Latest Odisha News

BREAKING NEWS

ଯଦି ବିଜେଡିରେ ବିଭାଜନ ହୁଏ… କାହାର ହେବ ଲାଭ?

ଭୁବନେଶ୍ବର: ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡିରେ ହେବ କି ବିଭାଜନ? ସବୁଠୁ ଶୃଙ୍ଖଳିତ ଦଳ କୁହାଯାଉଥିବା ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ନିର୍ବାଚନ ହାରିବା ପରଠୁ ନେତାଙ୍କ ମନରେ ଅସନ୍ତୋଷ ଥିଲା । ହେଲେ ଓ୍ବକଫ୍ ଭୋଟ୍ ପରଠୁ ଏହା ସାମନାକୁ ଆସିଛି । ଦିନେ ବିଜେଡିର ସର୍ବେସର୍ବା ରହିଥିବା ଭିକେ ପାଣ୍ଡିଆନଙ୍କୁ ଖୋଲାଖୋଲି ସମାଲୋଚନା କରୁଛନ୍ତି ଦଳର ନେତା । ବରିଷ୍ଠ ନେତା ହୋଟେଲରେ ମେଳି କରୁଛନ୍ତି, ନବୀନ ଆକଟ କଲେ ବି ଶୁଣିବା ମୁଡରେ ନାହାନ୍ତି । ବିଜେଡି ଛାଡି ଯାଇଥିବା ନେତା ବି ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ନେଇ କହିଲେଣି । ଏଭଳି ସ୍ଥିତିରେ ପାଣ୍ଡିଆନଙ୍କୁ ନବୀନଙ୍କ ପ୍ରଶଂସା ଅସନ୍ତୋଷ ନିଆଁରେ ଘିଅ ଢାଳିଛି । ତେବେ ପ୍ରଶ୍ନ ଉଠୁଛି, ଯଦି ବିଜେଡିରେ ବିଭାଜନ ହୁଏ ତେବେ କାହାର ଲାଭ ହେବ?

ଲାଭରେ ରହିବ ବିଜେପି

ବିଜେଡିର ବହୁ ନେତା ପରୋକ୍ଷରେ ତ ଦେବାଶିଷ ସାମନ୍ତରାୟ ସିଧାସଳଖ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି । ତେବେ ନବୀନ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି । ଦଳରେ ପାଣ୍ଡିଆନଙ୍କୁ ନେଇ ପ୍ରବଳ ଅସନ୍ତୋଷ ପରେ ବି ସେ ତାଙ୍କ ସପକ୍ଷରେ ବାହାରିଛନ୍ତି । ତେଣୁ ଦଳ ଭିତର କଳି ଯଦି ବଢେ, ତେବେ ଦଳ ଭାଙ୍ଗିବା ଭଳି ସ୍ଥିତି ହୋଇପାରେ । ବିଜେଡି ମୁଖ୍ୟ ବିରୋଧୀ ଦଳ ରହିଥିବା ବେଳେ କ୍ଷମତାରେ ରହିଛି ବିଜେପି । ତେଣୁ ଯଦି କୌଣସି କାରଣରୁ ବିଜେଡିରେ ବିଭାଜନ ହୁଏ ତେବେ ଶାସକ ଦଳ ଭାବେ ବିଜେପି, ଅସନ୍ତୁଷ୍ଟ ବିଜେଡି ନେତାଙ୍କ ପ୍ରଥମ ପସନ୍ଦ ପାଲଟିପାରେ । ବିଜେପି ସରକାରରେ ରହିଥିବାରୁ ପଦ ପଦବୀ ସାଙ୍ଗକୁ କ୍ଷମତା, ଆକର୍ଷଣର କାରଣ ପାଲଟିପାରେ । କେବଳ ନେତା ନୁହନ୍ତି ବିଜେଡିର ତୃଣମୂଳସ୍ତରର କର୍ମୀ ମଧ୍ୟ ପଦ୍ମଶିବିରକୁ ଯାଇପାରନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ, ବିଜେଡିରେ ବିଭାଜନ ହେଲେ ଲାଭରେ ରହିପାରେ ବିଜେପି ।

କଂଗ୍ରେସ ଆଡକୁ ଯିବେ ସଂଖ୍ୟାଲଘୁ !

