Latest Odisha News

BREAKING NEWS

ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ‘ପେଣ୍ଟାଗନ୍ ପିଜା ଇଣ୍ଡେକ୍ସ’ ଦେଉଛି ବଡ଼ ସଂକେତ

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ଘନଘଟା । ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଜେନେଭାରେ ହେବାକୁ ଥିବା ପରମାଣୁ ଚୁକ୍ତି ଆଲୋଚନା ବିଫଳ ହେବା ପରେ ଏବେ ସାରା ବିଶ୍ୱରେ ‘ପେଣ୍ଟାଗନ୍ ପିଜା ଇଣ୍ଡେକ୍ସ’କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ପେଣ୍ଟାଗନ୍‌ରେ ପିଜା ଅର୍ଡର ବଢ଼ିବା ଏକ ବଡ଼ ସାମରିକ ଅପରେସନ୍‌ର ପୂର୍ବାଭାସ ।

ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ‘ପେଣ୍ଟାଗନ୍’ରେ ଏବେ କାର୍ଯ୍ୟବ୍ୟସ୍ତତା ବଢ଼ିବାରେ ଲାଗିଛି । ସୂଚନା ମିଳୁଛି କି ପେଣ୍ଟାଗନ୍ ଆଖପାଖରେ ଥିବା ପିଜା ଆଉଟଲେଟ୍‌ଗୁଡ଼ିକରେ ହଠାତ୍ ଅର୍ଡର ସଂଖ୍ୟା ବହୁଗୁଣିତ ହୋଇଛି। ଯାହାକୁ ଗୋଇନ୍ଦା ଭାଷାରେ ‘ପିଜା ଇଣ୍ଟେଲିଜେନ୍ସ’ ବା ‘Pizzint’ କୁହାଯାଏ । ଯେତେବେଳେ ପ୍ରତିରକ୍ଷା ଅଧିକାରୀମାନେ ନିଜ ଡେସ୍କ ଛାଡ଼ି ବାହାରକୁ ଯାଇପାରନ୍ତି ନାହିଁ, ସେତେବେଳେ ସେମାନେ ଫାଷ୍ଟଫୁଡ୍ ଉପରେ ନିର୍ଭର କରନ୍ତି। ଆଉ ଏହି ଅହେତୁକ ପିଜା ଚାହିଦା ସୂଚାଉଛି ଯେ, ଆମେରିକା କୌଣସି ବଡ଼ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି।

ଏପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ବଡ଼ ବିମାନବାହୀ ଜାହାଜ ‘USS ଜେରାଲ୍ଡ ଆର୍. ଫୋର୍ଡ’କୁ ମଧ୍ୟ-ପ୍ରାଚ୍ୟ ଅଭିମୁଖେ ପଠାଇଛନ୍ତି। ସେଠାରେ ପୂର୍ବରୁ ‘USS ଆବ୍ରାହମ ଲିଙ୍କନ’ ମୁତୟନ ହୋଇ ସାରିଛି। ଟ୍ରମ୍ପ ଏବଂ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବାକଯୁଦ୍ଧ ମଧ୍ୟ ଜାରି ରହିଛି। ୟୁରାନିୟମ ସମୃଦ୍ଧିକରଣକୁ ନେଇ ଦୁଇ ଦେଶ ମଧ୍ୟରେ କୌଣସି ବୁଝାମଣା ହୋଇପାରୁନାହିଁ।

ଶୀତଳ ଯୁଦ୍ଧ ସମୟରେ ମଧ୍ୟ ସୋଭିଏତ୍ ଗୋଇନ୍ଦାମାନେ ଏହି ‘ପିଜା ଇଣ୍ଡେକ୍ସ’ ଜରିଆରେ ଆମେରିକାର ଗତିବିଧି ଜାଣିପାରୁଥିଲେ। ଆଜିର ଡିଜିଟାଲ ଯୁଗରେ ପୁଣି ଥରେ ଏହି ‘ପିଜା ଇଣ୍ଡେକ୍ସ’ ସ୍ପାଇକ୍ କରିବା ଇରାନ ପାଇଁ ବିପଦର ଘଣ୍ଟି ସଦୃଶ ହୋଇଛି। ଯଦି ପିଜା ଇଣ୍ଡେକ୍ସର ପୂର୍ବାନୁମାନ ସତ ହୁଏ, ତେବେ ଖୁବଶୀଘ୍ର ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.