ନୂଆଦିଲ୍ଲୀ: କିଏ ଜିତିବ ଦିଲ୍ଲୀ ଦଙ୍ଗଲ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ । ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ ଅନୁସାରେ ଏଥର ଖସିପାରେ ଆପ ସିଟ୍ । ବିଜେପିର ସିଟ୍ ବଢିପାରେ । ତେବେ କଂଗ୍ରେସ ସ୍ଥିତିରେ ସେଭଳି ପରିବର୍ତ୍ତନ ହେବନି । ଦିଲ୍ଲୀରେ ଫେବ୍ରୁଆରୀ ୫ତାରିଖରେ ନିର୍ବାଚନ ହେବାକୁ ଯାଉଛି । ୮ତାରିଖରେ ଫଳାଫଳ ପ୍ରକାଶ ପାଇବ । ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିବାକୁ ଆପ୍ ଉଦ୍ୟମ କରୁଛି ତ ୨୭ବର୍ଷ ପରେ କ୍ଷମତାର ବନବାସ ସାରି ଫେରିବାକୁ ଜାନ୍ ଲଗାଇଛି ବିଜେପି । ସେପଟେ କଂଗ୍ରେସ କ୍ଷମତାକୁ ଫେରିବାକୁ ସଂଘର୍ଷ କରୁଛି । ତେବେ ନିର୍ବାଚନ ପୂର୍ବରୁ ସଟ୍ଟାବଜାର ଭବିଷ୍ୟବାଣୀ ବଡ ସରପ୍ରାଇଜ୍ ଦେଇଛି ।
ଦିଲ୍ଲୀରେ କାହାର ପଲ୍ଲା ଭାରି?
ଦିଲ୍ଲୀରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ନିର୍ବାଚନ ପୂର୍ବରୁ ରାଜସ୍ଥାନର ଫଲୋଦି ସଟ୍ଟାବଜାର ଫଳାଫଳ ନେଇ ଭବିଷ୍ୟବାଣୀ କରିଛି । ଜୋଧପୁରଠାରୁ ୧୪୨କିଲୋମିଟର ଦୂର ଥର ମରୁଭୂମିର ବଫର ଜୋନରେ ଥିବା ଫଲୋଦି ସଟ୍ଟାବଜାରକୁ ନିର୍ବାଚନ ସଂପର୍କିତ ଭବିଷ୍ୟବାଣୀର କେନ୍ଦ୍ର କୁହାଯାଏ । ଅନେକ ସମୟରେ ବିବାଦୀୟ ହେଲେ ବି ସଠିକ୍ ଆକଳନକୁ ନେଇ ଚର୍ଚ୍ଚାରେ ରହିଥାଏ ଫଲୋଦି ସଟ୍ଟାବଜାର । ନିର୍ବାଚନ ତାରିଖ ଘୋଷଣା ସହ ଫଲୋଦି ସଟ୍ଟାବଜାରରେ ବେଟିଂ ସହ ଫଳାଫଳକୁ ନେଇ ଆକଳନ କରାଯାଇଛି । ତେବେ ସଟ୍ଟାବଜାରର ଭବିଷ୍ୟବାଣୀ ଅନୁସାରେ ଗତ ଦୁଇଟି ନିର୍ବାଚନରେ ଏକପାଖିଆ ବିଜୟ ହାସଲ କରିଥିବା ଆପ୍ ଏଥର କ୍ଷତି ସହିପାରେ । ସେହିପରି ବିଜେପି ସିଟ୍ ପୂର୍ବ ନିର୍ବାଚନ ତୁଳନାରେ ଅହେତୁକ ବଢିଲେ ବି ଦଳକୁ ଦିଲ୍ଲୀରେ କ୍ଷମତା ମିଳିନପାରେ ।
ଆକଳନରେ କାହାକୁ କେତେ ସିଟ୍?
