ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚୀନ ଉପରେ ୧୨୫ ପ୍ରତିଶତ ଟାରିଫ୍ ମାଡ କରିଚନ୍ତି । ଏଥିସହିତ ଚୀନ୍ ବ୍ୟତୀତ ସମସ୍ତ ଦେଶ ଉପରେ ତାଙ୍କର ବ୍ୟାପକ ଶୁଳ୍କ ନେଇ ୯୦ ଦିନର ବିରତି ଘୋଷଣା କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଯେସାକୁ ତେସା ନିତି ଆପଣାଇଥିବା ଟ୍ରମ୍ପ, କାହିଁକି ଏଭଳି ପଦକ୍ଷେପ ଗ୍ରହଣ କଲେ ? ଚୀନ ଉପରେ ଲାଗୁ ହୋଇଥିବା ୧୨୫ ପ୍ରତିଶତ ଟାରିଫ୍ ତ ବୁଝି ହେଉଛି, ହେଲେ ଅନ୍ୟ ଦେଶ ପ୍ରତି ଏତେ ସହୃଦୟ କିପରି ହେଲେ ଟ୍ରମ୍ପ? କ’ଣ ରହିଛି ଏହା ପଛରେ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ୍ ?
ତେବେ ଗତ ୨୪ ଘଣ୍ଟା ଭିତରେ ବିଶ୍ବ ଅର୍ଥନୀତି ବଜାରରେ ବଡ ହଲଚଲ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହା ପ୍ରାୟ ଦିନକ ପୂର୍ବେ ଅସମ୍ଭବ ମନେ ହେଉଥିଲା । ଆମେରିକା ସହିତ କଥିତ ବାଣିଜ୍ୟ ଅସନ୍ତୁଳନକୁ ସମାଧାନ କରିବା ପାଇଁ ବିଭିନ୍ନ ଦେଶ ଉପରେ ଭିନ୍ନ ଭିନ୍ନ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପ ସରକାର, ଏବେ ସବୁ ଦେଶକୁ ୯୦ ଦିନର ଶୁଳ୍କ ବିରତି ପ୍ରଦାନ କରିଛନ୍ତି । କେବଳ ଚୀନ ଉପରେ ହିଁ ଶୁଳ୍କକୁ ତୁରନ୍ତ ୧୨୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି, ଯାହା ପୂର୍ବରୁ ପ୍ରାୟ ୧୦୪ ପ୍ରତିଶତରୁ ଅଧିକ ହେବ ବୋଲି ଘୋଷଣା କରିଥିଳେ । ଏହାକୁ ନେଇ ଟ୍ରମ୍ପ କହିଛନ୍ତି, ପ୍ରାୟ ୭୫ରୁ ଅଧିକ ଦେଶ ତାଙ୍କର ଏ ଶୁଳ୍କ ନିଷ୍ପତ୍ତି ସହ ବୁଝାବଣା କରିଥିଲେ ଏବଂ ପ୍ରତିଶୋଧପରାୟଣ ହୋଇନଥିଲେ । ଯାହା ଫଳରେ ଏଭଳି ବିରତି ପଦକ୍ଷେପ ନେିଛନ୍ତି ଟ୍ରମ୍ପ । ଏହି ୯୦ ଦିନ ମଧ୍ୟରେ ମାତ୍ର 10 ପ୍ରତିଶତର ହ୍ରାସିତ ପାରସ୍ପରିକ ଶୁଳ୍କ କାର୍ଯ୍ୟକାରୀ ହେବ । କିନ୍ତୁ ଚୀନ୍ ବିଶ୍ୱ ବଜାର ପ୍ରତି ଦେଖାଇଥିବା ଅସମ୍ମାନକୁ ଆଧାର କରି, ଆମେରିକା ଦ୍ୱାରା ଚୀନ୍କୁ ଆଦାୟ କରାଯାଇଥିବା ଶୁଳ୍କକୁ ୧୨୫ ପ୍ରତିଶତକୁ ବୃଦ୍ଧି କରୁଛି । ଯାହା ତୁରନ୍ତ କାର୍ଯ୍ୟକାରୀ ହେବ । ଯାହାଦ୍ବାରା ଚୀନ ଠିକ୍ ବୁଝିପାରିବ ଯେ, ଆମେରିକା ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ଧୋକା କରିବା ସ୍ଥାୟୀ କିମ୍ବା ଗ୍ରହଣୀୟ ନୁହେଁ ।
କାହିଁକି ଶୁଳ୍କ ଉପରେ ବିରତି ଦେଲେ ଟ୍ରମ୍ପ?
