Latest Odisha News

ଘର ଭିତରୁ ଶିକ୍ଷୟିତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ନୟାଗଡ଼: ଘର ଭିତରୁ ଶିକ୍ଷୟିତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଘର ଭିତରୁ ମିଳିଲା ମୃତଦେହ। ଟଙ୍କା ପାଇଁ ଶାଶୁଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ । ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ। ସେ ଓଡ଼ଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ।

ସୂଚନା ଅନୁସାରେ, ପଦ୍ମିନୀ ୯ ବର୍ଷ ପୂର୍ବେ ଚମ୍ପତିପୁର ଗାଁର ତପନ ସ୍ୱାଇଁଙ୍କୁ ବିବାହ କରିଥିଲେ। ସେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଇଟାମାଟି କଲେଜରେ କ୍ଲର୍କ ଥିଲେ। ଉଭୟଙ୍କର ୪ ବର୍ଷର ଏକ ପୁଅ ଅଛି। କିନ୍ତୁ କିଛି ଦିନ ହେବ ବାପ ଘରୁ ୮୦ ଲକ୍ଷ ଟଙ୍କା ଆଣିବା ପାଇଁ ତପନ ଓ ତାଙ୍କ ପରିବାର ଲୋକେ ପଦ୍ମିନୀଙ୍କ ଉପରେ ଚାପ ପକାଉଥିଲେ। ହେଲେ ଟଙ୍କା ନମିଳିବାରୁ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲା ସ୍ୱାମୀ। ମିଳିତ ଆକ୍ରମଣ ଯୋଗୁଁ ପଦ୍ମିନୀଙ୍କ ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲ।

ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନରେ ଏକ କପଡ଼ା ଝୁଲାଇଥିବା ବେଳେ ମୃତଦେହ ତଳେ ପଡ଼ିଥିଲା। ପିତାଙ୍କ ଏପରି ନାରକୀୟ କାଣ୍ଡ ୪ ବର୍ଷର ପୁଅ ଦେଖିଛି। ବାପା ସମେତ ପରିବାରର ଅନ୍ୟମାନେ ମା’କୁ ପିଟି ପିଟି ମାରି ଦେଇଥିବା କୁନି ପିଲାଟି ପୋଲିସକୁ କହିଛି। ପୋଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ପୋଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି ।

 

Comments are closed.