Latest Odisha News

BREAKING NEWS

ଭାରତ-ପାକିସ୍ତାନ ଯୁଦ୍ଧ…ବିନାଶକାରୀ ପରିଣାମ !

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା କରାଯାଉଛି । ଆତଙ୍କୀ ହମଲାର ଜବାବରେ ଭାରତ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଯୁଦ୍ଧ ହେଲେ କାହାର ଲାଭ? ଯୁଦ୍ଧ ହେଲେ ପାକିସ୍ତାନୀ ସେନା, ଅସ୍ତ୍ରଶସ୍ତ୍ର ନିର୍ମାତା ଏବଂ ଆଞ୍ଚଳିକ ସଂକଟରୁ ଲାଭ ଉଠାଇବାକୁ ଚାହୁଁଥିବା କିଛି ଦେଶ ସାମୟିକ ସମୟ ପାଇଁ ଲାଭରେ ରହିପାରନ୍ତି । ତେବେ ବ୍ୟାପକ ଭାବେ ଦେଖିଲେ, ଯୁଦ୍ଧ ଉଭୟ ଦେଶ ପାଇଁ ଅର୍ଥିକ କଷ୍ଟ, ରାଜନୈତିକ ଅସ୍ଥିରତା ସାଙ୍ଗକୁ ଚରମ ଅଶାନ୍ତି ଆଣିବ । ଏହାର ବିନାଶକାରୀ ପ୍ରଭାବ ଉଭୟ ଭାରତ ଓ ପାକିସ୍ତାନ ଭୋଗିବେ ।

କାହାକୁ ସାମୟିକ ଫାଇଦା?

ଯୁଦ୍ଧ ହେଲେ ପାକିସ୍ତାନୀ ସେନା ଦେଶରେ ନିଜ ଶକ୍ତି ଓ ପ୍ରଭାବକୁ ଆହୁରି ସୁଦୃଢ କରିବାକୁ ସୁଯୋଗ ପାଇବ । ପାକିସ୍ତାନର ରାଜନୀତି, ଅର୍ଥନୀତି ଓ ପ୍ରଶାସନ ଉପରେ ନିଜ ନିୟନ୍ତ୍ରଣ ବୃଦ୍ଧି କରିବ । ସେହିପରି ହତିଆର ନିର୍ମାତା ବି ଲାଭରେ ରହିବେ । କାରଣ ଯୁଦ୍ଧ ହେଲେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅନ୍ୟ ସାମରିକ ସାମଗ୍ରୀର ଯୋଗାଣ ବଢିବ । ଫଳରେ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନୀ ଫାଇଦାରେ ରହିବେ । ଆଞ୍ଚଳିକ ଅସ୍ଥିରତାରୁ କିଛି ଦେଶ ଲାଭ ଉଠାଇବାକୁ ଚାହିଁବେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଏସବୁ ଦେଶ ନିଜ ରଣନୈତିକ ତଥା ଅର୍ଥନୈତିକ ଫାଇଦା ହାସଲ କରିବାକୁ ବ୍ୟବହାର କରିବେ । ଆତଙ୍କବାଦୀ ସଂଗଠନଙ୍କୁ ବି ଯୁଦ୍ଧ ସୁହାଇବ । ସଂଘର୍ଷ ଆଳରେ ସେମାନେ ନିଜ ପାଇଁ ସମର୍ଥନ ବଢାଇବା ସହ କଳେବର ବୃଦ୍ଧି କରିବାକୁ ଚାହିଁବେ । ଯୁଦ୍ଧ ହେଲେ ତୈଳ ଦର ବୃଦ୍ଧି ହୋଇପାରେ । ଫଳରେ ତେଲ ରପ୍ତାନୀ କରୁଥିବା ଦେଶ ଲାଭରେ ରହିବେ ।

