ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଚର୍ଚ୍ଚାରେ ଚିରାଗ ପାଶ୍ବଓ୍ବାନ । ଏନଡିଏରେ ରହି ମଧ୍ୟ ନୀତିଶ ସରକାରଙ୍କ ବିରୋଧରେ ବୟାନ ଦେଇଛନ୍ତି ଚିରାଗ । ଆଇନ ଶୃଙ୍ଖଳାକୁ ନେଇ ଏନଡିଏ ମେଣ୍ଟର ସହଯୋଗୀ ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ଯାହା ଅନ୍ୟ ମେଣ୍ଟ ସହଯୋଗୀଙ୍କ ଚିନ୍ତା ବଢାଇଛି । ଏହାପରେ ଚିରାଗ ପୁଣି ୨୦୨୦ ମୋଡକୁ ଆସିଥିବା ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ଚିରାଗଙ୍କ ନାରା ଥିଲା, ମୋଦିଜୀ ସେ ବୈର ନେହିଁ, ନୀତିଶ ତେରି ଖୈର ନେହିଁ । ଏବେ ସିଧାସଳଖ ନକହିଲେ ବି ଚିରାଗଙ୍କ ବୟାନ ସେ ପୁରୁଣା ଟ୍ରାକକୁ ଫେରିବା ଭଳି ସଂକେତ ଦେଉଛି । ତେବେ ପ୍ରଶ୍ନ ଉଠୁଛି, ଚିରାଗଙ୍କ ବୟାନ ବିଜେପି ରଣନୀତିର ଅଂଶବିଶେଷ କି?
୨୦୨୦ରେ କ’ଣ ହୋଇଥିଲା?
୨୦୨୦ ବିଧାନସଭା ନିର୍ବାଚନରେ ଚିରାଗ ପାଶଓ୍ବାନ ନିଜ ଦଳ ଲୋକ ଜନଶକ୍ତି ପାର୍ଟିକୁ ଏନଡିଏରୁ ଅଲଗା କରିବା ସହ ନୀତିଶ କୁମାରଙ୍କ ବିରୋଧରେ ନାରା ଲଗାଇଥିଲେ । ଏହି ରଣନୀତି ଆଧାରରେ ଜେଡିୟୁ ବିରୋଧରେ ୧୩୭ଟି ସିଟରେ ପ୍ରାର୍ଥୀ ଦେଇଥିଲେ ଚିରାଗ, ହେଲେ ବିଜେପି ବିରୋଧରେ ପ୍ରାର୍ଥୀ ଠିଆ କରାଇନଥିଲେ । ନିର୍ବାଚନରେ ଚିରାଗଙ୍କ ରଣନୀତି କାମ ଦେଇଥିଲା । ଜେଡିୟୁର ସିଟ୍ ୧୧୫ରୁ ଖସି ୪୩ ହୋଇ ଯାଇଥିଲା । ଫଳରେ ଏନଡିଏ ମେଣ୍ଟରେ ଛୋଟ ଭାଇ ଭୂମିକାକୁ ଆସିଥିଲା ଜେଡିୟୁ । ସେପଟେ ୭୪ ସିଟ ଜିତି ମେଣ୍ଟରେ ନିଜ ସ୍ଥିତି ମଜବୁତ କରିଥିଲା ବିଜେପି । ଏସବୁ ପରେ ବି ମୁଖ୍ୟମନ୍ତ୍ରୀ ଚେହେରା ସାଜିଥିଲେ ନୀତିଶ । ନିଜ ରଣନୀତିରେ ଜେଡିୟୁର କ୍ଷତି କରାଇଥବା ଚିରାଗ ନିଜେ ବି କ୍ଷତି ସହିଥିଲେ । ତେବେ ନୀତିଶଙ୍କୁ ଦୁର୍ବଳ କରିବାର ଫାଇଦା ଭାବେ ଚିରାଗ କେନ୍ଦ୍ରମନ୍ତ୍ରୀ ହୋଇଥିବା କୁହାଯାଉଛି । ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ କହି ବିଜେପି ପ୍ରତି ଅନୁରକ୍ତି ଦେଖାଉଥିବା ଚିରାଗଙ୍କ ରଣନୀତି ପଛରେ ବିଜେପିର ଇସାରା ରହିଥିବା ଚର୍ଚ୍ଚା ହେଉଛି ।
୨୦୨୫ରେ ଫେରିଲା କି ପୁରୁଣା ରଣନୀତି?
