Latest Odisha News

BREAKING NEWS

କାହିଁକି ନିର୍ବାଚନ ‘ବୟକଟ୍’ କଥା କହୁଛନ୍ତି ତେଜସ୍ବୀ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ବଡ଼ ଗୋଟି ! କାହିଁକି ନିର୍ବାଚନ ବୟକଟ୍ କରିବାକୁ କହୁଛନ୍ତି ତେଜସ୍ବୀ? ଭୋଟର ତାଲିକା ସଂଶୋଧନକୁ ବିହାରରେ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ । ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ଏସଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ତେଜସ୍ବୀ । ଭୋଟର ସରକାର ବାଛିବେନି ବରଂ ସରକାର ଭୋଟର ବାଛୁଛନ୍ତି । ଅନ୍ୟ ବିରୋଧୀ ଦଳ ଓ ଜନତା ସହମତ ହେଲେ ନିର୍ବାଚନ ବହିଷ୍କାର କରିବା ନେଇ ଚିନ୍ତା କରାଯାଇପାରିବ ବୋଲି ସେ କହିଛନ୍ତି । ନିରପେକ୍ଷ ଭାବେ ଯଦି ନିର୍ବାଚନ କରାଯିବନି ତେବେ କାହିଁକି ନିର୍ବାଚନ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ବହିଷ୍କାର ପ୍ରସଙ୍ଗ ମହାଗଠବନ୍ଧନକୁ କେତେ ଫାଇଦା ଦେବ?

ଏବେ ସରକାର ବାଛୁଛନ୍ତି ଭୋଟର !

ବିହାରରେ ଭୋଟର ତାଲିକା ସଂଶୋଧନ କୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ତେଜସ୍ବୀ । ବିହାରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ କାହିଁକି ଅଚାନକ ଏଭଳି ଅଭିଯାନ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେଜସ୍ବୀଙ୍କ ଏପରି ବୟାନ ଦେଇ ବିରୋଧୀ ଏକତା ମଜବୁତ କରିବା ସହ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ସଂଶୋଧନ ଉପରେ ପ୍ରଶ୍ନ ଉଠାଇବାକୁ ଉଦ୍ୟମ କରିଛନ୍ତି । ଗଣତନ୍ତ୍ରରେ ନିରପେକ୍ଷତା ନେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ତେଜସ୍ବୀ । ସେପଟେ ତେଜସ୍ବୀଙ୍କ ନିର୍ବାଚନ ବହିଷ୍କାର ବୟାନକୁ ଚାପ ରଣନୀତି କହିବା ସହ ସବୁ ବିକଳ୍ପ ଖୋଲାଥିବା କଂଗ୍ରେସ କହିଛି ।

କାହିଁକି ବିରୋଧ କରୁଛନ୍ତି ତେଜସ୍ବୀ?

ରାଜ୍ୟରେ ଭୋଟର ତାଲିକା ସଂଶୋଧନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ଏସଆଇଆରରେ ଏପର୍ଯ୍ୟନ୍ତ ୯୮ପ୍ରତିଶତରୁ ଅଧିକ ଭୋଟରଙ୍କୁ ସାମିଲ କରାଯାଇଛି । ଏସଆଇଆର ଅଭିଯାନ ବେଳେ ୨୦ଲକ୍ଷ ମୃତ ଭୋଟର ଓ ୨୮ଲକ୍ଷ ସ୍ଥାୟୀ ଭାବେ ଅନ୍ୟତ୍ର ରହୁଥିବା ଭୋଟର ଚିହ୍ନଟ କରାଯାଇଛି । ସେହିପରି ୧ଲକ୍ଷ ଭୋଟରଙ୍କ କୌଣସି ତଥ୍ୟ ମିଳୁନି। ରାଜ୍ୟରେ ପ୍ରାୟ ୫୨ଲକ୍ଷ ଭୋଟରଙ୍କ ନାଁ କଟିବ । ସିଟ୍ ହିସାବରେ ଦେଖିଲେ ପ୍ରତି ସିଟରେ ୨୧ହଜାର ଭୋଟରଙ୍କ ନାଁ ତାଲିକାରୁ କଟିବ । ୨୦୨୦ ବିଧାନସଭା ନିର୍ବାଚନରେ ୧୫୩ ସିଟରେ ହାର ଜିତର ବ୍ୟବଧାନ ୨୦ହଜାରରୁ କମ୍ ଥିଲା । ଏପରିକି ୮୦ଟି ସିଟରେ ତ ହାର ଜିତର ବ୍ୟବଧାନ ୧୦ରୁ ୨୦ହଜାର ଭୋଟ୍ ଥିଲା । ତେଣୁ ଭୋଟର ତାଲିକା ସଂଶୋଧନରେ ୫୨ଲକ୍ଷ ନକଲି ଭୋଟର କଟିଲେ, ଭୋଟ୍ ଗଣିତ ବିଗିଡିପାରେ । ତେଜସ୍ବୀଙ୍କ ବିରୋଧ ପଛରେ ଏହାକୁ କାରଣ ବୋଲି କୁହାଯାଉଛି ।

କାମ ଦେବ କି ବହିଷ୍କାର ରଣନୀତି?

ତେଜସ୍ବୀଙ୍କ ଏପରି ବୟାନ ନିର୍ବାଚନୀ ରଣନୀତି । ଏନଡିଏ ସରକାର ଓ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇ ବିରୋଧୀ ମେଣ୍ଟକୁ ଏକଜୁଟ୍ କରିବା ଏହାର ଲକ୍ଷ୍ୟ । ଏହାସହ ନିଜ କୋର ଭୋଟବ୍ୟାଙ୍କ ଯାଦବ, ମୁସଲିମ ଓ ଓବିସିଙ୍କୁ ଅଧିକ ଗତିଶୀଳ କରିବା । ଭୋଟର ତାଲିକାରେ ହେରଫେର ଅଭିଯୋଗ ଆଣି ବନ୍ୟା ପ୍ରଭାବିତ ଅଞ୍ଚଳ ଓ ସାମାଜିକ ନ୍ୟାୟ ପ୍ରସଙ୍ଗରେ ଜନତାଙ୍କ ସମର୍ଥନ ପାଇପାରନ୍ତି । ସେପଟେ ଯଦି ତେଜସ୍ବୀ ନିର୍ବାଚନ ବହିଷ୍କାର କରିବାକୁ ଅଡି ବସନ୍ତି ଓ ଏଥିରେ ତାଙ୍କୁ ଅନ୍ୟ ସହଯୋଗୀ ଦଳଙ୍କ ସମର୍ଥନ ମିଳେ, ତେବେ ଏନଡିଏ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇପାରେ । ବିହାରର ଗ୍ରାମାଞ୍ଚଳର ଗରୀବ ଭୋଟର ମତଦାନକୁ ନିଜ ଅଧିକାର ଭାବେ ଦେଖନ୍ତି । ତେଜସ୍ବୀଙ୍କର ନିର୍ବାଚନ ବହିଷ୍କାର ବୟାନ ସେମାନଙ୍କ ମନରେ ଅସନ୍ତୋଷ ବଢାଇପାରେ । ତେବେ ନିର୍ବାଚନ ବହିଷ୍କାରକୁ ହତିଆର କରିବାକୁ ହେଲେ ତେଜସ୍ବୀଙ୍କୁ ପ୍ରଥମେ ସହଯୋଗୀଙ୍କୁ ଏକାଠି କରିବାକୁ ପଡିବ ।

Comments are closed.