ଭୁବନେଶ୍ଵର: ପୁଣ୍ୟ ମାସ କାର୍ତ୍ତିକ । ଏହି ମାସରେ ସ୍ନାନ ଦାନ ସହିତ ଧ୍ୟାନ ଜପର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କୁ ପୂଜା କରିବା ଶୁଭ ମନେ କରାଯାଏ । ମାନ୍ୟତା ରହିଛି ଏହି ମାସରେ ବିଧି ଅନୁସାରେ ପ୍ରତିଦିନ ତୁଳସୀଙ୍କ ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ଭାବରେ ଗ୍ରହଣ କରାଯାଏ । ପ୍ରତି ଘରେ ଏହି ବୃକ୍ଷ ରହିଛି ଓ ନିୟମିତ ଏହି ବୃକ୍ଷ ନିକଟରେ ପୂଜା ମଧ୍ୟ କରାଯାଏ । କିନ୍ତୁ କାର୍ତ୍ତିକ ମାସରେ ଏହି ବୃକ୍ଷର ମହତ୍ତ୍ୱ ବଢିଯାଏ । କାର୍ତ୍ତିକ ଅମାବାସ୍ୟାରେ ତୁଳସୀଙ୍କ ଜନ୍ମ ହୋଇଥିଲା । ଏହି କାରଣରୁ କାର୍ତ୍ତିକ ମାସ ତୁଳସୀଙ୍କୁ ସମର୍ପିତ ।
ତୁଳସୀ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ସ୍ୱରୂପ ଓ ଏହି ମାସରେ ସମସ୍ତ ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଏ । ଭଗବାନ ବିଷ୍ଣୁଙ୍କର ତୁଳସୀ ବହୁତ ପ୍ରିୟ । ଏହି କାରଣରୁ କାର୍ତ୍ତିକ ମାସରେ ଶାଳଗ୍ରାମ ରୂପରେ ଭଗବାନ ବିଷ୍ଣୁ ଓ ତୁଳସୀଙ୍କ ବିବାହ ସଂପନ୍ନ କରାଯାଏ । ଏହି ମାସରେ ବିଧିବଦ୍ଧ ଭାବରେ ତୁଳସୀଙ୍କ ପୂଜା କରିବା ଦ୍ୱାରା ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି ମିଳିଥାଏ । ଏହାସହ ଅକାଳ ମୃତ୍ୟୁ ଭୟ ମଧ୍ୟ ଦୂର ହୋଇଥାଏ ।
କାର୍ତ୍ତିକ ମାସରେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହି ଦିନଗୁଡ଼ିକରେ, ପ୍ରତିଦିନ ସକାଳେ ଉଠିବା ପରେ ଗାଧୋଇ ତୁଳସୀ ଗଛରେ ପାଣି ଦେବା ଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇଯିବ । କାର୍ତ୍ତିକ ମାସରେ, ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଗଛ ତଳେ ଏକ ଦୀପ ଜାଳନ୍ତୁ । ସନ୍ଧ୍ୟା ୫ ରୁ ୭ ମଧ୍ୟରେ ତୁଳସୀ ଗଛ ମୂଳରେ ଏକ ଦୀପ ଜାଳିବା ଶୁଭ ଫଳାଫଳ ଦେଇଥାଏ । ତୁଳସୀ ଗଛ ଚଉଁରାରେ ଏକ ସ୍ବସ୍ତିକା ପ୍ରତୀକ ମଧ୍ୟ ତିଆରି କରନ୍ତୁ ।
Comments are closed.