ବିଜେଡି ବିବାଦ ପଛରେ ରହିଛି ରାଜ୍ୟସଭାରେ ଓ୍ବକଫ୍ ଭୋଟ୍ । ବର୍ଷ ବର୍ଷ ଧରି ରାଜ୍ୟର ସଂଖ୍ୟାଲଘୁ ଭୋଟର ବିଜେଡିର କୋର୍ ଭୋଟବ୍ୟାଙ୍କ ରହିଛନ୍ତି । ବିଜେଡି ମଧ୍ୟ ଦଳ ଗଠନ ପରଠୁ ଧର୍ମନିରପେକ୍ଷ ଇମେଜ ରଖିଆସିଛି । ହେଲେ ଓ୍ବକଫ ସଂଶୋଧନ ବିଲକୁ ବିବେକ ଅନୁସାରେ ଭୋଟ୍ ନିଷ୍ପତି ଓ ପରେ ଦଳର ସାଂସଦ ବିଲ ସପକ୍ଷରେ ଭୋଟ ଦେବା ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଏହାକୁ ନେଇ ସାଂସଦ ମୁନା ଖାଁଙ୍କ ନେତୃତ୍ବରେ ସଂଖ୍ୟାଲଘୁ ଭୋଟର ନବୀନ ନିବାସରେ ପହଞ୍ଚି ସିଧାସଳଖ ନବୀନଙ୍କୁ ପ୍ରଶ୍ନ କରିଥିଲେ । ସେତେବେଳେ ଅନୁଧ୍ୟାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । ନିଷ୍ପତି କିଏ ନେଇଥିଲେ, ସେନେଇ କହିବା ବଦଳରେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ । ଏହାପରେ ସଂଖ୍ୟାଲଘୁ ଭୋଟର ବିଜେଡିଠାରୁ ଦୂରେଇ କଂଗ୍ରେସ ଆଡକୁ ମୁହାଁଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏକ ନମ୍ବର ବିରୋଧୀ ହେବ କଂଗ୍ରେସ !

ସଂଖ୍ୟା ବଳ ସତ୍ତ୍ବେ ଗତ ବିଧାନସଭା ଅଧିବେଶନ ବେଳେ ବିଜେଡିଠୁ ଅଧିକ ଚର୍ଚ୍ଚାରେ ରହିଥିଲା କଂଗ୍ରେସ । ମହିଳା ସୁରକ୍ଷା ପରି ବଡ଼ ପ୍ରସଙ୍ଗ ଉଠାଇ ଉଭୟ ବିଧାନସଭା ଭିତରେ ଓ ବାହାରେ ହୁଲୁସ୍ତୁଲ କରିଥିଲା ଦଳ । କେବଳ ସପୋର୍ଟିଂ ରୋଲରେ ହିଁ ନଜର ଆସିଥିଲା ବିଜେଡି । ଯଦି ବିଜେଡିରେ ବିଭାଜନ ହୁଏ, ତେବେ ସ୍ଥିତି ଆହୁରି ଖରାପ ହେବ । ୫୧ବିଧାୟକ ଥାଇ ମଧ୍ୟ ବିଜେଡି ବ୍ୟାକଫୁଟକୁ ଆସିବ । ଫଳରେ ସଂଖ୍ୟା ନଥାଇ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ନଜର ଆସିପାରେ କଂଗ୍ରେସ । ଲୋକସଭାରେ ବିଜେଡି ଶୂନ ରହିଥିବା ବେଳେ ରାଜ୍ୟସଭାରେ ଓ୍ବକଫ୍ ଭୋଟ ପରବର୍ତ୍ତୀ ବିବାଦ ଯୋଗୁଁ ଦଳ ଏକାଠି ନଜର ଆସିନପାରେ । ଯାହାର ଫଳ ଭାବେ ରାଜ୍ୟବାସୀଙ୍କର ବିଜେଡି ଉପରେ ଭରସା କମିବ ।

ଆଞ୍ଚଳିକ ଦଳ ଭାବେ ଓଡିଶାର ସମସ୍ୟା ଦିଲ୍ଲୀରେ ଉଠାଇବା ହେଉ କିମ୍ବା ରାଜ୍ୟବାସୀଙ୍କ ଲଢେଇ କରିବା ହେଉ, ବିଜେଡି ବିରୋଧୀ ସିଟରେ ବସିବା ପରେ, ଦଳଠୁ ଲୋକଙ୍କର ଅନେକ ଆଶା ରହିଥିଲା। ହେଲେ ଗତ କିଛି ଦିନର ଘଟଣାକ୍ରମ ପରେ ଦଳରେ ସବୁ କିଛି ଠିକ୍ ନଥିବା ସ୍ପଷ୍ଟ ହୋଇଛି । ବୟାନବାଜି, ଆକ୍ଷେପ ପ୍ରତି ଆକ୍ଷେପ ଓ ନବୀନଙ୍କ ଏକତରଫା ମତାମତ ଅସନ୍ତୋଷକୁ ଆହୁରି ତେଜିଥିବା କୁହାଯାଉଛି । ଏଭଳି ସ୍ଥିତିରେ ଦଳ ବିଭାଜନ ହେବା ନେଇ ଆଶଙ୍କା ଦେଖାଦେଇଛି ।

Comments are closed.