Latest Odisha News

BREAKING NEWS

ନୀତିଶ, ନାଇଡୁ ମାରିବେନି ତ ୟୁଟର୍ଣ୍ଣ !

ଭୁବନେଶ୍ବର: ଏନଡିଏକୁ ବହୁମତ ମିଳିଛି । ହେଲେ ସରକାର ଗଠନ ଚାବି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ହାତରେ । ଏନଡିଏକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ବି ବିଜେପି ଜିତିଛି ୨୪୦ଟି ଲୋକସଭା ସିଟ୍ । ମ୍ୟାଜିକ୍ ନମ୍ବର ୨୭୨ଠାରୁ ୩୨ ସିଟ୍ କମ୍ । ଏନଡିଏର ସହଯୋଗୀ ଦଳ ନୀତିଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମିଳିତ ଭାବେ ୨୮ଟି ସିଟ୍ ଜିତିଛନ୍ତି । ତେଣୁ ସରକାର ଗଠନ କରିବାକୁ ହେଲେ ଏନଡିଏକୁ ଉଭୟ ନୀତିଶ ଓ ନାଇଡୁଙ୍କ ସାଥ୍ ଦରକାର । ସେପଟେ ଇଣ୍ଡିଆ ମେଣ୍ଟ ବି ୨୩୨ଟି ଆସନ ଜିତି ସବୁ ଗଣିତକୁ ଭୁଲ ପ୍ରମାଣିତ କରିଛି । ତେଣୁ ଇଣ୍ଡିଆ ମେଣ୍ଟ ବି ନୀତିଶ ଓ ଚନ୍ଦ୍ରବାବୁଙ୍କ ସହ ସରକାର ଗଠନ ସମ୍ଭାବନା ଦେଖୁଛି । ଏନଡିଏରେ ରହିବାକୁ ଉଭୟ ଦଳ କହିଥିଲେ ବି ଆଗକୁ କଣ ହେବ, ସେନେଇ ସସପେନ୍ସ ରହିଛି ।

ନୀତିଶ, ନାଇଡୁ କରିବେ ବାର୍ଗେନ୍

ଉଭୟ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ମେଣ୍ଟ ରାଜନୀତିର ପୁରୁଣା ଖେଳାଳି । ବିଜେପି ପାଖରେ ଏକାକୀ ବହୁମତ ଥିଲେ, ଉଭୟ ବିନା ସର୍ତ୍ତରେ ସମର୍ଥନ ଦେଇଥାନ୍ତେ । ହେଲେ ଏବେକାର ସ୍ଥିତିରେ ଉଭୟ ସମର୍ଥନ ଦେବା ପାଇଁ ବାର୍ଗେନିଂ କରିବେ । ବିହାରକୁ ସ୍ପେଶାଲ ଷ୍ଟାଟସ୍ ସାଙ୍ଗକୁ ସାରା ଦେଶରେ ଜାତିଗତ ଜନଗଣନା ପାଇଁ ଦାବି ରଖିପାରନ୍ତି ନୀତିଶ କୁମାର । ବିହାରରେ ବେକାରୀ ସମସ୍ୟା ବହୁଳ ଭାବେ ରହିଥିବାରୁ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ନେଇ ଜେଡିୟୁ ଦାବି ରଖିପାରେ ବୋଲି ଦଳୀୟ ନେତା କେସି ତ୍ୟାଗି କହିଛନ୍ତି । ସେପଟେ ବିଜେପି ନେତୃତ୍ବଙ୍କ ପାଖରେ କଣ ଦାବି ରଖିବ ଟିଡିପି ସେନେଇ ମୁହଁ ଖୋଲିନାହାନ୍ତି ଚନ୍ଦ୍ରବାବୁ । ତେବେ ପ୍ରମୁଖ ମନ୍ତ୍ରାଳୟ ସାଙ୍ଗକୁ ଆନ୍ଧ୍ରପ୍ରଦେଶକୁ ଅଗ୍ରାଧିକାର ମାନ୍ୟତା ମାଗିପାରନ୍ତି ଚନ୍ଦ୍ରବାବୁ ନାଇଡୁ। ୨୦୧୬ରେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ନେଇ ବିଜେପିଠାରୁ ଅଲଗା ହୋଇଥିଲା ଟିଡିପି ।

ସତ୍ତା ପରିବର୍ତ୍ତନ କରିବେ କି ନୀତିଶ, ନାଇଡୁ?

ଏନଡିଏକୁ ଧୋକ୍କା ଦେଇ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିବେ କି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ? ଫଳାଫଳ ଘୋଷଣା ପରଠୁ ଏହି ଚର୍ଚ୍ଚା ବଢିବାରେ ଲାଗିଛି । ଉଭୟ ନୀତିଶ ଓ ଚନ୍ଦ୍ରବାବୁ ଏନଡିଏକୁ ସମର୍ଥନ କରିବା ନେଇ ଲିଖିତ ଭାବେ ଦେଇଛନ୍ତି । ଏବେ ସରକାର ଏନଡିଏରେ ହେଲେ ବି ପରବର୍ତ୍ତୀ ସମୟରେ ସମୀକରଣ ବଦଳିପାରେ । ସାହାରା ସରକାରରୁ ନୀତିଶ ଓ ଚନ୍ଦ୍ରବାବୁଙ୍କ ହାତ ଉଠିଲେ ସରକାର ଭାଙ୍ଗିଯିବ । ତେଣୁ ଉଭୟଙ୍କୁ ମ୍ୟାନେଜ୍ କରି ସରକାର ଚଳାଇବା ବିଜେପି ପାଇଁ କଷ୍ଟକର ହୋଇପାରେ। ସେପଟେ ନିଜ ଦାବି ପୂରଣ ନହେଲେ ଇଣ୍ଡିଆ ଶିବିରକୁ ବି ଯାଇପାରନ୍ତି ନୀତିଶ ଓ ଚନ୍ଦ୍ରବାବୁ ।

