Latest Odisha News

‘ମହାରାଷ୍ଟ୍ର ରାଜନୀତି’, ଅଜିତ ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥିତ ଦଳୀୟ ବିଧାୟକଙ୍କ ସହ ଅଜିତ ବିଜେପିରେ ମିଶିବେ ବୋଲି କେବେଠୁ ଚର୍ଚ୍ଚା ହେଉଛି। ସେ ଏହାକୁ ଖଣ୍ଡନ କରି ଆସୁଛନ୍ତି।

କିନ୍ତୁ ତାଙ୍କର ପ୍ରତ୍ୟେକ କଥା ଓ ପୂର୍ବ ପଦକ୍ଷେପ ଗୁଡିକୁ ଦେଖିଲେ ଅଜିତ ପାୱାର ଯେ କେତେବେଳେ କଣ କରିବେ ତାହା କହିବା ମୁସ୍କିଲ ବୋଲି କୁହାଯାଉଛି। ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ଅଜିତଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ଇଚ୍ଛାର ମନ୍ତବ୍ୟ।

ଅଜିତ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା କହିଛନ୍ତି। ସେଥିପାଇଁ ୨୦୨୪ କୁ କାହିଁକି ଅପେକ୍ଷା କରିବା ବୋଲି ସେ କହିଛନ୍ତି। ଏନସିପିର ପ୍ରାୟ ୪୦ ବିଧାୟକଙ୍କୁ ନେଇ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋରଦାର ହେଉଥିବା ବେଳେ ଠିକ ଏଭଳି ସମୟରେ ଅଜିତଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ଏପରିକି ୨୦୧୯ ରେ କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଢିବାକୁ ଶିବସେନା ସହ ହାତ ମିଳାଇଥିଲେ । ଆଉ ଏହା ପରଠାରୁ ଏନସିପି ଧର୍ମନିରପେକ୍ଷତା ଲାଇନରୁ ଅଲଗା ହୋଇ ଯାଇଥିଲା ଵୋଲି କହିଛନ୍ତି ଅଜିତ।

ଶିବସେନାର ବଡ ପରିଚୟ ହେଉଛି ହିନ୍ଦୁତ୍ୱ ପାର୍ଟି। ଅଜିତ ପାୱାରଙ୍କ ଏଭଳି ମନ୍ତବ୍ୟ ପରୋକ୍ଷରେ ବିଜେପିକୁ ଗଲେ କିଛି ଅସୁବିଧା ନାହିଁ ବୋଲି ସୂଚାଉଥିବା କୁହାଯାଉଛି।

ଏତେ ସବୁ କଥା କହିଲେ ମଧ୍ୟ ବିଜେପିରେ ସାମିଲ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଅଜିତ। ଖାଲି ସେତିକି ନୁହେଁ ଏନସିପି ମଧ୍ୟ ଅଜିତଙ୍କୁ ଦୁରୋଉଥିବା କୁହାଯାଉଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ଅଜିତ ପାୱାରଙ୍କ ନାଁ ନାହିଁ ।

ଏପରିକି ଅଜିତ ପାୱାର ଦଳର ବୈଠକରେ ମଧ୍ୟ ସାମିଲ ହେଉନାହାନ୍ତି । ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବା ଆଳରେ ଦଳୀୟ ବୈଠକରୁ ଅଜିତ ଦୂରେଇ ରହୁଥିବା ଦେଖଯାଇଛି।

କେବଳ ଏତିକି ନୁହେଁ କିଛି ଦିନ ପୂର୍ବେ ଅଜିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କରିବା ସହ ଇଭିଏମ ଉପରେ ଭରସା ବ୍ୟକ୍ତ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ସେପଟେ ମହାରାଷ୍ଟ୍ରରେ ଏକନାଥଙ୍କ ଶିବସେନା ଗୋଷ୍ଠୀ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ତେଣୁ ତା ପୂର୍ବରୁ ଅଜିତଙ୍କ ଗୋଷ୍ଠୀକୁ ନେଇ ବିଜେପି ସରକାର ବଞ୍ଚାଇବାକୁ ଯୋଜନା କରୁଥିବା ଆଲୋଚନା ହେଉଛି। ଯେଉଁଥିରେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଏଭଳି ସ୍ଥିତିରେ ଅଜିତ ମୁଖ୍ୟମନ୍ତ୍ରୀ ପାଇଁ ସତ ପ୍ରତିଶତ ଇଚ୍ଛା ପ୍ରକାଶ କରିବା ଓ ୨୦୨୪ କୁ ଅପେକ୍ଷା ନ କରିବାକୁ କହିବା ଚର୍ଚ୍ଚାକୁ ଆହୁରି ବଢାଇଦେଇଛି।

ସେପଟେ ଏକନାଥଙ୍କ ଗୋଷ୍ଠୀ ମଧ୍ୟ ଅଜିତଙ୍କ ଗୋଷ୍ଠୀର ବିଜେପିରେ ଯୋଗଦାନ ଚର୍ଚ୍ଚା ପ୍ରସଙ୍ଗକୁ ନେଇ ଚେତାବନୀ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଆଗକୁ ମହାରାଷ୍ଟ୍ର ରାଜନୀତିର ରୂପରେଖ କଣ ହେବ ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।

Comments are closed.