୨୦୨୫ ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ପୁଣି ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ଚିରାଗ ପାଶଓ୍ବାନ । ସେ ଏବେ ଏନଡିଏରେ ରହିଥିବା ବେଳେ କେନ୍ଦ୍ରରେ ମନ୍ତ୍ରୀ ରହିଛନ୍ତି । ଗତ ଲୋକସଭା ନିର୍ବାନଚରେ ଭଲ ପ୍ରଦର୍ଶନ ପରେ ମେଣ୍ଟରେ ଏଲଜେପିର ସ୍ଥିତି ମଜବୁତ ହୋଇଛି । ତେବେ ବିହାରରେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ ଦଳ ସାମିଲ ହୋଇନି । ତେଣୁ ଆଇନ ଶୃଙ୍ଖଳାକୁ ନେଇ ନୀତିଶ ସରକାରକୁ ଘେରୁଛନ୍ତି ଚିରାଗ ପାଶଓ୍ବାନ । ନିକଟରେ ନାଳନ୍ଦାରେ ହୋଇଥିବା ଡବଲ ମର୍ଡର କଥା କହି ବିହାରରେ ଅପରାଧ ଚରମରେ ରହିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଘଟଣା ଅପରାଧିଙ୍କ ସାହାସ ବଢାଉଥିବା ଚିରାଗ କହିଛନ୍ତି । ଚଳିତ ନିର୍ବାଚନରେ ସାମିଲ ହେବା ନେଇ ଘୋଷଣା କରିବା ସମୟରେ ମଧ୍ୟ ନାଁ ନନେଇ ନୀତିଶଙ୍କୁ ଟାର୍ଗେଟ୍ କରିଥିଲେ ଚିରାଗ ।
ବିଜେପିର ଡବଲ୍ ଫାଇଦା !
ଏନଡିଏରେ ଥାଇ ମଧ୍ୟ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି ଚିରାଗ, ହେଲେ ନା ବିଜେପି ନେତା କିଛି କହୁଛନ୍ତି ନା ଦଳର ଶୀର୍ଷ ନେତୃତ୍ବ ଚିରାଗଙ୍କ ବୟାନରେ ଲଗାମ ଲଗାଇବାକୁ ନିର୍ଦ୍ଦେଶ ଦେଉଛନ୍ତି । ୨୦୨୦ରେ ନୀତିଶଙ୍କ ଜେଡିୟୁର ବ୍ୟାପକ କ୍ଷତି କରିଥିଲେ ଚିରାଗ । ଏଥର ବି ଚିରାଗଙ୍କ ରଣନୀତି ପଛରେ ବିଜେପି ଥାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି । ଜେଡିୟୁରେ ନୀତିଶଙ୍କ ପରେ ଦଳର ନେତୃତ୍ବ ନେଲା ଭଳି ନେତା ନାହାନ୍ତି । ବୟସ ବଢିବା ସହ ଦଳ ଉପରେ ନୀତିଶଙ୍କ ପକଡ଼ ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥିତିରେ ବି ନୀତିଶଙ୍କ ସହ ଅତିପଛୁଆ ଭୋଟବ୍ୟାଙ୍କ ରହିଛି । ସେହି ଭୋଟବ୍ୟାଙ୍କକୁ ସଂପୂର୍ଣ୍ଣ ଭାବେ ନିଜ ଖାତାକୁ ନେବାକୁ ଯୋଜନା କରୁଛି ବିଜେପି । ଆଉ ସେଥିପାଇଁ ନୀତିଶଙ୍କୁ ସାଙ୍ଗରେ ରଖି ମଧ୍ୟ ଦୁର୍ବଳ କରିବାକୁ ଚାହୁଁଛି ବିଜେପି । ସେହିପରି ଦଳିତ ଭୋଟବ୍ୟାଙ୍କ ଉପରେ ବିଜେପିର ନଜର ରହିଛି ।
Comments are closed.