ନୀତିଶଙ୍କର ‘ପଲଟୁ’ ଟ୍ରାକ୍ ରେକର୍ଡ

ମୋଦି ଓ ନୀତିଶଙ୍କ ସଂପର୍କ କେବେ ମିଠା ତ କେବେ ଖଟା । ୨୦୦୯ ଲୋକସଭା ଓ ୨୦୧୦ ବିଧାନସଭା ନିର୍ବାଚନରେ ମୋଦିଙ୍କୁ ବିହାରରେ ପ୍ରଚାର କରିବାକୁ ଦେଇନଥିଲେ ନୀତିଶ । ୨୦୧୩ରେ ବିଜେପି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ପରେ ଏଥିରେ ନୀତିଶ କ୍ଷୁବ୍ଧ ହୋଇଥିଲେ । ବିଜେପି ସହ ୧୭ବର୍ଷର ସଂପର୍କ ତୁଟାଇଥିଲେ । ଲାଲୁଙ୍କ ସହ ମିଶି ୨୦୧୫ ବିଧାନସଭା ନିର୍ବାଚନ ଲଢିଥିଲେ ନୀତିଶ । ଆରଜେଡି ଓ ଜେଡିୟୁର ସରକାର କ୍ଷମତାକୁ ଆସିଥିଲା । ହେଲେ ୨୦୧୭ରେ ପଲଟି ମାରି ପୁଣି ଏନଡିଏରେ ସାମିଲ ହୋଇଥିଲେ ନୀତିଶ । ୨୦୧୯ ଲୋକସଭା ଓ ୨୦୨୦ ବିଧାନସଭା ନିର୍ବାଚନ ବିଜେପି ସହ ମିଶି ଲଢିଥିଲେ । ୨୦୨୦ରେ ବିହାରରେ ଏନଡିଏ ସରକାର ଗଢିଲା । ହେଲେ ୨୦୨୨ରେ ପୁଣି ଆରଜେଡି ସହ ମିଶି କ୍ଷମତାକୁ ଆସିଥିଲେ ନୀତିଶ । ଚଳିତ ବର୍ଷ ଜାନୁଆରୀରେ ନୀତିଶ ପୁଣି ଏନଡିଏକୁ ଫେରିଛନ୍ତି। ବାରମ୍ବାର ଶିବିର ବଦଳାଇବାର ଟ୍ରାକ ରେକର୍ଡ ଥିବା ନୀତିଶ ଯେ, ଏଥର ଲମ୍ବା ସମୟ ପର୍ଯ୍ୟନ୍ତ ଏନଡିଏରେ ରହିବେ, ସେକଥା କହିବା ମୁସ୍କିଲ ।

ନାଇଡୁ ବି ୟୁ-ଟର୍ଣ୍ଣ ବାବୁ

କେବଳ ନୀତିଶ କୁମାର ନୁହନ୍ତି ଚନ୍ଦ୍ରବାବୁ ନାଇଡୁଙ୍କର ବି ମୋଦିଙ୍କ ସହ ସଂପର୍କରେ ରହିଛି ଅନେକ ଟୁଇଷ୍ଟ । ୨୦୧୮ ପର୍ଯ୍ୟନ୍ତ ଚନ୍ଦ୍ରବାବୁଙ୍କ ଟିଡିପି ଏନଡିଏର ସହଯୋଗୀ ଦଳ ରହିଥିଲା । ଏନଡିଏରୁ ଅଲଗା ହେବା ପରେ ୨୦୧୮ରେ ମୋଦି ସରକାରଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ଟିଡିପି । ୨୦୧୯ ନିର୍ବାଚନରେ ମୋଦି ଓ ନାଇଡୁଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ଏପରିକି ଏନଡିଏରୁ ଅଲଗା ହୋଇଥିବାରୁ ଚନ୍ଦ୍ରବାବୁଙ୍କୁ ୟୁଟର୍ଣ୍ଣ ବାବୁ କହିଥିଲେ ମୋଦି । ଏପରିକି ୨୦୦୨ ଗୁଜରାଟ ଦଙ୍ଗା ପରେ ନାଇଡୁ ବି ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ମୋଦିଙ୍କ ଇସ୍ତଫା ମାଗିଥିଲେ । ଅଭିନେତାରୁ ରାଜନେତା ବନିଥିବା ପବନ କଲ୍ୟାଣ ହିଁ ମୋଦି ଓ ନାଇଡୁଙ୍କୁ ଏକାଠି କରିବାରେ ସଫଳ ହୋଇଥିଲେ । ତେଣୁ ନୀତିଶ ହୁଅନ୍ତୁ କି ନାଇଡୁ, ଏନଡିଏ ମେଣ୍ଟରେ କେତେଦିନ ସହଯୋଗୀ ରହିବେ, ସେନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.