Latest Odisha News

BREAKING NEWS

ପ୍ରଶାନ୍ତ କିଶୋର: ଥିଓରୀରେ ହିରୋ ପ୍ରାକ୍ଟିକାଲରେ ?

ନୂଆଦିଲ୍ଲୀ: ନିର୍ବାଚନର ଥିଓରୀ ପେପର ଟପ୍ପର ରହିଥିବା ପ୍ରଶାନ୍ତ କିଶୋର ଏଥର ଦେଉଛନ୍ତି ପ୍ରାକ୍ଟିକାଲ୍ ପରୀକ୍ଷା। ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ କରୁଥିବା ପିକେଙ୍କ ଜନସୁରାଜ ଦଳ ଏଥର ନିର୍ବାଚନୀ ଡେବ୍ୟୁ କରୁଛି । ଆଜି ପର୍ଯ୍ୟନ୍ତ ଅନ୍ୟ ଦଳ ପାଇଁ ରାଜନୀତିର ପାରଦ ମାପୁଥିବା ପ୍ରଶାନ୍ତ କିଶୋର ଏଥର ନିଜେ ନିର୍ବାଚନ ତାତିର ସାମନା କରୁଛନ୍ତି । ବିହାରରେ ୪ବିଧାନସଭା ସିଟରେ ଉପନିର୍ବାଚନ ହେଉଥିବା ବେଳ ଦୁଇଟି ସିଟରେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ପିକେ । ତେବେ ପ୍ରଶ୍ନ, ୨୦୨୫ ଫାଇନାଲ୍ ପୂର୍ବରୁ ସେମିଫାଇନାଲ୍ ମୁକାବିଲାରେ କମାଲ କରିବେ କି ପିକେ? ବିଗାଡିବେ କି ଏନଡିଏ ଓ ଇଣ୍ଡିଆ ଖେଳ? ନା ଉଦୟ ହେବା ଆଗରୁ ଲିଭିଯିବ ଜନସୁରାଜ?

ବେଲାଗଞ୍ଜରେ ବବାଲ୍ ତରାରୀରେ ଦ୍ବନ୍ଦ୍ବ

ପ୍ରଥମ ପରୀକ୍ଷାରେ ପ୍ରଶାନ୍ତ କିଶୋର କିଛିଟା ଅପ୍ରସ୍ତୁତ ତ କିଛିଟା ହଡବଡ ନଜର ଆସିଛନ୍ତି । ଉଭୟ ବେଲାଗଞ୍ଜ ଓ ତରାରୀରେ ପ୍ରାର୍ଥୀ ଘୋଷଣା ପରେ ପରିବର୍ତ୍ତନର ୟୁଟର୍ଣ୍ଣ ପିକେଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି । ବେଲାଗଞ୍ଜରୁ ପ୍ରଥମେ ପ୍ରଫେସର ଖିଲାଫତ ହୁସେନଙ୍କୁ ପ୍ରାର୍ଥୀ କରାଗଲା ତ ପରେ ପୁଣି ନିଷ୍ପତ୍ତି ବଦଳାଇ ଅମଜଦ ହସନଙ୍କୁ ଟିକେଟ୍ ଦିଆଗଲା । ସେହିପରି ତରାରୀରୁ ପ୍ରଥମେ ଲେଫ୍ଟନେଣ୍ଟ ଜେନେରାଲ ଶ୍ରୀକୃଷ୍ଣ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରାଗଲା । ପରେ ତାଙ୍କ ନାଁ ବିହାର ଭୋଟର ତାଲିକାରେ ନଥିବାରୁ ଶ୍ରୀକୃଷ୍ଣ ସିଂହଙ୍କ ଜାଗାରେ ସମାଜସେବୀ କିରଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି । ଯେକୌଣସି ନିର୍ବାଚନରେ ପ୍ରାର୍ଥୀ ବଦଳ ସାଧାରଣ କଥା। ହେଲେ ପ୍ରଶାନ୍ତ କିଶୋରଙ୍କ ପରି ସଫଳ ନିର୍ବାଚନ ରଣନୀତିକାରଙ୍କ କ୍ଷେତ୍ରରେ ଏଭଳି ୟୁଟର୍ଣ୍ଣ ଆଶ୍ଚର୍ଯ୍ୟ କରିଛି ।

ଖେଳ ବିଗାଡ଼ିବେ ପିକେ ?

