Latest Odisha News

BREAKING NEWS

ପାସ୍ ବ୍ୟବସ୍ଥା ଫେଲ୍, ଚାରିଆଡୁ ଅସନ୍ତୋଷ

ମୁଖ୍ୟମନ୍ତ୍ରୀ ଟିକେଟ କିଣିଲେ ଅଥଚ--ଅନୁଗତଙ୍କ କାହିଁକି ପାସ ଦରକାର!

ଭୁବନେଶ୍ବର: ବାରବାଟୀ ମ୍ୟାଚର ଫଳାଫଳରେ ପ୍ରଶଂସକ ନିରାଶ ହୋଇଛନ୍ତି ସତ । ତେବେ ଖେଳରେ ତ ହାର ଜିତ ରହିଛି । ଆଜି ନହେଲେ କାଲି ପୁଣି ଜିତିବ ଟିମ ଇଣ୍ଡିଆ । କିନ୍ତୁ ଏଠି ଅନ୍ୟ ଏକ କାରଣକୁ ନେଇ ସବୁଠି ଚର୍ଚା ହେଉଛି । ତାହା ହେଉଛି ମ୍ୟାଚ ଦେଖିବା ପାଇଁ ପାସ ବ୍ୟବସ୍ଥା । ଏଠାରେ କୁହାଯାଇପାରେ ଯେ ପାସ ପାଇଁ ଟିକେଟ ପାଇନଥିବା ଖାଲି ପ୍ରଶଂସକ ନିରାଶ ହୋଇନାହାଁନ୍ତି ଖେଳ ଦେଖିବାକୁ ଟିକେଟ ପାଇନଥିବା ଅନେକ କ୍ରିକେଟ ଫ୍ୟାନ୍ , ରାଜନୈତିକ ନେତା, ବୁଦ୍ଧିଜୀବୀ ପାସ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ତେବେ ଏଥିରେ ବିଜେଡି ନେତା ତଥା  ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନ ମଧ୍ୟ ଯୁକ୍ତିଯୁକ୍ତ ମନେହୁଏ । ମ୍ୟାଚ ପାଇଁ ଆୟୋଜକଙ୍କ ପକ୍ଷରୁ ହୋଇଥିବା ପାସ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି  ବିଜେଡି ସାଂସଦ ଅମର ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅମର ପଟ୍ଟନାୟକଙ୍କ କହିବା କଥା ତାଙ୍କୁ ପାସ ପାଇବା ପାଇଁ ଅନେକ ଲୋକ ମାଗିଛନ୍ତି କିନ୍ତୁ ସେ ସମସ୍ତଙ୍କୁ ଯୋଗାଇପାରିନାହାଁନ୍ତି । ଟୁଇଟ୍ କରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଟିକେଟ କିଣିଛନ୍ତି । ପାସ ବ୍ୟବସ୍ଥା ଗୋଟିଏ ପାଟ୍ରୋନାଇଜଡ଼ି ବେସ ହୋଇଯାଇଛି, ଅର୍ଥାତ ଯାହାର ଚିହ୍ନା ପରିଚୟ ରହିଛି ସେମାନେ ପାସ ପାଇପାରିବେ । ତେଣୁ, ସେଇଭଳି ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ଠିକ  ।ଏହା ମାନେ ହେଉଛି ସେ ଅନେକ ଲୋକଙ୍କୁ ଯୋଗାଇଛନ୍ତି ଯାହା ଫଳରେ ଆହୁରି ଅନେକ ଲୋକ ତାଙ୍କୁ ମାଗିଛନ୍ତି ତାଙ୍କ ଘର ଆଗରେ ବି ଧାଡି ଲଗାଇଥାଇପାରନ୍ତି ।

ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ଯେଉଁଭଳି ଭାବେ ତିନି ଚାରି ଦିନ ହେବ ଦେଖାଗଲା ମାତ୍ର, 12 ହଜାର ଟିକେଟ ପାଇଁ 35ରୁ 40 ହଜାର ଲୋକେ ଲାଇନରେ ଛିଡ଼ା ହୋଇଥିଲେ । ଆଉ ଯେମିତି ପୋଲିସ ତାଙ୍କୁ ଲାଠି ଚାର୍ଜ କଲା, ତାହା ଭଲ ନୁହେଁ ।  ଭିଆଇପିଙ୍କ ପାଇଁ ଯେଉଁ 30ରୁ 32 ହଜାର ପାସ ବ୍ୟବସ୍ଥା କରାଯାଇଛି, ତାକୁ ଉଚ୍ଛେଦ କରଯାଉ ।’

