Latest Odisha News

BREAKING NEWS

‘ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ଆଗ୍ରହ ଦେଖାଇବେ’: କୋର୍ଟ

ମୁମ୍ବାଇ: “ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ସ୍ତ୍ରୀଙ୍କ ପ୍ରତି ଆଗ୍ରହ ଦେଖାଇବେ”, ଏପରି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ପୁନେ ଜିଲ୍ଲା କୋର୍ଟ । ବାସ୍ତବରେ ଏକ ଛାଡପତ୍ର ମାମଲାର ଶୁଣାଣିବେଳେ ଏପରି ଏକ ଅଜବ ବୟାନ ଦେଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

ସୂଚନା ଅନୁସାରେ, ପୁନେର ଓକିଲ ଅଙ୍କୁର ଆର ଜାହାଗିରଦାର ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଜଣେ ଦମ୍ପତି ଏକ ଘରୋଇ ହିଂସା ମାମଲାରେ ମଧ୍ୟସ୍ଥତା ପାଇଁ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇଥିଲେ। ବିଚାରପତି ସେମାନଙ୍କୁ ବିବାଦର ସମାଧାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ କରିବାକୁ କହିଥିଲେ। ଶୁଣାଣୀ ବେଳେ ବିଚାରପତି ମହିଳାଙ୍କୁ ପଚାରିଲେ, “ମୁଁ ଦେଖିପାରୁଛି ଯେ ତୁମେ ମଙ୍ଗଳସୁତ୍ର କି ସିନ୍ଦୁର ପିନ୍ଧି ନାହଁ। ଯଦି ତୁମେ ଜଣେ ବିବାହିତ ମହିଳା ହୋଇ ବିବାହିତଙ୍କ ପରି ବ୍ୟବହାର କରୁନାହଁ, ତେବେ ତୁମ ସ୍ୱାମୀ ତୁମ ପ୍ରତି କାହିଁକି ଆଗ୍ରହ ଦେଖାଇବେ?”

ଶୁଣାଣିବେଳେ ବିଚାରପତି ଆହୁରି କହିଥିଲେ, “ଯଦି ଜଣେ ମହିଳା ଭଲ ରୋଜଗାର କରନ୍ତି, ତେବେ ସେ ସର୍ବଦା ତାଙ୍କଠାରୁ ଅଧିକ ରୋଜଗାର କରୁଥିବା ସ୍ବାମୀ ଖୋଜନ୍ତି ଏବଂ ତାଙ୍କଠାରୁ କମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ସହିତ ସେମାନେ ସନ୍ତୁଷ୍ଟ ରୁହନ୍ତିନି । କିନ୍ତୁ ଯଦି ଜଣେ ଭଲ ରୋଜଗାର କରୁଥିବା ପୁରୁଷ ବିବାହ କରିବାକୁ ଚାହାଁନ୍ତି ତାହେଲେ ସେମାନେ ଚାକରାଣୀଙ୍କୁ ମଧ୍ୟ ବିବାହ କରି ଖୁସିରେ ରହୁଛନ୍ତି । ଏଥିରୁ ଜାଣିବା ଦରକାର ଯେ ପୁରୁଷମାନେ କେତେ ନମନୀୟ। ଆପଣ ମଧ୍ୟ କିଛି ନମନୀୟତା ଦେଖାଇବା ଉଚିତ। ଏତେ କଠୋର ହୁଅନ୍ତୁ ନାହିଁ ବୋଲି କହିଥିଲେ କୋର୍ଟ।”

ଏନେଇ ଜାହାଗିରଦାର କହିଛନ୍ତି ଯେ, ବିଚାରପତି ଦେଇଥିବା ଏହି ବିବାଦ କୁ ନେଇ ଅଭିଯୋଗ ନ ହେବା ନୈରାଶଜନକ। ଜିଲ୍ଲା କୋର୍ଟଗୁଡ଼ିକରେ ଏପରି ଅନେକ ଘଟଣା ଘଟୁଛି ଯାହା ଅନେକ ବ୍ୟକ୍ତିଙ୍କ ବିବେକକୁ ଆଘାତ ଦେବ। ଏପରି ବ୍ୟବହାର ଓ ବିଚାରପତିଙ୍କ ଦ୍ୱାରା ଦିଆଯାଉଥିବା ଏଭଳି ବୟାନକୁ ନେଇ ମହିଳାମାନେ ଅସହଜ ଅନୁଭବ କରୁଛନ୍ତି ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଜାହାଗିରଦାର।

Comments are closed.