ଯେବେଠୁ ରେସିପ୍ରୋକାଲ୍ ଶୁଳ୍କ ଲାଗୁ ହେଲାଣି, ସେବେଠୁ ଏକ ବଡ଼ ବାଣିଜ୍ୟ ଯୁଦ୍ଧର ଭୟ, ବିଶ୍ୱ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ଏବଂ ବିଶ୍ୱ ମାନ୍ଦାବସ୍ଥାର ଚିନ୍ତା ବୃଦ୍ଧି ହେତୁ, ରିପବ୍ଲିକାନ ଏବଂ ବ୍ୟବସାୟିକ କାର୍ଯ୍ୟନିର୍ବାହୀମାନେ ଆମେରିକା ରାଷ୍ଟ୍ରପତିଙ୍କୁ ଶୁଳ୍କ ବନ୍ଦ କରିବାକୁ ଜିଦ୍ ଧରି ଆସୁଥିଲେ । ହେଲେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଟ୍ରମ୍ପ । ତାଙ୍କ ନୀତି କେବେ ପରିବର୍ତ୍ତନ ହେବ ନାହିଁ ବୋଲି ସିଧା ସିଧା କହିଥିଲେ । କିନ୍ତୁ ବର୍ତ୍ତମାନର ଆମେରିକାର ବଜାରରେ ବିକାଶକୁ ନେଇ ଟ୍ରେଜେରୀ ବିଭାଗ ଦେୁଥିବା ସତର୍କ ଟ୍ରମ୍ପଙ୍କୁ ଶେଷରେ ବ୍ୟଥିତ କରିଥିଲା । ଆଉ ତାଙ୍କର ପାରସ୍ପରିକ ଶୁଳ୍କ ବ୍ୟବସ୍ଥା ଉପରେ ବିରତି ଦେଇଥିଲେ ଟ୍ରମ୍ପ । ରିପୋର୍ଟ ଅନୁଯାୟୀ, ବିଶ୍ୱର ୪୬ଟି ଦେଶ ଏବଂ ୟୁରୋପୀୟ ସଂଘ ଉପରେ ଶୁଳ୍କ ଲାଗୁ ହେବା ପରେ, ବଜାରରେ ଅସ୍ଥିରତା ଏବଂ ମାନ୍ଦାବସ୍ଥାର ବଡ଼ ଆଶଙ୍କା ଯୋଗୁଁ ଟ୍ରମ୍ପ ମାତ୍ର ୧୩ ଘଣ୍ଟା ମଧ୍ୟରେ ତାଙ୍କ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେଇଥିଲେ । ଯାହାକି ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ଟ୍ରମ୍ପ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ । ହ୍ବାଇଟ୍ ହାଉସର ଅର୍ଥନୈତିକ ଅଧିକାରୀମାନେ ତାଙ୍କୁ ଆମେରିକା ଟ୍ରେଜେରୀ ବଜାରରେ ତ୍ୱରାନ୍ୱିତ ବିକ୍ରୟ ବିଷୟରେ ସୂଚନା ଦେଇଥିଲେ । ଏନେଇ ଟ୍ରମ୍ପଙ୍କ କହିବାନୁଯାୟୀ, ଏ ନିଷ୍ପତ୍ତି ଏକ ମ୍ୟାପ୍-ଆଉଟ୍ ରଣନୀତି ଅପେକ୍ଷା ଅଧିକ ଆବେଗ-ଚାଳିତ ନିଷ୍ପତ୍ତି ଥିଲା ।
