Latest Odisha News

BREAKING NEWS

ତାଲିବାନ ଆଗରେ ନଇଁବ କି ପାକିସ୍ତାନ? ରୁଷ-ଚୀନ୍‌ର ଏଣ୍ଟ୍ରି ପରେ ହଲଚଲ!

ନୂଆଦିଲ୍ଲୀ: ସୀମାରେ ଗର୍ଜୁଛି ତୋପ, ବର୍ଷୁଛି ଗୁଳି। ମୁହାଁମୁହିଁ ଆଫଗାନିସ୍ତାନ ଏବଂ ପାକିସ୍ତାନ । ଡୁରାଣ୍ଡ ଲାଇନ୍ କୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ଏବେ ବିଶ୍ୱ ଶକ୍ତିଙ୍କ ଚିନ୍ତା ବଢ଼ାଇଦେଇଛି। ଏହି ମାମଲାରେ ଏବେ ରୁଷ ଏବଂ ଚୀନ୍ ଏଣ୍ଟ୍ରି କରିଛନ୍ତି । ଉଭୟ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ସଂଯମତା ରକ୍ଷା କରିବାକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି ।
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଜାରି ରହିଥିବା ଏହି ରକ୍ତାକ୍ତ ସଂଘର୍ଷକୁ ନେଇ ରୁଷ ଏବଂ ଚୀନ୍ ଏବେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ରୁଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ସୀମାରେ ସାଧାରଣ ନାଗରିକ ଏବଂ ସୈନିକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଚିନ୍ତାଜନକ। ମସ୍କୋ ଏବଂ ବେଜିଂର କହିବା କଥା ହେଉଛି, ଯୁଦ୍ଧ କୌଣସି ସମାଧାନ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବା ଉଚିତ୍।

ଏହି ହିଂସା ପଛରେ ରହିଛି ୧୩୨ ବର୍ଷର ପୁରୁଣା ‘ଡୁରାଣ୍ଡ ଲାଇନ୍’ ବିବାଦ । ୨ ହଜାର ୬୧୧ କିଲୋମିଟର ଲମ୍ବା ଏହି ସୀମାକୁ ଆଫଗାନିସ୍ତାନର ତାଲିବାନ ସରକାର ସ୍ୱୀକାର କରୁନାହିଁ। ଅନ୍ୟପଟେ ପାକିସ୍ତାନର ଅଭିଯୋଗ ଯେ, ତାଲିବାନ ନିଜ ମାଟିରେ ଟିଟିପି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି।

ସେପଟେ ଜାତିସଂଘ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ, ସମସ୍ତ ପକ୍ଷ ଆନ୍ତର୍ଜାତୀୟ ମାନବିକ ଆଇନ ପାଳନ କରିବା ସହ ନିରୀହ ଜନତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ୍।
ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଏହି ଛାୟା ଯୁଦ୍ଧ ଯଦି ବନ୍ଦ ନହୁଏ, ତେବେ ଏହା ସାରା ଦକ୍ଷିଣ ଏସିଆର ସ୍ଥିରତା ପାଇଁ ବିପଦ ସୃଷ୍ଟି କରିବ। ତେବେ ଚୀନ୍ ଏବଂ ରୁଷର ଚେତାବନୀ ପରେ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଆଫଗାନିସ୍ତାନ ଆଲୋଚନା ଟେବୁଲକୁ ଫେରୁଛନ୍ତି କି ନାହିଁ, ତା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.