ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ ଏହି ଦିନ ଯମଙ୍କୁ ପୂଜା କରାଯାଇଥାଏ ।
କାହିଁକି ପାଳନ ହୁଏ ଧନତେରସ-
ଭାରତୀୟ ସଂସ୍କୃତିରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ଏଥିପାଇଁ ସ୍ୱାସ୍ଥ୍ୟକୁ ଧନ ଠାରୁ ଅଧିକ ମନେକରାଯାଏ । ଶାସ୍ତ୍ରାନୁଯାୟୀ କୃଷ୍ଣ ତ୍ରୟୋଦଶୀ ଦିନ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ହାତରେ ଅମୃତକଳସ ଧରି ଆର୍ବିଭାବ ହୋଇଥିଲେ । ପୁରାଣରେ ଏଭଳି ମାନ୍ୟତା ରହିଛି ଯେ ଭଗବାନ ଧନ୍ୱନ୍ତରୀ ଭଗବାନ ବିଷ୍ଣୁଙ୍କ ଅଂଶାବତାର ବୋଲି । ସାରା ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ପାଇଁ ଭଗବାନ ବିଷ୍ଣୁ ଧନ୍ୱନ୍ତରୀଙ୍କ ଅବତାର ନେଇଥିଲେ । ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଆର୍ବିଭାବ ତଥା ସୁଖ ସମୃଦ୍ଧି ଲାଭ ପାଇଁ ଧନତେରସ ପାଳନ କରାଯାଏ ।
ଧନତେରସ ସମ୍ବନ୍ଧରେ ପୌରାଣିକ କଥା-
ପୁରାଣ କଥାନୁସାରେ ଦେବତା ମାନଙ୍କୁ ରାଜା ବଳିଙ୍କ ଭୟରୁ ମୁକ୍ତି ଦେବା ପାଇଁ ଭଗବାନ ବିଷ୍ଣୁ ବାମନ ରୂପ ଧାରଣ କରି ବଳିଙ୍କ ଯଜ୍ଞସ୍ଥଳରେ ଯାଇ ପହଞ୍ଚିଥିଲେ । ଅସୁର ମାନଙ୍କ ଗୁରୁ ଶୁକ୍ରାଚାର୍ୟ୍ୟ ଭଗବାନ ବିଷ୍ଣୁଙ୍କ ବାମନ ରୂପ ଚିହ୍ନି ପାରି ବଳିଙ୍କୁ ଅବଗତ କରାଇଥିଲେ ଯେ ଏହି ଭଗବାନ ବିଷ୍ଣୁ ବାମନଙ୍କ ରୂପରେ ଆସିଛନ୍ତି, ସେ କିଛି ମାଗିଲେ ତାଙ୍କୁ ଦେବନାହିଁ କିନ୍ତୁ ବଳି ଗୁରୁଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । ଏଥିସହିତ ରାଜା ବଳି ବାମନ ମାଗିଥିବା ୩ପାଦ ଭୂମି ଦେବାପାଇଁ କମଣ୍ଡଳୁରୁ ଜଳ ନେଇ ସଂକଳ୍ପ କରିଥିଲେ ।
ଏହି ସମୟରେ ଶୁକ୍ରାଚାର୍ୟ୍ୟ ବଳିଙ୍କୁ ଅଟକାଇବାକୁ ଯାଇ ଏକ ସୂକ୍ଷ୍ମ ରୂପ ଧାରଣ କରି କମଣ୍ଡଳୁ ମଧ୍ୟରେ ପ୍ରବେଶ କରିଥିଲେ ଯାହାଦ୍ୱାରା ଜଳ ବାହାରିବା ମାର୍ଗ ବନ୍ଦ ହୋଇଯାଇଥିଲା । ଶୁକ୍ରାଚାର୍ୟ୍ୟଙ୍କ ଛଳନା ବୁଝିପାରି ଭଗବାନ ବିଷ୍ଣୁ ହାତରେ ଧରିଥିବା କୁଶକୁ କମଣ୍ଡଳୁରେ ଏପରି ଭାବେ ରଖିଲେ ଯେ କୁଶ ବାଜି ଶୁକ୍ରାଚାର୍ୟ୍ୟ ଙ୍କ ଏକ ଆଖି ଫୁଟିଯାଇଥିଲା ଏବଂ ସେ ତତ୍କ୍ଷଣାତ କମଣ୍ଡଳୁ ମଧ୍ୟରୁ ବାହାରକୁ ବାହାରିଗଲେ ।
ବାମନ ଜଳ ସଂକଳ୍ପ କରି ବଳିଙ୍କ ଠାରୁ ୩ପାଦ ଭୂମି ମାଗିନେଇଥିଲେ । ବାମନ ରୂପି ଭଗବାନ ବିଷ୍ଣୁ ଗୋଟେ ପାଦ ସମ୍ପୂର୍ଣ୍ଣ ପୃଥିବୀ ଉପରେ ରଖିଥିଲା ବେଳେ ଆଉ ଗୋଟେ ପାଦ ବ୍ରହ୍ମାଣ୍ଡ ଉପରେ ରଖିଥିଲେ । ତେବେ ୩ୟ ପାଦରଖିବା ପାଇଁ ଆଉ ଜାଗା ନଥିବାରୁ ବଳି ନିଜ ମୁଣ୍ଡକୁ ବାମନଙ୍କ ପାଦ ତଳେ ରଖିଦେଲେ ।
ଏହିପରି ଭାବେ ବଳିଙ୍କ ଭୟରୁ ଦେବତାମାନେ ମୁକ୍ତି ପାଇଥିଲେ ଏବଂ ବଳିଙ୍କ ଦ୍ୱାରା ହରାଇଥିବା ଧନସମ୍ପତ୍ତି ଦେବତା ମାନେ ବହୁଗୁଣ କରି ପାଇଥିଲେ । ପୁରାଣ ଅନୁଯାୟୀ ଏହି ଉପଲକ୍ଷେ ମଧ୍ୟ ଧନତେରସ ଉତ୍ସବ ପାଳନ କରାଯାଇଥାଏ ।
Comments are closed.