ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ ଘୋଷଣା କରିଛି ଆମେରିକା । ସିଧା ଲଗାଇଛି ୨୫% ଶୁଳ୍କ, ତା ସାଙ୍ଗକୁ ଜରିମାନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୨୫% ଅଧିକ ଶୁଳ୍କ ଲାଗୁ କରିବ, ଯାହା ୧ ଅଗଷ୍ଟ, ୨୦୨୫ରୁ ଲାଗୁ ହେବ। ଶୁଳ୍କ ବ୍ୟତୀତ, ଟ୍ରମ୍ପ ରୁଷ ସହିତ ଭାରତର ଚାଲିଥିବା ବାଣିଜ୍ୟ, ବିଶେଷକରି ତୈଳ ଏବଂ ଅସ୍ତ୍ରଶସ୍ତ୍ର ସହିତ ଜଡିତ ଏକ ଅନିର୍ଦ୍ଦିଷ୍ଟ ଜରିମାନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପ୍ରଥମ ପ୍ରତିକ୍ରିୟାରେ କୁହାଯାଇଛି ଯେ ସରକାର ଏହି ପଦକ୍ଷେପର ପ୍ରଭାବ ଅଧ୍ୟୟନ କରୁଛନ୍ତି ଏବଂ ତାଙ୍କର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ପଦକ୍ଷେପ ନେବେ । ଏନେଇ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି ଯେ ଏହା ଏହି ଘୋଷଣାକୁ ଧ୍ୟାନ ଦେଇଛି ଏବଂ ଜୋର ଦେଇଛି ଯେ ଭାରତ ଆମେରିକା ସହିତ ଏକ ନିରପେକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରିବାକୁ ପ୍ରତିବଦ୍ଧ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହି ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ମାସ ମାସ ଧରି ଚାଲିଛି।
ମନ୍ତ୍ରାଳୟ ବୁଧବାର ସନ୍ଧ୍ୟାରେ ଜାରି ଏକ ବିବୃତ୍ତିରେ କହିଛି, ସରକାର ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ବିବୃତ୍ତିକୁ ଧ୍ୟାନ ଦେଇଛି। ସରକାର ଏହାର ପ୍ରଭାବ ଅଧ୍ୟୟନ କରୁଛି। ଭାରତ ଏବଂ ଆମେରିକା ଗତ କିଛି ମାସ ଧରି ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି । ଆମେ ଏହି ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧ ।
ଏଥିସହିତ କେନ୍ଦ୍ର ସରକାର ଚାଷୀ, ଉଦ୍ୟୋଗୀ ଏବଂ ଏମଏସଏମଇ (ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ମାନଙ୍କର କଲ୍ୟାଣକୁ ପ୍ରାଧାନ୍ୟ ଏବଂ ପ୍ରୋତ୍ସାହିତ କରିବା ପାଇଁ ସର୍ବାଧିକ ଗୁରୁତ୍” ଦେଉଥିବା ଉପରେ ଗୁରୁତ୍ୱ ଦେଇ, ମନ୍ତ୍ରଣାଳୟ ଯୁକ୍ତରାଜ୍ୟ ସହିତ ସମ୍ପ୍ରତି ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ମଧ୍ୟ ଉଲ୍ଲେଖ କରିଛି। ସରକାର ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ, ଯେପରି ଅନ୍ୟ ବାଣିଜ୍ୟ ଚୁକ୍ତିନାମା, ଯଥା ୟୁକେ ସହିତ ସର୍ବଶେଷ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା କ୍ଷେତ୍ରରେ କରାଯାଇଛି ବୋଲି କହିଛି ।