ଭାରତରେ ଅନ୍ୟ ସ୍ଥାନରେ ବି ପାସ ବ୍ୟବସ୍ଥା ଅଛି  । ତେବେ ବାରବାଟୀରେ ମ୍ୟାଚ ବେଳେ ପାସ ବ୍ୟବସ୍ଥାକୁ ନେଇ ଯେପରି ପ୍ରଶ୍ନ ଉଠେ ଅନ୍ୟ ସ୍ଥାନରେ ସେଠି ସେତେ ଉଠେନାହିଁ । ଏହା ବି ସତ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ କିଣୁଛନ୍ତି ତାଙ୍କ ଚେଲା ଚାମୁଣ୍ଡା ଅନୁଗତ କଣ ପାଇଁ ପାସକୁ ଅନାଇ ରହୁଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ । ପଇସା ଦେଇ ମ୍ୟାଚ ଦେଖିବାର ପରମ୍ପରା ମୁଖ୍ୟମନ୍ତ୍ରୀଙ୍କଠାରୁ ଶିଖିବା ଉଚିତ ।  ସେମାନଙ୍କ କହିବା କଥା ଏଇଆ ଯେ ପାସ୍ ବ୍ୟବସ୍ଥା ଆଜିର ଦିନରେ ସମ୍ଭବ ନୁହେଁ । ସମସ୍ତେ ପାସ୍ ପାଇବା ପାଇଁ ଯେପରି ଅପେକ୍ଷାରେ ରହୁଛନ୍ତି ତାହା ମଧ୍ୟ ଅରୁଚିକର । ଗୋଟିଏ ପାସକୁ ତିନି ଜଣ ଦାବିଦାର ହେଉଛନ୍ତି । ଅନେକ ଅସନ୍ତୋଷ ପ୍ରକାଶ କରୁଛନ୍ତି । କାହାକୁ ପାସ ଦିଆଯିବ ଏବଂ କାହାକୁ ଦିଆନଯିବ ତାହା ମଧ୍ୟ ସ୍ଥିର କରିବା ମୁସ୍କିଲ ।

ଆପଣମାନେ ଜାଣନ୍ତି  ବାରବାଟୀରେ  କ୍ରିକେଟ ମ୍ୟାଚକୁ ନେଇ ସବୁବେଳେ ଉତ୍କଣ୍ଠା ଲାଗିରହିଥାଏ । ଏହାର ସୁଯୋଗରେ ଆୟୋଜକଙ୍କ କିଛି ନିଷ୍ପତ୍ତି ଓଡ଼ିଶାକୁ ବଦନାମ କରୁଛି  ଏବଂ  କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଆସୁଛି ।  ଖେଳ ପ୍ରେମୀଙ୍କ ମଧ୍ୟରେ ଉତ୍ସାହକୁ ପାସ ବ୍ୟବସ୍ଥା ମାରିଦେଉଛି । ମ୍ୟାଚ ଦେଖିବା ପାଇଁ ରାତି ଅଧରୁ ଲାଇନ ଲଗାଇଲେ ମଧ୍ୟ ଟିକେଟ ଟିଏ ମିଳୁନାହିଁ । ଧାଡିରେ ଠେଲାପେଲା, ଲାଠି ମାଡ ଏତ ସବୁ ବର୍ଷ ଦେହସୁଆ ହୋଇଗଲାଣି ଆୟୋଜକଙ୍କ ପାଇଁ । କ୍ରିକେଟ ପ୍ରଶଂସକଙ୍କ ଏହି ଅସୁବିଧାକୁ ସୁଧାରିବା ପାଇଁ ତ ଆୟୋଜକମାନେ ଚାହୁଁନାହାଁନ୍ତି ବରଂ ପଚାରିଲେ ବିତଣ୍ଡା ଯୁକ୍ତି ଦେଉଛନ୍ତି । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଖାଲି ଅପବାଦ ସୃଷ୍ଟି କରୁଛନ୍ତି ଆୟୋଜକ । ଲୋକେ ଏହା ହିଁ କହୁଛନ୍ତି ଯେ ଏଠି ଯେତେ ଅବ୍ୟବସ୍ଥା ତାହା ଭିତରେ  ବାରବାଟିରେ  ମ୍ୟାଚ ଦେଖିବାକୁ ଆଉ 50 ବର୍ଷ  ଅପେକ୍ଷା କରିବାକୁ ପଡିବ । କାରଣ ଏ ବ୍ୟବସ୍ଥା ସୁଧୁରିବାର ନାହିଁ କି ଧାଡିରେ ମାଡ ଖାଇବାକୁ ଠେଲାପେଲା ହେବାକୁ କ୍ରିକେଟ ପ୍ରଶଂସକଙ୍କ ଧର୍ଯ୍ୟ ନାହିଁ ।

