Latest Odisha News

BREAKING NEWS

ରାଜ ରାସ୍ତାରେ ୬ ଫୁଟ ଲମ୍ବର କୁମ୍ଭୀର: ଦେଖିବାକୁ ଲୋକଙ୍କ ଭିଡ଼

ମଧ୍ୟ ପ୍ରଦେଶ: ଦୁନିଆରେ ଅନେକ ଜୀବ ଅଛନ୍ତି, ଯାହାକୁ ଲୋକେ ଖୁବ୍ ଭୟ କରନ୍ତି । ସେହିପରି ନଦୀରେ କୁମ୍ଭୀର ଥିବା କଥା ଶୁଣିଲେ ଲୋକେ ପାଣି ଭିତରେ ବି ପଶିବାକୁ ଭୟ କରିଥାନ୍ତି । ଯଦି କୁମ୍ଭୀର ପାଣିରୁ ଉଠି ମୁଖ୍ୟ ରାସ୍ତାରେ ଚାଲିବ, ତାହାହେଲେ ଲୋକଙ୍କ ଅବସ୍ଥା କ’ଣ ହେବ ଭାବନ୍ତୁ ? ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।

ମଧ୍ୟପ୍ରଦେଶର ଶିବପୁରୀ ସହର ନିକଟରେ ନଦୀ ଓ ଅନେକ ପୋଖରୀ ରହିଛି । ବର୍ଷା ଦିନରେ ନଦୀ ଓ ପୋଖରୀରେ ପାଣି ବଢିଲେ କୁମ୍ଭୀରମାନେ ସହର ମୁହାଁ ହୋଇଯାଆନ୍ତି । ସେମାନେ ସହରର ବିଭିନ୍ନ ରାସ୍ତାରେ ଚଳ ପ୍ରଚଳ କରନ୍ତି । ସେହିପରି ଗୁରୁବାର ସକାଳେ ସହରର ଫିଜିକଲ ରୋଡ଼ରେ ୬ ଫୁଟ ଲମ୍ବର ଏକ କୁମ୍ଭୀର ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ । କିଛି ସମୟ ପାଇଁ ଲୋକେ ସେହି ରାସ୍ତାରେ ଯାନବାହନ ଅଟକାଇ ଦେଖିଲେ । ଏହାକୁ ଦେଖିବାକୁ ଭିଡ଼ ବି ଲାଗିଲା । ପରେ କୁମ୍ଭୀରଟି ପାଖରେ ଥିବା ଡ଼୍ରେନ ଭିତରକୁ ଚାଲିଗଲା । ଆଉ ଲୋକଙ୍କ ପାଟି ଶୁଣି ବଡ଼ ଆଁ କରି ଗର୍ଜନ କରି ଲୋକଙ୍କୁ ଭୟଭୀତ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ପରେ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ôଚଥିଲେ । ଏକ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ କୁମ୍ଭୀରଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ପରେ ଏହାକୁ ସୁରକ୍ଷିତ ଭାବେ ନେଇ ନିକଟସ୍ଥ ନଦୀରେ ଛାଡ଼ି ଦେଇଥିଲେ ।

ସମଗ୍ର ରାଜ୍ୟରେ ବର୍ଷା ଋତୁ ଚାଲିଛି । ଦୁଇ ଦିନ ଧରି ଶିବପୁରୀରେ ଲଗାତାର ବର୍ଷା ହେଉଛି । ନିକଟସ୍ଥ ନଦୀ ଓ ପୋଖରୀଗୁଡ଼ିକର ପାଣି ପ୍ରବାହିତ ହେତୁ କୁମ୍ଭୀରମାନେ ବାହାରକୁ ଆସି ସହର ମୁହାଁ ହୋଇଛନ୍ତିି । ପ୍ରତିବର୍ଷ ଶିବପୁରୀରେ ବର୍ଷା ଦିନେ କୁମ୍ଭୀରମାନେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ । ଫିଜିକଲ ଅଞ୍ଚଳରେ ଭୁଜାରିଆ ନାମକ ଏକ ପୋଖରୀ ରହିଛି, ଯେଉଁଠାରେ କୁମ୍ଭୀର ସଂଖ୍ୟା ଅଧିକ । ବୋଧହୁଏ କୁମ୍ଭୀରଟି ଏହି ପୋଖରୀରୁ ଉଠି ରାସ୍ତାକୁ ଚାଲିଯାଇଥିବା ଲୋକେ ସନ୍ଦେହ କରୁଛନ୍ତି ।

Comments are closed.