ତେବେ କହିରଖୁଛୁ, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା (BTA) ଉପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛି ଅଚଳାବସ୍ଥା ଦେଖାଦେବାର ସଙ୍କେତ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଅଗଷ୍ଟ ୧ ରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ, ଟ୍ରମ୍ପ ରୁଷରୁ ସାମରିକ ଉପକରଣ ଏବଂ ଅଶୋଧିତ ତୈଳ କିଣିବା ପାଇଁ ଅତିରିକ୍ତ ଦଣ୍ଡ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘୋଷଣା ଏପରି ସମୟରେ କରାଯାଇଛି ଯେତେବେଳେ ମାତ୍ର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିକାରୀମାନେ କହିଥିଲେ ଯେ ଏକ ବାଣିଜ୍ୟ ଚୁକ୍ତିନାମା ପାଇଁ ଏକ ଆମେରିକୀୟ ବାଣିଜ୍ୟ ଦଳ ଅଗଷ୍ଟ ୨୫ରୁ ଭାରତ ଗସ୍ତରେ ଆସିବେ। ଭାରତ ଉପରେ ଆମେରିକାର ଦାବିର ଜବାବରେ ଏହି ଘୋଷଣା କରାଯାଇଛି। ସେପଟେ ଆମେରିକା ଉପରେ ରାଜି ହେବା ପାଇଁ ଚାପ ପକାଇବା ପାଇଁ ଏହା ଏକ ରଣନୀତି ଭାବରେ ଦେଖାଯାଉଛି । ଯାହା ସମ୍ପ୍ରତି ଜାପାନ, ବ୍ରିଟେନ ଏବଂ ୟୁରୋପୀୟ ସଂଘ (EU) ଭଳି ପ୍ରମୁଖ ଅଂଶୀଦାରଙ୍କ ସହିତ ଅନୁକୂଳ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି।
ଟ୍ରମ୍ପ୍ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଭାରତର ବାଣିଜ୍ୟ ନୀତିକୁ ସବୁଠାରୁ କଷ୍ଟକର ଏବଂ ଅପ୍ରୀତିକ’ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି, ସବୁକିଛି ଠିକ୍ ନାହିଁ! ସେଥିପାଇଁ ଭାରତକୁ ଅଗଷ୍ଟ ୧ ତାରିଖରୁ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ଏବଂ ରୁଷରୁ କିଣିବା ପାଇଁ ଜରିମାନା ମଧ୍ୟ ଦେବାକୁ ପଡିବ। ଭାରତ ରୁଷରୁ ବଡ଼ ପରିମାଣର ତେଲ ଏବଂ ସାମରିକ ଉପକରଣ କ୍ରୟ କରିଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ ରୁଷରୁ ଅଶୋଧିତ ତୈଳ ଆମଦାନୀ ମୋଟ କ୍ରୟର ୦.୨ ପ୍ରତିଶତ ଥିଲା, ଯାହା ଏବେ ୩୫-୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଚୀନ୍ ପରେ, ଭାରତ ରୁଷ ତେଲର ସବୁଠାରୁ ବଡ଼ କ୍ରେତା । ତଥାପି, ଆମେରିକାର ରାଷ୍ଟ୍ରପତି ଏକ ସୋସିଆଲ ମିଡିଆ ପୋଷ୍ଟରେ ଭାରତକୁ ତାଙ୍କର ବନ୍ଧ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଭାରତ ଆମର ବନ୍ଧୁ, କିନ୍ତୁ ଆମେ ଗତ କିଛି ବର୍ଷ ଧରି ସେମାନଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ, କାରଣ ସେମାନଙ୍କର ଶୁଳ୍କ ବହୁତ ଅଧିକ, ଯାହା ବିଶ୍ୱରେ ସର୍ବୋଚ୍ଚ। ସେମାନଙ୍କର ସର୍ବୋଚ୍ଚ କଠୋର ଏବଂ ଘୃଣ୍ୟ ଅଣ-ଆର୍ଥିକ ବାଣିଜ୍ୟ ପ୍ରତିବନ୍ଧକ ଅଛି। ସେ କହିଛନ୍ତି ଯେ ଏହା ବ୍ୟତୀତ, ଯେତେବେଳେ ସମସ୍ତେ ଚାହାଁନ୍ତି ଯେ ରୁଷ ୟୁକ୍ରେନରେ ହତ୍ୟା ବନ୍ଦ କରୁ, ସେତେବେଳେ ଭାରତ ରୁଷରୁ ଏହାର ସାମରିକ ଉପକରଣ ଏବଂ ଶକ୍ତି ଉତ୍ପାଦ କିଣିଛି।
Comments are closed.