Latest Odisha News

BREAKING NEWS

ଋଷି ସୁନକ ହୋଇପାରନ୍ତି ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ!

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ। ଲିଜ ଟ୍ରସଙ୍କ କିଛି ନିଷ୍ପତ୍ତିକୁ ନେଇ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଯାଉଥିବାରୁ ବ୍ରିଟେନରେ ସାଧାରଣ ଜନତାଙ୍କ ଅସନ୍ତୋଷ ବୃଦ୍ଧି ପାଇଥିଲା । ତାଙ୍କର ଟ୍ୟାକ୍ସ ଛାଡ ନିଷ୍ପତ୍ତିକୁ ନେଇ  ଦଳର କିଛି ବରିଷ୍ଠ ସାଂସଦମାନେ ମଧ୍ୟ ଏଥିପାଇଁ ଲିଜ ଟ୍ରସଙ୍କୁ ଦାୟୀ କରିଥିଲେ । ଯାହାକୁ ନେଇ ଅର୍ଥମନ୍ତ୍ରୀ ଇସ୍ତଫା ଦେଇଥିଲେ । ପୁଣି ନିଷ୍ପତ୍ତି ପରିବର୍ତ୍ତନ କରିବା ବେଳକୁ ବିଳମ୍ଭ ହୋଇସାରିଥିଲା ।  କିଛି ବିବାଦୀୟ ବକ୍ତବ୍ୟକୁ ନେଇ ପରେ ଗୃହମନ୍ତ୍ରୀ ଗତକାଲି ଇସ୍ତଫା ଦେଇଥିଲେ । ଆଉ ଆଜି ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଦଳର ସାଂସଦମାନେ ଖୋଲାଖୋଲି  ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ଯଦି ଜନସନଙ୍କ ସମର୍ଥକ ସାଂସଦମାନେ ବିରୋଧ ନକରନ୍ତି ତେବେ ସୁନକ ସହଜରେ ପ୍ରଧାନମନ୍ତ୍ରୀ ହୋଇପାରିବେ । ଯଦି ବିରୋଧ କରନ୍ତି ପୁଣି ଦଳରେ ନେତା ନିର୍ବାଚନ ପ୍ରକ୍ରିୟା ପୂର୍ବଭଳି ଚାଲୁ ରହିବ ।

ସୁନକଙ୍କ ପଛରେ ଦଳର ସାଂସଦ

ସବୁଠୁ ବଡ଼ କଥା ହେଉଛି ଏବେ  ବ୍ରିଟେନରେ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ପ୍ରତି ଜନସମର୍ଥନ ବଢ଼ିବାରେ ଲାଗିଛି । ଯେତେବେଳେ ଲିଜ ଟ୍ରସ ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ ଜିତିବାକୁ ପ୍ରୟାସ କରିଥିଲେ, ସେତେବେଳେ ସୁନକ ମଧ୍ୟ ଚେତାବନୀ ଦେଇଥିଲେ । ଋଷି ସୁନକ ଚେତାବନୀ ଦେଇଥିଲେ ଯେ ଟ୍ରସ୍ ପ୍ରଧାନମନ୍ତ୍ରୀ ହେବା ପରେ ଯଦି ତାଙ୍କ ଯୋଜନା କାର୍ଯ୍ୟକାରୀ କରନ୍ତି ତେବେ ବ୍ରିଟେନର  ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଯାହାର ପ୍ରମାଣ ଗୋଟେ ମାସ ଭିତରେ ଦେଶବାସୀ ଅନୁଭବ କରିସାରିଛନ୍ତି । କନଜରଭେଟିଭ୍ ଦଳର ଅଧିକାଂଶ ସାଂସଦ ଏବେ ସୁନକଙ୍କୁ ସମର୍ଥନ କରୁଛନ୍ତି ।

