ନୂଆଦିଲ୍ଲୀ: କାହିଁକି ପଞ୍ଜାବ ଆପ୍ ନେତାଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ? ଦିଲ୍ଲୀ ବିପର୍ଯ୍ୟୟର ପ୍ରଭାବ ପଞ୍ଜାବ ରାଜନୀତି ଉପରେ ପଡ଼ିବା ନେଇ ରହିଛି କି ଆଶଙ୍କା? କଣ ରହିଛି ଆମ ଆଦମୀ ପାର୍ଟିର ପଞ୍ଜାବ ପ୍ଲାନ୍ ? ପଞ୍ଜାବ ଆପ୍ ସରକାରରେ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ବଦଳିବେ କି ପଞ୍ଜାବ ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ବଡ଼ ପରାଜୟ ପରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ସାଂସଦଙ୍କ ସହ ବୈଠକ କରିଛନ୍ତି । ଦିଲ୍ଲୀ କପୁରଥଲା ହାଉସରେ ହୋଇଥିବା ଏହି ବୈଠକରୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କଂଗ୍ରେସ ପଞ୍ଜାବ ଆପରେ ଅସନ୍ତୋଷ ରହିଥିବା କହିଛି ତ ବିଜେପି ମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାଢିବାକୁ କେଜ୍ରିଓ୍ବାଲ ଉଦ୍ୟମ କରୁଥିବା କହିଛି ।
ବୈଠକ ପଛର କାରଣ କ’ଣ?
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା କରିବା ସହ ପଞ୍ଜାବ ନେତାଙ୍କ ପ୍ରତିକ୍ରିୟା ନେବାକୁ ବୈଠକ ଡକାଯାଇଥିବା କହୁଛନ୍ତି ଆପ୍ ନେତା । କାରଣ ପଞ୍ଜାବ ନେତା ଦିଲ୍ଲୀରେ ସକ୍ରିୟ ଭାବେ ପ୍ରଚାର କରିଥିଲେ । ତେବେ ଆପ୍ ନେତାଙ୍କ ଏହି ବିବୃତିକୁ ବିଶ୍ବାସ କରିବା କଷ୍ଟ । କାରଣ କେବଳ ପ୍ରତିକ୍ରିୟା ନେବାର ଥିଲେ ଏତେ ତରତର ହୋଇ ବୈଠକ ଡାକିନଥାନ୍ତେ କେଜ୍ରିଓ୍ବାଲ । ଚର୍ଚ୍ଚା ଆଲୋଚନା କରିବାର ଥିଲେ ଭିଡିଓ କନଫରେନ୍ସରେ ବି କଥା ହୋଇପାରିଥାନ୍ତେ । ହେଲେ ଏଭଳି ନକରି ପଞ୍ଜାବ ଆପ୍ ନେତାଙ୍କୁ ଡାକିବା ଭିନ୍ନ ଦିଗକୁ ଇସାରା କରୁଛି । କୁହାଯାଉଛି, ପଞ୍ଜାବ ଆପରେ ସବୁ କିଛି ଠିକ୍ ନାହିଁ । ଦଳ ମଧ୍ୟରେ ଅନ୍ତକନ୍ଦଳକୁ ନେଇ ଚର୍ଚ୍ଚା ଭିତରେ ବୈଠକ ଡାକିଛନ୍ତି କେଜ୍ରିଓ୍ବାଲ ।
ପଞ୍ଜାବ ଆପରେ ଅସନ୍ତୋଷ !
ଆପର ୩୦ବିଧାୟକ କଂଗ୍ରେସ ସହ ସଂପର୍କରେ ଥିବା ଦାବି କରିଛନ୍ତି ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା । କଂଗ୍ରେସର ଦାବିରେ କେତେ ସତ୍ୟତା, ସେନେଇ ସ୍ପଷ୍ଟ ହୋଇନି । ତେବେ ପଞ୍ଜାବ ବିଧାୟକଙ୍କ ବୈଠକ ଡାକି ଚର୍ଚ୍ଚାରେ ଇନ୍ଧନ ଭରିଛନ୍ତି କେଜ୍ରିଓ୍ବାଲ । ପଞ୍ଜାବରେ ଗତ ୫ମାସ ହେଲା କ୍ୟାବିନେଟ୍ ବୈଠକ ହୋଇନି । ବଜେଟ୍ ଅଧିବେଶନର ତାରିଖ ଧାର୍ଯ୍ୟ କରିବାକୁ ସୋମବାର କ୍ୟାବିନେଟ୍ ବୈଠକ ଡକାଯାଇଥିଲା । ହେଲେ ବୈଠକ ଘୁଞ୍ଚାଇବା ପଛରେ ପଞ୍ଜାବ ଆପରେ ଅସନ୍ତୋଷ, କାରଣ ହୋଇପାରେ ବୋଲି କୁହାଯାଉଛି ।
ହଟିବେ କି ଭଗବନ୍ତ ମାନ୍ ?