ବିହାରରେ ନୂଆ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପିକେଙ୍କ ପାଇଁ ଉଭୟ ସୁଯୋଗ ଓ ଚ୍ୟାଲେଞ୍ଜ ରହିଛି । ବିହାର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ସହ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବିରୋଧରେ ପରିବାରବାଦ ଅଭିଯୋଗ ଆସିଛି । ତରାରୀରୁ ବିଜେପି ବାହୁବଳୀ ନରେନ୍ଦ୍ର କୁମାର ପାଣ୍ଡେଙ୍କ ପୁଅ ବିଶାଲ ପ୍ରଶାନ୍ତଙ୍କୁ ପ୍ରାର୍ଥୀ କରିଛି ତ ରାମଗ଼ଡ଼ରୁ ଆରଜେଡି ଜଗଦାନନ୍ଦ ସିଂହଙ୍କ ପୁଅ ଅଜିତ ସିଂହଙ୍କୁ ପ୍ରାର୍ଥୀ କରିଛି । ତେବେ ପିକେଙ୍କ ଜନସୁରାଜ ସମାଜର ବିଭିନ୍ନ ବର୍ଗରୁ ପ୍ରାର୍ଥୀ କରିବା ସହ ବିହାର ରାଜନୀତିରେ ନୂଆ ପ୍ରୟୋଗ କରିଛି । ଖାଲି ସେତିକି ନୁହେଁ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟର ଭୋଟବ୍ୟାଙ୍କ ଭାଙ୍ଗିବାକୁ ଜାତିଗତ ଗଣିତ କଷିଛନ୍ତି ପ୍ରଶାନ୍ତ କିଶୋର ।

ରୋଚକ ମୁକାବିଲାରେ ପିକେ

ଆସନ୍ତାବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନକୁ ସେମିଫାଇନାଲ୍ ଭାବେ ଦେଖାଯାଉଛି। ତେଜସ୍ବୀ ଯାଦବ ନିଜ ପ୍ରାର୍ଥୀଙ୍କୁ ଜିତାଇ ଦଳୀୟ କର୍ମୀଙ୍କ ମନରେ ଜୋଶ ଭରିବା ସହ ସହଯୋଗୀ ଓ ବିରୋଧୀଙ୍କୁ ସିଧା ସନ୍ଦେଶ ଦେବାକୁ ଉଦ୍ୟମ କରୁଛନ୍ତି । ସେହିପରି ନୀତୀଶଙ୍କ ନେତୃତ୍ବରେ ବିହାରରେ ମେଣ୍ଟ ଏକାଠି ରହିଥିବାର ସନ୍ଦେଶ ଦେବାକୁ ଚେଷ୍ଟା କରୁଛି ଏନଡିଏ । ସେପଟେ ଡେବ୍ୟୁ ମ୍ୟାଚରେ ହିଁ ମ୍ୟାନ ଅଫ ଦି ମ୍ୟାଚ ହେବାକୁ ଉଦ୍ୟମ ଚଳାଇଛନ୍ତି ପ୍ରଶାନ୍ତ କିଶୋର । କାରଣ ବିଧାନସଭା ନିର୍ବାଚନ ପୂର୍ବରୁ ଉପନିର୍ବାଚନ ଫଳାଫଳ ବଡ ସନ୍ଦେଶ ଦେବା ସହ ପ୍ରଭାବ ବି ପକାଇବ ।

ଉପନିର୍ବାଚନରେ ଉଭୟ ଜନତା ଓ ଜନସୁରାଜ ଦଳର ଏସିଡ୍ ଟେଷ୍ଟ। ପ୍ରଶାନ୍ତ କିଶୋରଙ୍କ ଜନସୁରାଜର ରାଜନୈତିକ ପ୍ରୟୋଗକୁ କେତେ ସମର୍ଥନ କରିବେ ଜନତା? ନୂଆ ଚେହେରାଙ୍କୁ ଭରସା କରିବେ ନା ପୁରୁଣାଙ୍କ ସହ ରହିବେ? କଣ ରହିଛି ବିହାରର ମୁଡ? ବିହାର ଜନତାଙ୍କ ମନରେ କିଏ ? ୪ଟି ସିଟ ମଧ୍ୟରୁ ଗୋଟିଏ ବି ଜିତିଲେ ବିହାର ରାଜନୀତିରେ ବଡ଼ ଖେଳାଳି ହୋଇପାରନ୍ତି ପ୍ରଶାନ୍ତ କିଶୋର । ତେଣୁ ସେମିଫାଇନାଲରୁ ଉଭୟ ଜନସୁରାଜ ଓ ପିକେଙ୍କ ଭବିଷ୍ୟତକୁ ନେଇ ସ୍ପଷ୍ଟ ବାର୍ତ୍ତା ଆସିବ ।

Leave A Reply

Your email address will not be published.