ଯୁଦ୍ଧ ହେଲେ ଏସବୁ କ୍ଷତି

ସାମୟିକ ଭାବେ ଯୁଦ୍ଧରୁ କିଛି ଲାଭ ମିଳିପାରେ ହେଲେ ବ୍ୟାପକ ଦୃଷ୍ଟିରୁ ଦେଖିଲେ ଏହାର ପ୍ରଭାବ ଦୁଇ ଦେଶ ପାଇଁ ବିନାଶକାରୀ ହିଁ ହେବ । ଯୁଦ୍ଧ ଖର୍ଚ୍ଚ ସାଙ୍ଗକୁ ବାଣିଜ୍ୟରେ ବାଧା ଓ ନିବେଶ କମିବ । ଫଳରେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧ ହେଲେ ଆର୍ଥିକ ବିପର୍ଯ୍ୟୟର ସାମନା କରିବେ । ସେହିପରି ରାଜନୈତିକ ଅସ୍ଥିରତାକୁ ଯୁଦ୍ଧ ଆହୁରି ବଢାଇଦେବ। ଉଭୟ ଦେଶ ଭିତରେ ବି ଅସ୍ଥିରତା ଦେଖାଦେବ । ଯୁଦ୍ଧ ଆଞ୍ଚଳିକ ସଂଘର୍ଷକୁ ଆହୁରି ବଢାଇବ । ପରବର୍ତ୍ତୀ ସମୟରେ ଏହି ସଂଘର୍ଷରେ ଅନ୍ୟ ଦେଶ ମଧ୍ୟ ସାମିଲ ହୋଇପାରନ୍ତି । ସବୁଠୁ ବଡ଼ କଥା, ଯୁଦ୍ଧ ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ ସାଧାରଣ ଜନତା । ମୃତାହତ ହେବା ସହ ବିସ୍ଥାପନ ଓ ଲମ୍ବା ସମୟ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିପାରନ୍ତି ।

ପୂର୍ବ ଯୁଦ୍ଧର ପରିଣାମ

ପୂର୍ବରୁ ଭାରତ ଓ ପାକିସ୍ତାନ ଅନେକ ଥର ଯୁଦ୍ଧ କ୍ଷେତ୍ରରେ ମୁହାଁମୁହିଁ ହୋଇଛନ୍ତି । ୧୯୪୭-୪୮ ଓ ୧୯୬୫ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଛି ତ ୧୯୭୧ ଯୁଦ୍ଧ ପରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଛି । ୧୯୯୯ରେ କାରଗିଲ ଯୁଦ୍ଧରେ ବି ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି । ବିବାଦର କେନ୍ଦ୍ରରେ ରହିଛି କାଶ୍ମୀର । ଶିମଲା ରାଜିନାମା, ତାସକେଣ୍ଟ ଚୁକ୍ତି ପରି ରାଜିନାମା ବି ଦୁଇ ଦେଶ ମଧ୍ୟରେ ଲମ୍ବା ସମୟ ଧରି ଶାନ୍ତି ପ୍ରତିଷ୍ଠା କରିପାରିନି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଆଶନ୍ତି ଚରମରେ ରହିଥିବା ବେଲେ ଯୁଦ୍ଧ ଆଶଙ୍କା କରାଯାଉଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ସାମୟିକ ଭାବେ କିଛି ଫାଇଦା ମିଳିପାରେ, ହେଲେ ବ୍ୟାପକ ଭାବେ ଦେଖିଲେ ଦୁଇ ଦେଶ କ୍ଷତି ସହିବେ । ଏପର୍ଯ୍ୟନ୍ତ ହୋଇଥିବା ସବୁ ଯୁଦ୍ଧରେ ପାକିସ୍ତାନକୁ ମାତ୍ ଦେଇ ଆସିଛି ଭାରତୀୟ ସେନା । ଏପରିକି ଏବେବି ସ୍ଥଳ, ଜଳ, ଆକାଶରେ ଭାରତୀୟ ସେନା ଶତ୍ରୁ ଦେଶ ତୁଳନାରେ ଦୁଇଗୁଣା ଶକ୍ତିଶାଳୀ । ତେବେ ଉଭୟ ଦେଶ ପରମାଣୁ ଶକ୍ତି ସଂପନ୍ନ ହୋଇଥିବାରୁ ଯୁଦ୍ଧର ପ୍ରଭାବ ବିନାଶକାରୀ ହେବ । ସଂଘର୍ଷ ଦ୍ବାରା ଆର୍ଥିକ ସଂକଟ ସାଙ୍ଗକୁ ରାଜନୈତିକ ଅସ୍ଥିରତା, ଯୁଦ୍ଧ ଯନ୍ତ୍ରଣା ସହିପାରନ୍ତି ଭାରତ ଓ ପାକିସ୍ତାନ । ଏପରିକି ଆଞ୍ଚଳିକ ଅଶାନ୍ତି ବି ବହୁମାତ୍ରାରେ ବଢିପାରେ ।

Comments are closed.