ଆମ ଆଦମୀ ପାର୍ଟି ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଥିବା କହୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା । କୁହାଯାଉଛି, ଦିଲ୍ଲୀରେ ଲଜ୍ଜାଜନକ ପରାଜୟ ପରେ ପଞ୍ଜାବରେ ଡିଫେନ୍ସ ମୁଦ୍ରାରେ ରହିଛି ଆପ୍ । ଦଳର ଶୀର୍ଷ ନେତୃତ୍ବ ପଞ୍ଜାବରେ ନିଜ ସରକାର ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଦିଲ୍ଲୀ ପରାଜୟ ପରେ ଭଲ ଶାସନ ହିଁ କ୍ଷମତାକୁ ଫେରିବାର ବାଟ ବୋଲି ବୁଝିଛନ୍ତି ଆପ୍ ନେତୃତ୍ବ । ଭଗବନ୍ତ ମାନ୍ ପଞ୍ଜାବରେ ମଦ, ବାଲି ଓ ଖଣି ମାଫିଆଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ସରକାରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଲେ ଦଳର ବିଧାୟକଙ୍କୁ ଏକାଠି ରଖିବା ବି ମୁସ୍କିଲ ହେବ । ତେଣୁ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ବିରୋଧୀଙ୍କ ମତରେ ସତ୍ୟତା ରହିଥାଇପାରେ ।
ସାମ୍ବିଧାନିକ ପଦ ଚାହୁଁଛନ୍ତି କେଜ୍ରିଓ୍ବାଲ !
୨୦୨୨ରେ ପଞ୍ଜାବରେ ୯୨ଟି ସିଟ୍ ଜିତିବା ସହ ବଡ଼ ବିଜୟ ହାସଲ କରିଥିଲା ଆପ୍ । ୧୧୭ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ବହୁମତଠାରୁ ଯଥେଷ୍ଟ ଅଧିକ ସିଟ୍ ଆପ ପାଖରେ ରହିଛି। ତେଣୁ ଭଗବନ୍ତ ମାନଙ୍କ ଚେୟାରକୁ ବିପଦ ହୋଇପାରେ ହେଲେ ଆପ୍ ସରକାରକୁ ପଞ୍ଜାବରେ ବିପଦ ନାହିଁ । ପଞ୍ଜାବରେ କୌଣସି ଦଳ ପାଖରେ ସେତେ ସଂଖ୍ୟା ନାହିଁ, ଯେ ସେମାନେ ସରକାରକୁ ଚ୍ୟାଲେଞ୍ଜ କରିପାରିବେ । ତେଣୁ ପଞ୍ଜାବରେ ଆପ୍ ସରକାର ସୁରକ୍ଷିତ । ତେବେ ଗତ ୧୦ବର୍ଷ ହେଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଖରେ ଏବେ କୌଣସି ସାମ୍ବିଧାନିକ ପଦ ନାହିଁ । ଏପରିକି ପଞ୍ଜାବ ନିର୍ବାଚନ ବେଳେ ବି କେଜ୍ରିଓ୍ବାଲ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏବେ ପୁଣି ସେହି ଚର୍ଚ୍ଚା ଫେରିଛି । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା କେଜ୍ରିଓ୍ବାଲଙ୍କ ପାଇଁ ବିନା ଇମ୍ୟୁନିଟିରେ ରହିବା ବିପଦ ହୋଇପାରେ । ବଡ଼ ସାମ୍ବିଧାନିକ ପଦରେ ରହିଲେ ତାଙ୍କୁ ସୁରକ୍ଷା ସହ ତାଙ୍କ ମାମଲା ଲଢିବାକୁ ସୁପ୍ରିମକୋର୍ଟ ଓକିଲ ମିଳିପାରିବେ । ତେଣୁ ଦିଲ୍ଲୀ ବୈଠକ ପଞ୍ଜାବରେ ବଡ ପରିବର୍ତ୍ତନର ଇସାରା ଦେଇଥିବା ଚର୍ଚ୍ଚା ହେଉଛି ।
Comments are closed.