Latest Odisha News

BREAKING NEWS

ପାଓ୍ୱାରଫୁଲ ମନ୍ତ୍ରୀଙ୍କୁ ପାଓ୍ୱାର ଲେସ୍ କାହିଁକି କଲେ ନବୀନ ?

ଭୁବନେଶ୍ୱର: ଶାସକ ଦଳ ବିଜେଡି ତଥା ମନ୍ତ୍ରୀ ମଣ୍ଡଳରେ ଅନ୍ୟତମ ପାଓ୍ୱାରଫୁଲ୍ ନେତା ଥିଲେ ମନ୍ତ୍ରୀ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ, ପ୍ରତାପ ଜେନା, ପଦ୍ମନାଭ ବେହେରା ଏବଂ ସୁଦାମ ମାରାଣ୍ଡି। ଏବେ ଏହି ନେତାଙ୍କୁ ନବୀନ ପଞ୍ଚମ ପାଳି ସରକାରରେ ଦ୍ୱିତୀୟ ଥର ମନ୍ତ୍ରୀ ନକରିବା ପରେ ଆରମ୍ଭ ହୋଇଛି କାରଣ ଖୋଜା । ଆଉ ବିରୋଧୀଙ୍କ ଯେଉଁ ଅଭିଯୋଗକୁ ସେତେବେଳେ ମୁଖ୍ୟମନ୍ତ୍ରୀ ଶୁଣି ନଶୁଣିଲା ଭଳି ହୋଇଥିଲେ ଏବେ କିନ୍ତୁ ଅନ୍ୟାନ୍ୟ ଦିଗକୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି।

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅରୁଣ ସାହୁ ବିବାଦୀୟ ହୋଇପଡିଥିଲେ। ଏହି ମାମଲାକୁ ନେଇ ବିରୋଧୀ ଯଦିଓ ସେତେବେଳେ ଅରୁଣଙ୍କ ଇସ୍ତଫା ଦାବି କରିଥିଲେ ହେଲେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ଅରୁଣଙ୍କ ବିରୋଧରେ । ଏବେ କିନ୍ତୁ ଅରୁଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ଏବଂ ଦଳ ଭିତରେ ତାଙ୍କର ସକ୍ରିୟତାକୁ ଦେଖି ନବୀନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

ସେହିପରି ଗତବର୍ଷ ଶେଷ ବେଳକୁ ସବୁଠୁ ଚର୍ଚ୍ଚାରେ ଥିଲା କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲା। ଯାହାକୁ ନେଇ ବିରୋଧୀଙ୍କ ସ୍କାନରକୁ ଆସିଥିଲେ ତତ୍କାଳୀନ ଗୃହ ରାଜ୍ୟ ତଥା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯାହାକୁ ନେଇ ହାଇକୋର୍ଟରେ ଦିବ୍ୟଙ୍କ ବିରୋଧରେ ମାମଲା ମଧ୍ୟ ରହିଛି।

ଏହାବାଦ ଅନ୍ୟତମ ପାଓ୍ୱାରଫୁଲ ମନ୍ତ୍ରୀ ଥିଲେ ପ୍ରତାପ ଜେନା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ତାଙ୍କ ବିରୋଧରେ ରହିଛି ମାମଲା । ତାଙ୍କ ନିର୍ଦ୍ଦେଶରେ ହିଁ ମାହାଙ୍ଗାରେ ଡବଲ ମର୍ଡର ହୋଇଛି ବୋଲି ଅଭିଯୋଗ ରହିଛି। କୋର୍ଟଙ୍କ ନିର୍ଦ୍ଦେଶସତ୍ତ୍ୱେ ସ୍ଥାନୀୟ ଥାନା ଅଧିକାରୀ ତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଇଥିବା ଅଭିଯୋଗ ରହିଛି। ଅନ୍ୟପଟେ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦୀ ସରକାରଙ୍କ ୮ ବର୍ଷର ସରକାର ଅବସରରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ୨୦୨୪ ପାଇଁ ପରୋକ୍ଷରେ ବିଗୁଲ ଫୁଙ୍କିଛନ୍ତି। ତେଣୁ ଆସନ୍ତା ସାଧାରଣ ନିର୍ବାଚନ ବେଳକୁ ଏହିସବୁ ପୁଞ୍ଜିଭୂତ ଅସନ୍ତୋଷ ଦଳର ଭୋଟ୍ ବ୍ୟାଙ୍କ ପାଇଁ ବୁମେରାଂ ନହେଉ ଭାବି ନବୀନ ଏମାନଙ୍କୁ ପାଓ୍ୱାର ଲେସ କରିଥିବା କୁହାଯାଉଛି।

ସେହିପରି ଏମାନଙ୍କ ବ୍ୟତତୀ ପଦ୍ନନାଭ ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପଦ୍ନିନୀ ଦିଆନ, ରଘୁନନ୍ଦନ ଦାଶ ଆଦି ନେତାଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ଏବଂ କାର୍ଯ୍ୟଦକ୍ଷତା ସହିତ ଆନୁଗତ୍ୟର ଅଭାବକୁ ଦେଖି ନବୀନ ଏମାନଙ୍କ ପାଖରୁ ମନ୍ତ୍ରିମଣ୍ଡଳ ଛଡାଇ ନେଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ନବୀନଙ୍କ ପଞ୍ଚମ ପାଳିର ଦ୍ୱିତୀୟ ମନ୍ତ୍ରମଣ୍ଡଳରେ ୧୨  ନୂଆ ଚେହେରା ସାମିଲ ହୋଇଥିବା ବେଳେ ୯ ଜଣ ରିପିଟ୍ ହୋଇଛନ୍ତି ଓ ୫ ଜଣ ମହିଳା ଚେହେରା ରହିଛନ୍ତି।

Comments are closed.