ଯାହା ବାସ୍ତବରେ ଆମେରିକା ବଣ୍ଡ ମାର୍କେଟରେ ବଡ ପରିବର୍ତ୍ତନ ପରିଲିକ୍ଷିତ କରିଛି । ଗତକାଲି ଟ୍ରମ୍ପଙ୍କ ଏଭଳି ଘୋଷଣା, ବହୁତ ମାନ୍ଦାବସ୍ଥାରେ ଥିବା ଇକ୍ୱିଟି ବଜାରକୁ ବେଶ୍ ସୁହାଇଛି । ଆମେରିକା ଷ୍ଟକ୍ ବଜାର, ୱାଲ୍ ଷ୍ଟ୍ରିଟ୍ ଷ୍ଟକ୍ ଅଧିକ ବୃଦ୍ଧି ପାଇଛି । ଘୋଷଣାର କିଛି ମୁହୂର୍ତ୍ତ ମଧ୍ୟରେ, ଡାଉ ଇଣ୍ଡେକ୍ସ ପ୍ରାୟ ୨୫୦୦ ପଏଣ୍ଟ ଉପରକୁ ଉଠିଥିଲା । ଯାହାକି ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଟେକ୍-ରିଚ୍ ନାସଡାକ୍ ୧୨.୨ ପ୍ରତିଶତ ବୃଦ୍ଧି ପାଇଥିଲା । ଯାହା କି ଗତ ୨୪ ବର୍ଷ ମଧ୍ୟରେ ସର୍ବୋତ୍ତମ ବୋଲି ଦର୍ଶାଯାଇଚି ।
ଭାରତ ଉପରେ ପଡିବ କି ପ୍ରଭାବ?
ଟ୍ରମ୍ପ୍ ଭାରତୀୟ ଆମଦାନୀ ଉପରେ ୨୬ ପ୍ରତିଶତ କଷ୍ଟମାଇଜ୍ଡ୍ ପାରସ୍ପରିକ ଶୁଳ୍କ ଲାଗୁ କରିବା ପରଠାରୁ, ଭାରତୀୟ ବଜାରଗୁଡ଼ିକ ହ୍ରାସ ପାଇଛି । ହେଲେ ଏବେ ୯୦ ଦିନର ବିରତି, ଷ୍ଟକ୍ ମାର୍କେଟଗୁଡ଼ିକୁ ନିଶ୍ୱାସ ଯୋଗାଇବା ନେଇ ଆଶା ରଖିଛନ୍ତି ଏକ୍ସପର୍ଟ । ଏଥିସହିତ ନୂଆଦିଲ୍ଲୀ ଆମେରିକା ସହିତ ଚୁକ୍ତି ଉପରେ କାମ କରିବା ପାଇଁ ଅଧିକ ସମୟ ମଧ୍ୟ ପାଇବ । ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପାରସ୍ପରିକ ଲାଭଦାୟକ । ବାଣିଜ୍ୟ ସମ୍ପର୍କ, ଆର୍ଥିକ ସମ୍ପର୍କ, ନିବେଶ ସମ୍ପର୍କ, ବାଣିଜ୍ୟିକ ସମ୍ପର୍କ କ୍ଷେତ୍ରରେ ଭାରତ ଏବଂ ଆମେରିକା ବହୁତ ଦୃଢ଼ ଅଂଶୀଦାର, ଏବଂ ଆମେ ଆଶା କରୁଛୁ ଯେ ଏହି ସମ୍ପର୍କ ବୃଦ୍ଧି ପାଇବା ସହିତ ଏହାର ଗଭୀରତା ବୃଦ୍ଧି ପାଇବ । ବାଣିଜ୍ୟ ପ୍ରସଙ୍ଗ ସମ୍ପର୍କରେ, ଆମେ ଏକ ଦ୍ଵିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛୁ, ଏବଂ ଆଶା କରୁଛୁ ଯେ ଆମେ ଏହି ପ୍ରସଙ୍ଗଗୁଡ଼ିକୁ ସମାଧାନ କରିପାରିବୁ ଏବଂ ଏହି ନିର୍ଦ୍ଦିଷ୍ଟ ଚୁକ୍ତିକୁ ଶୀଘ୍ର ସମାପ୍ତ କରିପାରିବୁ ।
Comments are closed.