Latest Odisha News

ତିତଲି ପରେ ଆସୁଛି ‘ଦାନା’, ଥରହର ହେବ କି ଓଡିଶା?

ଭୁବନେଶ୍ବର: ଅକ୍ଟୋବର ଆସିଲେ ଛାତି ଥରେ । ୧୯୯୯ ପରେ ଗତ କିଛି ବର୍ଷ ଯେମିତି ଅକ୍ଟୋବର ବାତ୍ୟା ଆଉ ଓଡିଶା ପରସ୍ପର ସହ ଜଡିତ ଥିଲେ । ସେ କରାଳ ରୂପ ନେଇ ଅକ୍ଟୋବର ଆସିଲେ ପୁଣି ଓଡିଶା ଫେରିଆସେ ବାତ୍ୟା । ହେଲେ ୨୦୧୮ ତିତଲି ବାତ୍ୟା ପରଠାରୁ ଯେମିତି ଥମିଯାଇଥିଲା ଏହି ଟ୍ରେଣ୍ଡ । ଅକ୍ଟୋବର ଆସିଲେ ବାତ୍ୟା ଆଶଙ୍କା ତ ଆସେ ହେଲେ ଏହି କିଛି ବର୍ଷ ଯେମିତି ବାତ୍ୟା ବାଟବଣା ହୋଇଥିଲା । ଏବେ ପୁଣି ୬ ବର୍ଷ ପରେ ଅକ୍ଟୋବରରେ ନିଜର ସ୍ଥିତି ଜାହିର କରିବାକୁ ଓଡିଶା ଆସୁଛି ଦାନା । ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା ‘ଦାନା’ । ଏନେଇ ଆଗୁଆ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୩ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ । ତେବେ ୨୪ ତାରିଖ ସୁଦ୍ଧା ଏହା ଓଡିଶା- ପଶ୍ଚିମବଙ୍ଗ କିମ୍ବା ଏହାର ମଧ୍ୟବର୍ତ୍ତୀ ଉପକୂଳ ଛୁଇଁବ । ଏନେଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ।

ଯାହାକୁ ନେଇ ଏବେ ଓଡିଶାବାସୀଙ୍କ ମନରେ ଅନେକ ପ୍ରଶ୍ନ । ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ଦାନା’ କୁଆଡ଼େ ଯିବ ? କେଉଁଠି ସ୍ଥଳଭାଗ ଛୁଇଁବ ? ଓଡିଶାରେ ଏହାର ପ୍ରଭାବ କେତେ ପଡିବ? ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୁଣି ଓଡିଶାର କେଉଁ ଚିହ୍ନ ଲିଭାଇବ ? ତେବେ ଏହି ସବୁ ଚର୍ଚ୍ଚା ଭିତରେ ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ପୁଣି ଓଡିଶା ମନରେ ଛନକା ଭରିଛି । ସଂସ୍ଥାମାନଙ୍କର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟା ‘ଦାନା’ ଓଡିଶାରେ ହିଁ ମାଡ ହେବ । ୟୁରୋପିଆନ ପାଣିପାଗ ଫୋରକାଷ୍ଟ ଅନୁଯାୟୀ, ବାତ୍ୟା ଦାନା ୨୫ ତାରିଖ ବେଳକୁ ଓଡିଶା ଉପକୂଳ ପୁରୀ ନିକଟରେ ମାଡ ହୋଇପାରେ । ସେହିପରି ଜର୍ମାନୀ ପାଣିପାଗ ସଂସ୍ଥା ଆଇକନ ମଧ୍ୟ ସମାନ କଥା କହିଛି । ବାତ୍ୟା ଦାନା ଓଡିଶାର ଉପକୂଳ ଅଞ୍ଚଳ ପୁରୀରେ ନିକଟରେ ସ୍ଥଳଭାଗ ଛୁଇଁପାରେ । ଅନ୍ୟପଟରେ ଗ୍ଲୋବାଲ ଫୋରକାଷ୍ଟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଆକଳନ କରିଛି । ବାତ୍ୟା ୨୪ ତାରିଖ ବେଳକୁ ସ୍ଥଳଭାବଗ ଛୁଇଁଲା ବେଳକୁ ଏହାର ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇ ସୁନ୍ଦରବନ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି । ଯାହା ଏବେ ପୁଣି ଓଡିଶାରେ ବାତ୍ୟାର ସ୍ଥିତି ନେଇ ଶଙ୍କା ବଢାଇଛି । ପୁଣି ଏଥର ବାତ୍ୟା କେତେ କରାଳ ରୂପ ନେଇ ଆସିବ? ନା ଅଳ୍ପକେ ବର୍ତ୍ତିଯିବେ ଓଡିଶାବାସୀ, ତାହା ଉପରେ ସମସ୍ତଙ୍କ ନଜର ।

ଏନେଇ ସତର୍କ କରାଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ । ୨୩ରୁ ଓଡିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ ସମ୍ଭାବନା ନାହିଁ । କିନ୍ତୁ ସୃଷ୍ଟି ହେବାକୁ ଥିବା ବାତ୍ୟାର ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ପ୍ରକୋପ ରହିପାରେ । ଏଥିପାଇଁ ଆସନ୍ତା ୨୪ ଓ ୨୫ ତାରିଖ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ସାମୁଦ୍ରିକ ଜୁଆର ମଧ୍ୟ ଆସିପାରେ ।

ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ଏବଂ ୨୫ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିଣାମ ବଢିବା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏନେଇ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକୁ ସତର୍କ କରାଯିବ ସହିତ ରେଡ୍ ଆଲର୍ଟ ଜାରି କରାଯାଇଛି । ସେମାନଙ୍କ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

Comments are closed.