ଭୁବନେଶ୍ବର: ଗଣତନ୍ତ୍ରର କଣ୍ଠରୋଧ ! କିର୍ମିରା ଅନାସ୍ଥା ଭୋଟକୁ ନେଇ ଭୟଭୀତ ସରକାର ! ବେଆଇନ୍ ଭାବେ ବିଶାଳ ଦାସ ଅଟକ ! ବିନା କାରଣରେ ଲୋକପ୍ରତିନିଧି ଅଟକ ! ଛତିଶଗଡ଼ ପୋଲିସ ସହ ଓଡିଶା ପୋଲିସର ଷଡ଼ଯନ୍ତ୍ର ! ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ପଦ ବଞ୍ଚାଇବାକୁ ଶାସକ ବିଜେପି କୁତ୍ସିତ ରାଜନୀତି କରିଥିବା ନେଇ ଅଭିଯୋଗ କରିଛି ବିଜେଡି । ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି । ବିଜେପି ମନର ଛନକା ରାଜ୍ୟବାସୀଙ୍କ ଆଗରେ ବାରି ହୋଇଥିବା ବିଜେଡି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବା ପରେ ଦିବଂଗତ ନବଦାସଙ୍କ ପୁଅ ବିଶାଳ ଦାସ ମୁକୁଳିଥିଲେ । ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଶାଳ ଦାସଙ୍କ ଭଉଣୀ ତଥା ପୂର୍ବତନ ବିଜେଡି ବିଧାୟିକା ଦୀପାଳି ଦାସ। ସେପଟେ ପ୍ରତିକ୍ରିୟା ରଖିଛି ବିଜେପି ।
ଅଟକ ପଛରେ ଷଡ଼ଯନ୍ତ୍ର !
କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବାରମ୍ବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ବି ପ୍ରଶାସନ ଗ୍ରହଣ କରିନଥିଲା । ଶେଷରେ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ, କୋର୍ଟଙ୍କ ନିର୍ଦ୍ଦେଶରେ ଜାନୁଆରୀ ୧୦ତାରିଖରେ ଅନାସ୍ଥା ଭୋଟ୍ ହେବାର ଥିଲା । ତେବେ ଅନାସ୍ଥା ଆଣିଥିବା ଜନପ୍ରତିନିଧିଙ୍କୁ ଭୋଟଦାନରୁ ବିରତ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିବା ଦୀପାଳି ଦାସ କହିଛନ୍ତି । ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଛତିଶଗଡ଼ର ବିଜେପି ସରକାରଙ୍କ ସହାୟତାରେ ୧୨ଘଣ୍ଟା ଧରି ଅଟକ ରଖାଯାଇଥିଲା । ଦୀପାଳିଙ୍କ ଭାଇ ବିଶାଳ ଦାସଙ୍କ ସହ ବିନା ଖାଦ୍ୟ ଓ ପାଣିରେ ମହିଳା, ଛୁଆ ଓ ବୟସ୍କଙ୍କୁ ଅଟକ ରଖାଗଲା । ଭୋଟ୍ ଥିବା ନେଇ କହିଥିଲେ ବି ଛଡାଗଲାନି । ଉପରୁ ଅର୍ଡର ଆସିଲେ ଛଡାଯିବ ବୋଲି କୁହାଗଲା । କେଉଁ ଅର୍ଡର, ଓଡିଶା ନା ଛତିଶଗଡ଼ର ବୋଲି ଦୀପାଳି ପ୍ରଶ୍ନ କରିଛନ୍ତି ।
ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି !
କିର୍ମିରା ବ୍ଲକରେ ଅନାସ୍ଥା ଭୋଟ୍ ନେଇ ବିଜେପି ବିବ୍ରତ ଓ ଭୟଭୀତ । ଦୁଇ ରାଜ୍ୟର ପୋଲିସଙ୍କୁ ଲଗାଇ ପଞ୍ଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି ପରେ ଭୟଭୀତ ହୋଇ ଦୁଇ ରାଜ୍ୟ ପୋଲିସର ବେଆଇନ୍ କାମର ପର୍ଦ୍ଦାଫାସ ହେଲା । ଓଡିଶା ପୋଲିସ ବିଜେପି କର୍ମଚାରୀ ଓ ଏଜେଣ୍ଟ ପାଲଟିଛି । ବିଜେପିକୁ ରାଜନୈତିକ ଫାଇଦା ଦେବାକୁ ପୋଲିସ ଗୁଣ୍ଡା ସାଜିଥିବା ସସ୍ମିତ ଅଭିଯୋଗ କରିଛନ୍ତି । ବିଜେଡିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେପି ।
କିର୍ମିରା ପଞ୍ଚାୟତ ସମିତିର ନିର୍ବାଚିତ ସଦସ୍ୟ ଓ କିଛି ବିଜେଡି କର୍ମୀ ଅନାସ୍ଥା ଭୋଟ୍ ପୂର୍ବରୁ ଛତିଶଗଡ ବୁଲି ଯାଇଥିଲେ । ତେବେ ସେମାନଙ୍କୁ ଝାରସୁଗୁଡା ପୋଲିସ ଇଙ୍ଗିତରେ ଛତିଶଗଡ଼ ପୋଲିସ ସରେଇପାଲି ଥାନାରେ ଅଟକ ରଖିଥିବା ଦୀପାଳି କହିଛନ୍ତି । ନବୀନଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଛଡାଯାଇଥିଲା । ତେବେ ସେତେବେଳକୁ ବୈଠକ ପାଇଁ ଧାର୍ଯ୍ୟ ସମୟ ଅତିକ୍ରମ କରିଯାଇଥିଲା । ବୈଠକ ବାତିଲ ହେବା ପରେ ନିୟମ ଅନୁସାରେ ବର୍ଷେ ଯାଏଁ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସି ପାରିବନାହିଁ।