷ୍ଟ ଦିଶୁଛି ।

ବିଜେପି ବୈଠକ…ପଛରେ ବସିଲେ ଜୟନାରାୟଣ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ନେଇ ସମ୍ବଲପୁର ବୁର୍ଲାରେ ବୈଠକ ବସିଥିଲା । ଏଥିରେ ରାଜ୍ୟ ସଭାପତିଙ୍କ ସହ ୨ଜଣ ମନ୍ତ୍ରୀ ଓ ପଶ୍ଚିମ ଓଡିଶାର ବିଧାୟକ ଯୋଗ ଦେଇଥିଲେ । ତେବେ ଚର୍ଚ୍ଚା ହେଉଛି, କୁଆଡେ ମଞ୍ଚରେ ବସିବାକୁ ଜୟନାରାୟଣଙ୍କ ପାଇଁ ଚେୟାର ପଡିନଥିଲା । ଉଭୟ ବୈଠକ ଭିତରେ ଓ ବାହାରେ ଅସନ୍ତୋଷ ଝାଡ଼ିଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ବୈଠକ ସଂପର୍କରେ ବଡ଼ବଡ଼ିଆ ନେତାଙ୍କୁ ପଚାରିବାକୁ କହିଥିଲେ । ସେ ଛୋଟକାଟିଆ ନେତା, ମଞ୍ଚରେ ବସିବାକୁ ଯୋଗ୍ୟତା ଦରକାର । ସେ ଜାଗା ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ମନ୍ତ୍ରୀଙ୍କ ପାଇଁ, ସେ ତା ଭିତରୁ କେହି ନୁହେଁ କହି ରୋଷ ଝାଡ଼ିଛନ୍ତି ଜୟନାରାୟଣ ।

ବିଜେପିକୁ ମାରିଥିଲେ ତେରେଛା ବାଣ

ସମ୍ବଲପୁର ବୈଠକ ପୂର୍ବରୁ ବି ଦଳ ବିରୋଧରେ ବିଷ ଓଗାରିଥିଲେ ଜୟନାରାୟଣ । ଦିବଂଗତ ବିଜେପି ନେତା ସମୀର ଦେଙ୍କ ଶୋକସଭାରେ ନିଜକୁ ତଡାଖିଆ ନେତା କହିଥିଲେ । ବିଜେପିରୁ ସେ ସାଇଡଲାଇନ୍ ହୋଇ ରହିଥିବା ବି କହିଥିଲେ । ଏପରିକି ତାଙ୍କ ବିରୋଧରେ ଲୋକ ଲଗାଯାଉଥିବା ଜୟନାରାୟଣ କହିଥିଲେ । ତାଙ୍କ ବିରୋଧରେ ଜଣେ ଲୋକ ରହିଛି ଓ ଏହା ଦଳର ଯୋଜନାବଦ୍ଧ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ସେତେବେଳେ ମଧ୍ୟ ରାଜ୍ୟ ସଭାପତି ତଥା ଦଳର ବରିଷ୍ଠ ନେତାଙ୍କ ଆଗରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ ଜୟନାରାୟଣ।

ଅଡୁଆରେ ପକାଇଥିଲେ ଜୟନାରାୟଣ

ନିଜ ଦଳ ବିରୋଧରେ ବାରମ୍ବାର ରୋଷ ଝାଡୁଥିବା ଜୟନାରାୟଣ ବିବାଦୀୟ ବୟାନ ଦେଇ ବିଜେପି ପାଇଁ ଅଡୁଆ ପରିସ୍ଥିତି ବି ସୃଷ୍ଟି କରିଥିଲେ। ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ, ଓଡିଶାରେ ମିଶିବା ଐତିହାସିକ ଭୁଲ ବୋଲି କହିଥିଲେ ଜୟନାରାୟଣ। ଏହାସହ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ କରିଥିଲେ । ଏହାକୁ ନେଇ ବିଧାନସଭାରୁ ସଡ଼କ ସବୁଠି ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଥିଲେ । ଗୃହ ଭିତରେ ହାତାହାତି ପରିସ୍ଥିତି ବି ଦେଖା ଦେଇଥିଲା । ଏହା ପରେ ବି ନିଜ ବୟାନରେ ଦୃଢ ରହିଥିଲେ ଜୟନାରାୟଣ । ତେବେ ଦଳ ଏଥିରୁ ନିଜକୁ ଦୂରରେ ରଖିଥିଲା ।

ପୂର୍ବ ବିଜେଡି ସରକାର ବେଳେ ବିରୋଧୀ ଦଳ ନେତା ଥିଲେ ଜୟନାରାୟଣ ମିଶ୍ର। ତାଙ୍କ ନେତୃତ୍ବରେ ହିଁ ବିଜେପିର ସ୍ବରକୁ ବଳ ମିଳିଥିଲା । ଫାଇଭ୍-ଟି ପ୍ରସଙ୍ଗରେ ଗତ ସରକାରକୁ ଘେରୁଥିଲେ । ଜୟନାରାୟଣଙ୍କ ଆଟାକିଂ ଅନ୍ଦାଜ ପାଇଁ ବିଧାନସଭାରେ ବି ଅପଦସ୍ତ ହୋଇଥିଲା ବିଜେଡି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ସରକାରର ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇନଥିଲେ । ଅଭିମାନରେ ସେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ। ବାକି ଥିବା ୬ ମନ୍ତ୍ରୀପଦ କିମ୍ବା ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଦେଇ ଜୟନାରାୟଣଙ୍କୁ ବିଜେପି ମନାଇପାରେ ବୋଲି ବି କୁହାଗଲା। ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲାନି । ତୃଣମୂଳସ୍ତରରୁ ରାଜନୀତି କରିଥିବା ଜୟନାରାୟଣ ଅଶୀ ଦଶକରୁ ରାଜନୀତିରେ ସକ୍ରିୟ ରହିଛନ୍ତି । ବିଜେପିର ନେତୃତ୍ବ ନେଇ ବିଜେଡିର ଟାର୍ଗେଟରେ ରହିଥିଲେ ଜୟନାରାୟଣ । ତାଙ୍କ ନାଁରେ ମାମଲା ବି ହୋଇଥିଲା । ଏପରିକି ଏଥର ବିଜେଡି ଆସିଥିଲେ ସେ ଗିରଫ ହେବାର ବି ଆଶଙ୍କା ଥିଲା । ଦଳ ପାଇଁ ନିଜକୁ ଅନେଇ ନଥିବା ଜୟନାରାୟଣ ଏବେ ନିଜ ଦଳରେ ହିଁ ଅଣଦେଖାର ଶିକାର ହେଉଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.