Latest Odisha News

ଯାଜପୁରରୁ ଜବତ ହେଲା ବାଲେଶ୍ଵରର ହାତୀ ଦାନ୍ତ ଓ ହରିଣ ଶିଙ୍ଗ ; ୨ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ ଟି ହରିଣ ସିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛି ବନବିଭାଗ। ଏଥିସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରୁ ହାତୀ ଦାନ୍ତ ଓ ହରିଣ ଶିଙ୍ଗ ଯାଜପୁର ଜିଲ୍ଲାକୁ ଚାଲାଣ କରାଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।

ଏନେଇ ଅନୁସନ୍ଧାନ କରିବାରୁ ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରେ ଏସବୁ କାରବାର ହେଉଥିବା ସୂଚନା ପାଇଥିଲା ବନବିଭାଗ। ପରେ ଯାଜପୁର ରୋଡ ରେଞ୍ଜର ସଦଳବଳେ ଉକ୍ତ ସ୍ଥାନରେ ଚଢାଉ କରି ୫ଗୋଟି ହରିଣ ଶିଙ୍ଗ, ଗୋଟିଏ ହାତୀ କଳଦାନ୍ତ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ୍ କରିଛନ୍ତି ।

ଚଢାଉ ବେଳେ ଘଟଣା ସ୍ଥଳରୁ ୨ ଜଣ ଅଭିଯୁକ୍ତ ବନ କର୍ମଚାରୀଙ୍କ ହାତରେ ଧରାପଡିଥିବା ବେଳେ ଅନ୍ୟ ୨ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାଜପୁର ରୋଡ୍ ଏବଂ ଅନ୍ୟ ଜଣେ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି।

ଏହି କାରବାରରେ କୌଣସି ଏକ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଇଛି। ଏହାକୁ ଠାବ କରିବା ପାଇଁ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି।

Leave A Reply

Your email address will not be published.