Latest Odisha News

କାହିଁକି ଇଡିରେ ହାଜର ହେବେ ରାହୁଲ ଗାନ୍ଧି?

ରାହୁଲଙ୍କ ପାଇଁ କଂଗ୍ରେସ କରୁଛି ସତ୍ୟାଗ୍ରହ

କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧି ଆଜି ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ଏଥିପାଇଁ ଇଡି କାର୍ଯ୍ୟାଳୟ ବାହାରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଜୁନ୍ 13 ରେ ଇଡି ରାହୁଲ ଏବଂ ଜୁନ୍ 23 ରେ ସୋନିଆ ଗାନ୍ଧୀଙ୍କୁ ଡାକିଛନ୍ତି ।  ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଉଭୟଙ୍କୁ ପଚରାଉଚରା କରିବ। ତେବେ ଏହାକୁ ନେଇ କଂଗ୍ରେସ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ କରୁଛି ।

ଏଠାରେ ସୂଚନାଯୋଗ୍ୟ ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ରାହୁଲଙ୍କ ସହ ସୋନିଆ ଗାନ୍ଧୀଙ୍କ ନିକଟକୁ ଇଡି ତାଜା ସମନ ପଠାଇଛି। ବର୍ତ୍ତମାନ ତାଙ୍କୁ ଜୁନ୍ 23 ରେ ଇଡି ଅଫିସକୁ ଆସିବା ପାଇଁ ଡକାଯାଇଛି। ଏହାପୂର୍ବରୁ ସୋନିଆ ଜୁନ୍ 8 ରେ ଇଡିରେ ହାଜର ହେବାକୁ ଥିଲା, କିନ୍ତୁ କରୋନା ସଂକ୍ରମିତ ହେତୁ ସେ ହାଜର ହୋଇପାରିନଥିଲେ। ସେ ଇଡିରୁ ତିନି ସପ୍ତାହ ସମୟ ମାଗିଥିଲେ ।

ମାମଲା କଣ?

ନଭେମ୍ବର 1, 2012 ରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ବାମୀ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗରେ ଏକ ମାମଲା ଦାୟର କରିଥିଲେ। ଏହି ମାମଲାରେ ରାହୁଲ ଏବଂ ସୋନିଆଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଣ୍ଡିସ୍, ସୁମନ ଦୁବେ ଏବଂ ସାମ ପିଟ୍ରୋଡାଙ୍କୁ ଦୋଷୀ ବୋଲି ଅଭିଯୋଗ ହୋଇଥିଲା । ମୋତିଲାଲ ଭୋରା ଏବଂ ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ ହୋଇଛି । ବର୍ତ୍ତମାନ ଏହି ମାମଲା ରାଉସ୍ ଆଭେନ୍ୟୁରେ ଥିବା ସ୍ୱତନ୍ତ୍ର କୋର୍ଟରେ ଚାଲିଛି ।

 ଅଭିଯୋଗ ହୋଇଛି ଯେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍ , ଆସୋସିଏଟେଡ୍ ଜର୍ଣ୍ଣାଲ୍ ର 90.25 କୋଟି ଟଙ୍କା ପୁନରୁଦ୍ଧାରର ଅଧିକାର ପାଇଥିବାବେଳେ ଏହି ଅଧିକାର ପାଇବା ପାଇଁ ମାତ୍ର 50 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାର ଶୁଣାଣି କୋର୍ଟରେ ଚାଲିଛି ।

 

ରାହୁଲ ଗାନ୍ଧିକୁ ଆଜି ଜେରା କରାଯିବାକୁ ଥିବାରୁ ଏଥିପାଇଁ  ଇଡି କାର୍ଯ୍ୟାଳୟ ବାହାରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ମନିଂ ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ପଚରାଉଚରା କରିବା ପାଇଁ ନୋଟିସ ପଠାଇଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରୁଛି ।  ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଛନ୍ତି ।

 

  ତେବେ ଇଡିରେ ହାଜର ପୂର୍ବରୁ ସବୁ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ଡକାଇ କାହିଁକି କଂଗ୍ରେସ ଏହାର ରାଜନୀତି କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାହୁଲ ନାଟକବାଜି ନ କରି ଇଡି ଆଗରେ ହାଜର ହୁଅନ୍ତୁ ଏବଂ ରାଜନୀତି କରି ଆଇନରୁ ଖସିବାକୁ ଚେଷ୍ଟା କରନ୍ତୁନି ବୋଲି ସମ୍ବିତ ଗତକାଲି କହିଥିଲେ ।  ସେପଟେ କଂଗ୍ରେସ ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି ।

ଏଠାରେ ସୂଚନାଯୋଗ୍ୟ ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ୟଙ୍ଗ ଇଣ୍ଡିଆ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନା ନାସନାଲ ହେରାଲ୍ଡକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ସୁବ୍ରମନିୟନ୍‌ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା।  ଏପରି କି ବେଆଇନ ଭାବେ କମ୍ପାନୀ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଥିଲେ।

Leave A Reply

Your email address will not be published.