ଅର୍ଥନୀତି ତଳକୁ ତଳକୁ ଯାଉଛି

ବ୍ରିଟେନ ବଜାରରେ ଗୋଟେ ମାସ ହେଲା ଅସ୍ଥିରତା ଦେଖାଦେଖାଦେଇଛି। ଦରଦାମ ଲଗାମ ଛଡା ହୋଇଛି । ସୁନକଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଥିବାରୁ ଏବେ ଦଳରେ ତାଙ୍କ ସମ୍ମାନ ମଧ୍ୟ ବୃଦ୍ଧି ପାଇଛି । ତେବେ ସୁନକଙ୍କୁ ଏମିତି ପ୍ରଧାନମନ୍ତ୍ରୀ ହେବାକୁ ଦେବେନାହିଁ  ଟ୍ରସଙ୍କ ଅନୁଗାମୀ ବାଣିଜ୍ୟ ମନ୍ତ୍ରୀ କେମି ବାଡେନୋଚ ଓ ବିଦେଶ ମନ୍ତ୍ରୀ ଜେମ୍ସ କ୍ଲେଭର୍ଲି।  ପ୍ରତିରକ୍ଷା ମନ୍ତ୍ରୀ ବେନ ‌ୱାଲେସଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ଅଛି ।

ଦ୍ବିତୀୟ ସ୍ଥାନରେ ଥିଲେ ସୁନକ

କଂଜରଭେଟିଭ୍  ଦଳର ପ୍ରାୟ ୧.୬ ଲକ୍ଷ ସଦସ୍ୟଙ୍କ ଭୋଟ ଗ୍ରହଣ ପରେ ଟ୍ରସ ପ୍ରଧାନମନ୍ତ୍ରୀ ହୋଇଥିଲେ ।  ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ କ୍ଷମତା ହସ୍ତାନ୍ତର ପର୍ଯ୍ୟନ୍ତ ଅନେକ ପର୍ଯ୍ୟାୟ ଭୋଟିଂ ପରେ ଟ୍ରସ ପ୍ରଧାନମନ୍ତ୍ରୀ ବନିଥିଲେ ଟ୍ରସ । ତେବେ କଂଜରଭେଟିବ ପାର୍ଟିର ଏଭଳି ରାଜନୈତିକ ଅସ୍ଥିରତା ପାଇଁ ଯଦି ପୁନର୍ବାର ଭୋଟିଂ ପ୍ରକ୍ରିୟା କରାଯାଏ ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଲେବର ପାର୍ଟି ସରକାର ଗଠନ କରିପାରେ । ତେଣୁ ସରକାରୀ ଦଳ କଂଜରଭେଟିଭ୍ ପାର୍ଟି ଲୋକଙ୍କ ମତିଗତିକୁ ନେଇ କିଛି ବଡ଼ ପରିବର୍ତ୍ତନ ନକରିପାରେ ।

ଦୁଇମାସ ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ୨୦ହଜାରରୁ ଅଧିକ ଭୋଟରେ ଲିଜ ଟ୍ରସ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ। ଲିଜ ଟ୍ରସଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ମିଳିଥିଲା ୬୦,୩୯୯ଟି ଭୋଟ । ନିର୍ବାଚନରେ ବିଜୟୀ ହେବା ପରେ ବୋରିସ ଜନସନଙ୍କ ଉତ୍ତରାଧିକାରୀ ହୋଇଥିଲେ ଲିଜ ଟ୍ରସ। ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ପଦରେ ରହିବେ ବୋଲି ସମସ୍ତେ ଆଶା ରଖିଥିଲେ ।