ଫଲୋଦି ସଟ୍ଟାବଜାରର ଆକଳନ ଅନୁସାରେ ୭୦ସିଟ୍ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୨୫ରୁ ୩୫ଟି ସିଟ୍ ଜିତିପାରେ ବିଜେପି । ଯାହା ଗତ ଦୁଇଟି ନିର୍ବାଚନ ତୁଳନାରେ ବହୁତ ବେଶୀ । ଦିଲ୍ଲୀରେ ମ୍ୟାଜିକ ନମ୍ବର ୩୬ରହିଥିବା ବେଳେ ବିଜେପି ପାଇଁ ଏହାଠାରୁ ଗୋଟିଏ ସିଟ୍ କମ୍ ଆକଳନ କରାଯାଇଛି । ଖୁବ୍ କମ୍ ବ୍ୟବଧାନରେ ଆପ୍ କ୍ଷମତାକୁ ଆସିପାରେ ବୋଲି ସଟ୍ଟାବଜାର ପକ୍ଷରୁ ଆକଳନ କରାଯାଇଛି । ଆପକୁ ଦିଲ୍ଲୀରେ ୩୭ରୁ ୩୯ଟି ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଇଛି । ୨୦୨୦ରେ ଆପ୍ ୬୨ଟି ସିଟ୍ ଜିତିଥିବା ବେଳେ ଏଥର ସଂଖ୍ୟା ବହୁତ ଖସିପାରେ । ସେହିପରି କଂଗ୍ରେସ ମାତ୍ର ୩ଟି ସିଟ୍ ଜିତିପାରେ ବୋଲି ଆକଳନ କରାଯାଇଛି ।
ଆପ୍ ଆସିବ, ହେଲେ ଖସିବ !
୨୦୧୫ରେ ୬୭ଟି ସିଟ୍ ତ ୨୦୨୦ରେ ୬୨ଟି ସିଟ୍ ଜିତି ଦିଲ୍ଲୀରେ କ୍ଷମତାକୁ ଆସିଥିଲା ଆମ ଆଦମୀ ପାର୍ଟି । ହେଲେ ଫଲୋଦି ସଟ୍ଟାବଜାର ଆକଳନ ଅନୁସାରେ ଏଥର ଆପ୍ ପାଇଁ ସହଜ ହେବନି ଦିଲ୍ଲୀ ବାଟ । ଦୁର୍ନୀତି ଅଭିଯୋଗରେ ଦଳ ଛନ୍ଦି ହୋଇଥିବା ବେଳେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଦଳର ବହୁ ହେଭିଓ୍ବେଟ୍ ନେତା ଜେଲ୍ ଯାଇଥିଲେ । ଆପ୍ ବିରୋଧରେ ଶାସକ ବିରୋଧୀ ଲହର ରହିଥିବା ବେଳେ ଦିଲ୍ଲୀ ମଦ ନୀତି ଓ ଆଲିସାନ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ବିଜେପି ଲଗାତର ଟାର୍ଗେଟ୍ କରିଚାଲିଛି । ସେପଟେ ମାଗଣା ବିଜୁଳି, ସ୍ବାସ୍ଥ୍ୟସେବା ଓ ଶିକ୍ଷା ଭିତ୍ତିଭୂମି ବିକାଶ ଭଳି ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରି ଏଥର ବି କ୍ଷମତାକୁ ଆସିବାକୁ ଯୋଜନା କରୁଛି ଆପ୍ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମହିଳା, ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ବର୍ଗ ପାଇଁ ଯୋଜନା ବି ଘୋଷଣା କରିଛି ଦଳ । ତେବେ ଫଲୋଦି ସଟ୍ଟାବଜାର ଆକଳନ ଅନୁସାରେ ଏସବୁ ପରେ ବି କ୍ଷମତାର ହ୍ୟାଟ୍ରିକ୍ ଲଗାଇବାକୁ ଆପକୁ ସଂଘର୍ଷ କରିବାକୁ ପଡିପାରେ । ଆପ ପୁଣି କ୍ଷମତାକୁ ଫେରିବା ନେଇ ସଟ୍ଟାବଜାର ଭବିଷ୍ୟବାଣୀ କରିଥିଲେ ବି ସଂଖ୍ୟା କମିବା ଦଳ ପାଇଁ ବଡ ଚ୍ୟାଲେଞ୍ଜର ଆକଳନ ହୋଇପାରେ । ବିଜେପି ପାଇଁ ଭଲ ଖବର ହୋଇଥିଲେ ବି ଫଲୋଦି ବଜାର ଆକଳନ ଅନୁସାରେ ବିଜେପି ଏଥର ବି କ୍ଷମତାରୁ ଦୂରେଇ ରହିବ । ସେହିପରି କଂଗ୍ରେସ ସେଭଳି କମାଲ୍ କରିନପାରେ ।