Latest Odisha News

BREAKING NEWS

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସରେ ୩ ମହିଳା ନେତ୍ରୀ

ନୂଆଦିଲ୍ଲୀ: କିଏ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ? ଆସନ୍ତା କିଛି ଦିନ ମଧ୍ୟରେ ବିଜେପିକୁ ମିଳିପାରନ୍ତି ନୂଆ ମୁଖିଆ । ଅଧିକାଂଶ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳି ସାରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଏମାନଙ୍କର ଭୂମିକା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ୨୦୨୦ରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୩ରେ ସରିଥିବା ବେଳେ ପରେ ଏହାକୁ ୨୦୨୪ ଯାଏଁ ବଢା ଯାଇଥିଲା । ଗତ କିଛି ମାସ ଧରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଅନେକ ନାଁ ଚର୍ଚ୍ଚା ହେଉଥିବା ବେଳେ କୁହାଯାଉଛି, ବିଜେପିକୁ ପ୍ରଥମ ମହିଳା ମୁଖିଆ ମିଳିପାରନ୍ତି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଡି ପୁରନ୍ଦେଶ୍ବରୀ ଓ ବନଥି ଶ୍ରୀନିବାସନଙ୍କ ନାଁ ରେସରେ ଆଗରେ ରହିଛି ।

ରେସରେ ଆଗରେ ନିର୍ମଳା ସୀତାରମଣ

ବିଜେପିକୁ ପ୍ରଥମ ମହିଳା ଅଧ୍ୟକ୍ଷା ମିଳିବା ଚର୍ଚ୍ଚା ମଧ୍ୟରେ ରେସରେ ସବୁଠୁ ଆଗରେ ରହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦିଲ୍ଲୀ ମୁଖ୍ୟାଳୟରେ ନିକଟରେ ଜେପି ନଡ୍ଡା ଓ ଦଳର ସାଧାରଣ ସଂପାଦକ ବିଏଲ୍ ସନ୍ତୋଷଙ୍କୁ ଭେଟିଥିଲେ ନିର୍ମଳା। କ୍ୟାବିନେଟରେ ଅଭିଜ୍ଞତା ସାଙ୍ଗକୁ ସାଂଗଠନିକ ଦକ୍ଷତା ପାଇଁ ନିର୍ମଳା ସୀତାରମଣଙ୍କ ନାଁ ଚର୍ଚ୍ଚା ହେଉଛି । ଏହାସହ ତାଙ୍କର ଦକ୍ଷିଣ ଭାରତୀୟ କନେକ୍ସନ୍ ମଧ୍ୟ ନିର୍ମଳାଙ୍କ ଦାବେଦାରିକୁ ମଜବୁତ କରିପାରେ । ବିଜେପିର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ସେ ଦକ୍ଷିଣ ଭାରତରେ ଦଳକୁ ଆହୁରି ସୁଦୃଢ କରିପାରନ୍ତି ।  ଏହା ୩୩ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ପ୍ରତିଶ୍ରୁତି ରକ୍ଷା ଦିଗରେ ବି ବଡ଼ ପଦକ୍ଷେପ ହେବ । ରାଜ୍ୟସଭା ସାଂସଦ ନିର୍ମଳା ସୀତାରମଣ ମୋଦିଙ୍କ କ୍ୟାବିନେଟର ଅନ୍ୟତମ ହାଇପ୍ରୋଫାଇଲ୍ ଚେହେରା ।

ଚର୍ଚ୍ଚାରେ ଡି ପୁରନ୍ଦେଶ୍ବରୀଙ୍କ ନାଁ

ସୀତାରମଣଙ୍କ ସହ ପୂର୍ବତନ ଆନ୍ଧ୍ରପ୍ରଦେଶ ବିଜେପି ରାଜ୍ୟ ସଭାପତି ଡି ପୁରନ୍ଦେଶ୍ବରୀଙ୍କ ନାଁ ମଧ୍ୟ ବିଜେପିର ଟପ୍ ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ହେଉଛନ୍ତି ପୁରନ୍ଦେଶ୍ବରୀ । ତାଙ୍କୁ ବିଜେପିର ସର୍ବୋଚ୍ଚ ପଦ ପାଇଁ ମଜବୁତ ଦାବେଦାର କୁହାଯାଉଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ପୁରନ୍ଦେଶ୍ବରୀଙ୍କ ଭଉଣୀ । ରାଜନୈତିକ କ୍ୟାରିୟରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାମ କରିଥିବା ପୁରନ୍ଦେଶ୍ବରୀଙ୍କର ଅନେକ ଭାଷାରେ ଜ୍ଞାନ ରହିଛି । ତାଙ୍କୁ ଅପରେସନ୍ ସିନ୍ଦୂର ପରେ ବହୁଦଳୀୟ ପ୍ରତିନିଧିମଣ୍ଡଳୀ ପାଇଁ ମଧ୍ୟ ବଛା ଯାଇଥିଲା । ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରୀରୁ ସାଂସଦ ଅଛନ୍ତି ପୁରନ୍ଦେଶ୍ବରୀ । ପୂର୍ବରୁ ଲୋକସଭା ବାଚସ୍ପତି ପଦ ପାଇଁ ବି ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା ।

ବନଥି ଶ୍ରୀନିବାସନ୍ ବି ରେସରେ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ବନଥି ଶ୍ରୀନିବାସନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଆଇନଜୀବୀରୁ ରାଜନେତା ପାଲଟିଥିବା ବନଥି ତାମିଲନାଡୁର କୋଏମ୍ବାଟୁର ଦକ୍ଷିଣ ସିଟରୁ ବିଧାୟିକା ରହିଛନ୍ତି । ୧୯୯୩ରେ ବିଜେପିରେ ସାମିଲ ହୋଇଥିବା ବନଥି ଦଳରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି । ସେ ରାଜ୍ୟ ସଂପାଦିକା, ସାଧାରଣ ସଂପାଦିକା ପଦ ସହ ତାମିଲନାଡୁ ବିଜେପିର ଉପସଭାପତି ରହିଛନ୍ତି । ୨୦୨୦ରେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ନିଯୁକ୍ତ କରାଯାଇଥିଲା । ସେହିପରି ୨୦୨୨ରେ ପ୍ରଥମ ତାମିଲ ମହିଳା ନେତ୍ରୀ ଭାବେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟା ହୋଇଥିଲେ ।

ବିଜେପି ଅଧ୍ୟକ୍ଷ ପଦ ପାଇଁ ଦଳ ମୁଖ୍ୟତଃ ୩ଟି ଦିଗ ଉପରେ ଗୁରୁତ୍ବ ଦେଉଛି । ସାଂଗଠନିକ ଅଭିଜ୍ଞତା, ଆଞ୍ଚଳିକ ସନ୍ତୁଳନ ସହ ଜାତିଗତ ସମୀକରଣକୁ ଫୋକସ୍ କରାଯାଉଛି । ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨୦୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ ଭୋଟ ହେବ । ତେଣୁ ସବୁ ଦିଗକୁ ଆଖିରେ ରଖି ବିଜେପି ଅଧ୍ୟକ୍ଷ ନିଷ୍ପତ୍ତି ନେଇପାରେ ଦଳ । ତେବେ ଏଥର ବିଜେପିକୁ ମହିଳା ଅଧ୍ୟକ୍ଷା ମିଳିବା ନେଇ ଚର୍ଚ୍ଚା ହେଉଛି ।

Comments are closed.