ସୁନକଙ୍କ ପଛରେ ଯୁବ ବର୍ଗ

ଲିଜ ଟ୍ରସ୍‌ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ  । ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ୪୨ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷିୟ ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ବନିଥିଲେ । ଯୁବ ନେତା ସୁନକ ଏବେ ପୁଣି ପ୍ରଧାନମନ୍ତ୍ରୀ ପାଇଁ ଦାବିଦାର ହୋଇଛନ୍ତି । ବ୍ରିଟେନବାସୀ ସୁନକଙ୍କୁ ଏବେ ମନେପକାଉଛନ୍ତି । ସକ୍ରିୟ ରାଜନୀତିକୁ ପୁଣି ଫେରିବାକୁ ଅନୁରୋଧ କରୁଥିବା ସୋସିଆଲ ମିଡିଆରେ ପ୍ରକାଶ ପାଉଛି ।  କାରଣ ହେଉଛି ବୋରିସ ଜନସନ୍‌ଙ୍କ ସରକାରରେ ଋଷି ସୁନକ ଅର୍ଥମନ୍ତ୍ରୀ ଥିଲେ। ସେତେବେଳେ ଦେଶର ଅର୍ଥନୀତି ଠିକଠାକ ଥିଲା । ସେ ଅର୍ଥମନ୍ତ୍ରୀ ପଦରୁ ଯିବା ପରେ ବ୍ରିଟେନ ଅର୍ଥନୀତି ଦିନକୁ ଦିନ ତଳକୁ ତଳକୁ ଯାଉଛି । ପୂର୍ବ ନିର୍ବାଚନରେ ମଧ୍ୟ ଯୁବ ବର୍ଗ ସୁନକଙ୍କୁ ସମର୍ଥନ କରିଥିଲେ। ଏବେ ମଧ୍ୟ ସମର୍ଥନ କରୁଛନ୍ତି ।

ସୁନକଙ୍କ କଥା ମନେ ପକାଉଛନ୍ତି ଦେଶବାସୀ

ପୂର୍ବ ନିର୍ବାଚନ କ୍ୟାମ୍ପେନରେ ଦଳୀୟ ସଦସ୍ୟଙ୍କୁ ଲୋଭେଇବା ଭଳି କୌଣସି ପ୍ରତିଶ୍ରୁତି ଦେବାକୁ ସିଧା ସିଧା ମନା କରିଥିଲେ ସୁନକ । ସେ କହିଥିଲେ ଏପରି ଘୋଷଣା କଲେ ବର୍ତ୍ତମାନ ପରିସ୍ଥିତିରେ ତାହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ । ସେ  ଦେଶର ଅର୍ଥ ବ୍ୟବସ୍ଥାକୁ ଦୃଢ଼ କରିବେ ବୋଲି ସବୁ ସଭାରେ କହୁଥିଲେ ।  ଅପରପକ୍ଷେ ଲିଜ ଟ୍ରସ୍‌ ଅନେକ ଲୋଭନୀୟ ପ୍ରତିଶ୍ରୁତି ଘୋଷଣା କରି ଦଳର ସଦସ୍ୟଙ୍କ ମନ ଜିତିଥିଲେ କିନ୍ତୁ ଦେଶର ଅର୍ଥନୀତି ପାଇଁ ତାଙ୍କ ଯୋଜନା ବିଫଳ ହୋଇଥିଲା । ପ୍ରଥମ ବଜେଟ ପରେ ବ୍ରିଟେନର ଅର୍ଥନୀତି ବଜାର ମାନ୍ଦାବସ୍ଥା ଆଡ଼କୁ ଗତି କରିଥିଲା । ଏବେ ଏହାକୁ ସୋସିଆଲ ମିଡିଆରେ ନେତାଙ୍କଠାରୁ ଆରମ୍ଭ କରି ତଳସ୍ତରର ସଦସ୍ୟମାନେ ମନେ ପକାଇ ସେୟାର କରୁଛନ୍ତି । ତେବେ ସୁନକଙ୍କ ପଛରେ ଦଳର ଅଧିକାଂଶ ସଦସ୍ୟଙ୍କ ସମର୍ଥନ ଥିବା ପୁଣି ବ୍ରିଟେନରେ ଚର୍ଚା ହେଉଛି ।

Leave A Reply

Your email address will not be published.