ଆଜିର ଦିନରେ ସବୁ ରାଜ୍ୟରେ କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ୟାଧିକ ଲୋକ କ୍ରିକେଟ ଦେଖିବା ପାଇଁ ବ୍ୟବସ୍ଥା ହେଲାଣି । ତେବେ ବାରବାଟୀର ପଡିଆକୁ ଆଧୁନିକତା ଏବେ ଏବେ ଛୁଉଁଛି । 10 ବର୍ଷ ପଛରେ ଏହି ଷ୍ଟାଡିୟମ ଅଛି କହିଲେ ଅକ୍ତ୍ୟୁକ୍ତି ହେବ ନାହିଁ । କମ ଲୋକଙ୍କ ପାଇଁ ବ୍ୟବସ୍ଥା ଥିବାରୁ ହଜାର ହଜାର ପ୍ରଶଂସକ ପଡିଆ ମଧ୍ୟକୁ ମ୍ୟାଚ ଦେଖିବାକୁ ଯାଇପାରୁନାହାଁନ୍ତି । ସେମାନଙ୍କ ଅବଶୋଷ କହିଲେ ନସରେ ।

ଟିକେଟ ବୁକିଙ୍ଗକୁ ନେଇ ଯେତେବେଳେ ବି ଏଠି ମ୍ୟାଚ ହୁଏ ସାମୟିକ ଦ୍ଵନ୍ଦ୍ବ ଲାଗି ରହୁଛି । ଟିକେଟ ଏବଂ ପାସକୁ ନେଇ ଗଦା ଗଦା  ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଖେଳପ୍ରେମୀ । ତେବେ ଆୟୋଜକଙ୍କ ଭେଜାରେ ଏସବୁ କାହିଁକି ପଶୁନାହିଁ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୋସିଆଲ ମିଡିଆରେ ତ ଶହ ଶହ ଅଭିଯୋଗ ଉଠାଉଛନ୍ତି ୟୁଜର । ଏପରିକି ରାଜନୈତିକ ନେତାମାନେ ମଧ୍ୟ ପାସ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଚାହୁଁଛନ୍ତି । ମ୍ୟାଚ ସମୟରେ ପାସ ବ୍ୟବସ୍ଥା ଉଚ୍ଛେଦ କରଯାଉ ବୋଲି ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ।

ଏସବୁ ଦାବି ଭିତରେ ଆୟୋଜକମାନେ ଯଦି ନଚେତନ୍ତି ତେବେ କିଛି କୁହାଯାଇପାରିବ ନାହିଁ । ଖେଳ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏପରି ପାସ ବ୍ୟବସ୍ଥାକୁ ବନ୍ଦ କରିବା ଆବଶ୍ୟକ ବୋଲି ଚାରିଆଡେ ମତ ପ୍ରକାଶ ପାଉଛି । ପୁରୁଣା କାଳିଆ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚା ହେଉଛି । ଦେଖାଯାଉ ଏଭଳି ବ୍ୟବସ୍ଥା ଆଗାମୀ ମ୍ୟାଚକୁ ବଦଳୁଛି ନା ଆୟୋଜକମାନେ ମ୍ୟାଚ ବେଳେ କୂମ୍ଭୀର କାନ୍ଦଣା କାନ୍ଦୁଛନ୍ତି

Leave A Reply

Your email address will not be published.