Latest Odisha News

ଡ୍ୟୁଟି ସମୟରେ କରୋନାରେ ମୃତ୍ୟୁ ମାମଲା: କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ

କଟକ: କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ପାଇଁ ଆସିଲା ବଡ ଖବର। କରୋନା ମହାମାରୀ ସମୟରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ବିଧବା ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ମିଳିବା ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ୬ ମାସ ଭିତରେ ଏହିଭଳି ହିତାଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେନକାରୀଙ୍କୁ ସ୍ବତନ୍ତ୍ର ପରିବାର ପେନସନ୍ ପ୍ରଦାନ କରାଯିବା ନେଇ ହାଇକୋର୍ଟ ରାୟ ଦେଇଛନ୍ତି। ସହାୟତା ରାଶି ଓ ପେନସନ୍ ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ହାଇକୋର୍ଟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କ ବେଞ୍ଚ ଭାରତୀ ଶତପଥୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ୨୦୨୦, ଅଗଷ୍ଟ ୪ ର ବିଜ୍ଞପ୍ତି ଅନୁସାରେ ଜଣେ କନଷ୍ଟେବଳ କାର୍ଯ୍ୟରତ ଅବସ୍ଥାରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। କୋଭିଡ ଯୋଦ୍ଧା ଭାବେ ସେ ପ୍ରାଣ ହରାଇଥିଲେ। ତେଣୁ ଏହି ବିଜ୍ଞପ୍ତି ଅନୁସାରେ ମୃତ କନଷ୍ଟେବଳଙ୍କ ପତ୍ନୀ ସରକାରଙ୍କ ଦ୍ବାରା ଧାର୍ଯ୍ୟ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଓ ସ୍ବତନ୍ତ୍ର ପେନସନ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି।

ମାମଲା ଅନୁଯାୟୀ, ୧୯୯୯ରେ ସତ୍ୟବାଦୀ ଦେହୁରୀ ପୋଲିସ କନଷ୍ଟେବଳ ଭାବେ ଚାକିରିରେ ଯୋଗ ଦେଇଥିଲେ। ୨୦୨୧ରେ  ସେ ଅନୁଗୁଳ ରିଜର୍ଭ ଇନ୍ସପେକ୍ଟରଙ୍କ ଅଧିନସ୍ଥ ଏଚଆରଏମଏସରେ ଡ୍ୟୁଟି ସମୟରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ଅନୁଗୁଳର ଡାକ୍ତରଖାନା ଓ ପରେ ଭୁବନେଶ୍ବର ସ୍ଥିତ ସରକାରଙ୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। କରୋନା ସଂକ୍ରମଣ କାରଣରୁ ୨୦୨୧, ଅକ୍ଟୋବର ୧୨ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ, ୨୦୨୦, ଅଗଷ୍ଟ ୪ରେ ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଡ୍ୟୁଟି କରୁଥିବା ସରକାରୀ କର୍ମଚାରୀ  କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସ୍ବତନ୍ତ୍ର ପେନସନ୍ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ସ୍ବତନ୍ତ୍ର ପେନସନ୍ ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତକୁ ରାଜ୍ୟ ଗୃହ ବିଭାଗ ୨୦୨୨, ଜୁଲାଇ ୭ରେ ଖାରଜ କରିଥିଲା। ତେଣୁ  ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଆଜି ଉଚ୍ଚ ନ୍ୟାୟଳୟ ଅନୁକମ୍ପାମୂଳକ ସହାୟତା ଓ ପେନସନ ପାଇଁ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.